ଭାରତ ଏବଂ କୁଆଁରୀ ମାତୃତ୍ୱର ସମସ୍ୟା

ରୁଦ୍ର ପ୍ରସନ୍ନ ରଥ ଆମ ଦେଶରେ ବିବାହ ନାମକ ଏକ ଅନୁଷ୍ଠାନ ସହ ମାତୃତ୍ୱ ନାମକ ଏକ ଅବସ୍ଥାକୁ ଯୋଡ଼ି କରି ରଖାଯାଇଛି। ଏହି ବ୍ୟବସ୍ଥା ବହୁ ପୁରାତନ ଏବଂ କାହିଁ କେଉଁ ଆବହମାନ କାଳରୁ ଚାଲିଆସୁଛି। ଆମ ଦେଶରେ ଏବଂ ସଂସ୍କୃତିରେ ବିନା ବିବାହରେ ମାତୃତ୍ୱ ଲାଭ କରିବା ପାପ ବୋଲି ଗଣାଯାଏ। ବିନା ବିବାହରେ ମା ହେବାକୁ ଯେହେତୁ ଆମ ସମାଜ ସ୍ୱୀକୃତି ଦେଇନଥାଏ ତେଣୁ ଏପରି ସ୍ଥିତିରେ ଜନ୍ମ ହେଉଥିବା ସନ୍ତାନ କିମ୍ବା […]

Pregnantlady

Pregnantlady

Debendra Prusty
  • Published: Friday, 02 December 2022
  • Updated: 02 December 2022, 05:22 PM IST

Sports

Latest News

  • ରୁଦ୍ର ପ୍ରସନ୍ନ ରଥ

ଆମ ଦେଶରେ ବିବାହ ନାମକ ଏକ ଅନୁଷ୍ଠାନ ସହ ମାତୃତ୍ୱ ନାମକ ଏକ ଅବସ୍ଥାକୁ ଯୋଡ଼ି କରି ରଖାଯାଇଛି। ଏହି ବ୍ୟବସ୍ଥା ବହୁ ପୁରାତନ ଏବଂ କାହିଁ କେଉଁ ଆବହମାନ କାଳରୁ ଚାଲିଆସୁଛି। ଆମ ଦେଶରେ ଏବଂ ସଂସ୍କୃତିରେ ବିନା ବିବାହରେ ମାତୃତ୍ୱ ଲାଭ କରିବା ପାପ ବୋଲି ଗଣାଯାଏ। ବିନା ବିବାହରେ ମା ହେବାକୁ ଯେହେତୁ ଆମ ସମାଜ ସ୍ୱୀକୃତି ଦେଇନଥାଏ ତେଣୁ ଏପରି ସ୍ଥିତିରେ ଜନ୍ମ ହେଉଥିବା ସନ୍ତାନ କିମ୍ବା ତାକୁ ଜନ୍ମ ଦେଉଥିବା ମା’ ଉଭୟ ଅକଥନୀୟ ଯନ୍ତ୍ରଣା ଭୋଗ କରନ୍ତି। ନିଜର ସାମାଜିକ ସ୍ଥିତି ବଜାୟ ରଖିବା କିମ୍ବା ନିଜ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ।

ସାରା ଭାରତରେ କେତେ ଅବିବାହିତ ଝିଅ କୁଆଁରୀ ମାତୃତ୍ୱ ଲାଭ କରିଛନ୍ତି ତାହାର କୌଣସି ହିସାବ ନଥିଲେ ବି ଏ ବିଷୟରେ ଗବେଷଣା କରୁଥିବା ଗବେଷକଙ୍କ ମତ ଅନୁଯାୟୀ ଏହି ସଂଖ୍ୟା ପ୍ରାୟ ୪୦,୦୦୦ ପାଖାପାଖି ହେବ (ତଥ୍ୟ ଡ. ପ୍ରଜ୍ଞା ମହାନ୍ତି, ଅଧ୍ୟାପକ, ୱିୁମେନ ଷ୍ଟଡିଜ୍, ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ପ୍ରକାଶନ:- ଇଂଟର-ନ୍ୟାସନାଲ ଜର୍ଣ୍ଣାଲ ଅଫ ଆଡଭାନ୍ସଡ ରିସର୍ଚ୍ଚ ଲେଖା: ଅନୱେଡ୍ ମଦର୍ସ ଅଫ ଓଡିଶା: ଇସୁ୍ୟଜ୍ ଏଣ୍ଡ ଚ୍ୟାଲେଂଜେସ୍ , ପ୍ରକାଶନ:  ଜାନୁୟାରୀ, ୨୦୧୭)। ଏପରି ତଥ୍ୟ ମିଳିବା ସତରେ କଷ୍ଟକର। ଅନେକ କ୍ଷେତ୍ରରେ ଏପରି ତଥ୍ୟକୁ ଲୁଚାଯାଇଥାଏ। କାରଣ ଏପରି ତଥ୍ୟ ପ୍ରଘଟ ହେଲେ ଝିଅର ଭବିଷ୍ୟତ ଦୁର୍ବିସହ ହୋଇପଡ଼ିବାର ଅନେକ ଆଶଙ୍କା ଥାଏ। ଅନେକ କୁଆଁରୀ ମାତୃତ୍ୱ ଲାଭ କରିଥିଲେ ବି ଏ ବିଷୟରେ ଜଣାଇ ପାରିନଥାନ୍ତି, କାରଣ ସେମାନଙ୍କ ମଧ୍ୟରୁ ଅନେକ ସନ୍ତାନ ସବୁ ଜନ୍ମକଲା ପରେପରେ ସହରର ଅନାଥ ଆଶ୍ରମ କିମ୍ବା ଶିଶୁ ଗୃହରେ ରହିଥାଆନ୍ତି।

କୁଆଁରୀ ମାତୃତ୍ୱ ଲାଭ କରୁଥିବା ଅନେକ ମହିଳା କିମ୍ବା ଝିଅମାନେ ସାଧାରଣତଃ ଆର୍ଥିକ ଦୁର୍ବଳ ବର୍ଗରୁ ଆସିଥାଆନ୍ତି। ଅଧିକାଂଶ ତଫସିଲଭୁକ୍ତ ଜାତି କିମ୍ବା ଜନଜାତିର ଝିଅ। ଅନେକ କ୍ଷେତ୍ରରେ ନହୁଲୀ ବୟସରେ ପାଦ ଦେଇଥିବା ଝିଅଟିଏ ନିଜ ଜୀବନର ପ୍ରଥମ ଗୁରୁତର ଭୁଲଟିଏ କରିବସିଥାଏ। କିଛିଦିନ ତଳେ ମନ ଦେଇଥିବା ରାଜକୁମାରଟିକୁ ତାର ଦେହ ଦେଇଦେଇଥାଏ। ଏ ଦେହ ଯେ ସେ ନିଜେ ଜାଣିକରି ଦେଇଥାଏ ତାହା ନୁହେଁ। କେଉଁଠି ଅଭିମାନୀ ପ୍ରେମିକର ସହବାସ ପାଇଁ ଜିଦ୍ ହେଉ ବା ଆଉ କେଉଁଠି ଭୟ ବା ଲୋଭ। ଅନେକ କ୍ଷେତ୍ରରେ ତ ପରିବାରର ନିଜ ସଂପର୍କୀୟ ହିଁ ଝିଅର ସରଳତାର ସୁଯୋଗ ନେଇ ତା ସହିତ ଦୁର୍ଷ୍କମ କରିଦେଇଥାଆନ୍ତି। ତା ଦେହର ଭୂଗୋଳ ସହ ଖେଳୁଥିବା ଲୋକଟି ଯଦିଓ ଜାଣିଥାଏ ଯେ ସେ ଝିଅର ଭବିଷ୍ୟତ ବଦଳିଯିବାକୁ ଯାଉଛି, ତେବେ ଅନେକ କ୍ଷେତ୍ରରେ ଝିଅଟିଏ ଏହାକୁ ନେଇ ଅଜ୍ଞ ଥାଏ। ଗାଁ ଗହଳିରେ ହେଉଥିବା ଏପରି ଅନେକ ଘଟଣାରେ ଝିଅଟିଏ ଜାଣିନଥାଏ ଯେ ଏହି ପାଂଚ ମିନିଟର ଦୁଷ୍କର୍ମ ତାର ସାର ଜୀବନର ମୂଳଦୂଆକୁ ହଲାଇ ଦେଇ ସାରିଛି। ଯୌନକ୍ରିୟା କଣ ଏବଂ ଏହା ଦ୍ୱାରା ଯେ ଗର୍ଭବତୀ ହୁଅନ୍ତି ଏକଥା ବୁଝିବା ପୂର୍ବରୁ ସେ କଳଙ୍କିନୀ ଏବଂ ପତିତାର ଆଖ୍ୟା ମୁଣ୍ଡାଇ ସାରିଥାଏ।

ଦୁର୍ଷ୍କମର ଠିକ୍ ପରେ ପରେ ହିଁ ସେ ଝିଅର ଯନ୍ତ୍ରଣା ଆରମ୍ଭ ହୁଏ। କାହାକୁ କହିବ କଣ କହିବ ଚିନ୍ତା କରୁଥିବା ବେଳେ ତା ଆଖି ଆଗରେ ତାର ଦୁର୍ଷ୍କମକାରୀର ଚେହେରା ତା ଆଖି ଆଗରେ ନାଚି ଉଠୁଥାଏ। ଅନ୍ୟ କାହାକୁ କିମ୍ବା ପୋଲିସକୁ କହିଲେ ତାକୁ ହତ୍ୟା କରାଯିବାର ଦୁଷ୍କର୍ମକାରୀର ଧମକ ହେଉ ବା ମୁଁ ତୁମକୁ ଭଲପାଏ ବୋଲି କଥା କଥାରେ କହୁଥିବା ପ୍ରିୟ ପ୍ରେମିକ ପୁରୁଷର ଆଶ୍ୱାସନା ତାକୁ ଦୋ ଛକିରେ ପକାଇ ଦେଇଥାଏ। କଣ କରିବ କେମିତି କରିବ ଉପାୟ ଖୋଜୁଥିବାବେଳେ ଜଣାପଡ଼େ ଯେ ସେ ଗର୍ଭବତୀ। ତା ପ୍ରିୟ ପୃଥିବୀକୁ ଆଉ କିଏ ବଦଳାଇ ଦେଇଛି। ଆଉ କିଏ ଜଣେ ତା ମଧ୍ୟ ଦେଇ ଦୁନିଆକୁ ଆସିବାକୁ ଚାହୁଁଛି। ସେତେବେଳେକୁ ସମୟ ଗଡ଼ିଯାଇଥିବାରୁ ସେ ସନ୍ତାନ ପ୍ରସବ କରିବାକୁ ବାଧ୍ୟ ହୋଇଥାଏ, ଯଦିଓ ସେ ମାନସିକ ଭାବେ ପ୍ରସ୍ତୁତି କରିପାରିନଥାଏ।

ଝିଅଟି ଗର୍ଭବତୀ ବୋଲି ଜଣା ପଡ଼ିଲା ପରେ ତା ଘରେ କାନ୍ଦ ବୋବାଳି ଖେଳିଯାଏ। ଦୁଷ୍କର୍ମକାରୀକୁ ଖୋଜାଯାଏ। ଧରା ପଡ଼ିଲେ ତା ସହ ମୂଲଚାଲ ହୁଏ। ଝିଅର ବାହାଘର ପାଇଁ ଚେଷ୍ଟା କରାଯାଏ। ଦୁଷ୍କର୍ମକାରୀ ସହ ବାର ବାର ଆଲୋଚନା ବସେ। କେତେବେଳେ ଦୁଷ୍କର୍ମକାରୀ ଆଜି କାଲି କହି ସମୟ ଗଡ଼ାଏ ତ ଆଉ କେତେବେଳେ ପୂରାପୂରି ଫାଙ୍କିଦିଏ। ଏହି କଥାବାର୍ତ୍ତା ବୈଠକ ଭିତରେ ସମୟ ଗଡ଼ି ସାରିଥାଏ। ଡାକ୍ତରୀ ଦୃଷ୍ଟିକୋଣରୁ ଆଉ ଗର୍ଭପାତ କରାଇବା ସମ୍ଭବ ହୁଏନାହିଁ। ଲୋକଲଜ୍ଜାକୁ ଡରି କେଉଁଠି ଗୁହାଳରେ ତ ଆଉ କେଉଁଠି ମେଡିକାଲରେ ତାହାର ପ୍ରସବ କରାଇଦିଆଯାଏ। କେତେବେଳେ ଛୁଆକୁ ସେଇଠି ଛାଡ଼ି ଦିଆଯାଏ ତ ଆଉ କେଉଁଠି ମା ଏବଂ ଛୁଆ ଉଭୟ ମୃତ୍ୟୁମୁଖରେ ପଡ଼ନ୍ତି। ଯଦି ବି ସବୁକିଛି ଠିକ୍ ଠାକ୍ ଚାଲେ ଧୂଳିଖେଳ ବୟସରେ କେଉଁଠି ୧୨ ବର୍ଷର ଝିଅଟିଏ କାଖରେ ଛୁଆ ଧରି ବୁଲେ ତ ଆଉ କେଉଁଠି ତିରିଶ ବର୍ଷର ମହିଳା ଜଣଙ୍କ ରାତିର ଅନ୍ଧାରରେ ଛୁଆଟିକୁ ଅନାଥ ଆଶ୍ରମରେ ଛାଡ଼ିଦେଇ ଆସେ। ୧୨ ବର୍ଷ ହେଉ ଅଥବା ୪୨ ବର୍ଷ, ଆମ ସମାଜ ଆଖିରେ ଅବିବାହିତ କୁଆଁରୀ ମା ମାନେ ପୀଡ଼ିତ କମ୍ ଆଉ ପତିତ ଅଧିକ। ସେମାନଙ୍କୁ ଚରିତ୍ରହୀନାର ଆକ୍ଷେପ ସବୁବେଳେ ସବୁସମୟରେ ଶୁଣିବାକୁ ପଡୁଥାଏ। ଅନେକ ସ୍ଥାନରେ ତ ନିଜର ସନ୍ତାନର ଲାଳନ ପାଳନ ପାଇଁ କୁଆଁରୀ ମା’କୁ ଦଲାଲମାନେ ଦେହ ବ୍ୟବସାୟରେ ଲଗାଇ ଦେଇଥାନ୍ତି। ନହେଲେ ସେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୁଏ।

ଅବିବାହିତ ରହିବା ସତ୍ତ୍ୱେ ବି ନିଜ ସନ୍ତାନକୁ ପାଖରେ ରଖି ତାହାର ଲାଳନ ପାଳନ କରିବାର ସାହାସ ସମସ୍ତେ ଦେଖାଇ ପାରନ୍ତି ନାହିଁ। ସାହସ ଥିଲେ ବି ଏ ନେଇ ଆର୍ଥିକ ସାମର୍ଥ୍ୟ ଅନେକଙ୍କର ନଥାଏ। ଏହି ଅଣବାବୁଆମାନଙ୍କୁ ସମାଜ ଠିକରେ ଗ୍ରହଣ କରେ ନାହିଁ। ସେମାନଙ୍କୁ ଅନେକ ପ୍ରକାର ସାମାଜିକ ଏବଂ ସଂସ୍କୃତିକ ଅଧିକାର ମିଳେନାହିଁ। ଏହି ପରିସ୍ଥିତିରେ ଯେଉଁ ଛୁଆଟି ଜନ୍ମ ହୁଏ ସେ ବି ବଡ଼ ହେଲେ ନିଜକୁ ଧିକ୍କାର କରେ। ଅନେକ ସମୟରେ ନିଜର ପିତୃ ପରିଚୟ ପାଇବା ପାଇଁ ତାକୁ ଲମ୍ବା ଆଇନଗତ ଲଢ଼େଇ ଲଢ଼ିବାକୁ ପଡ଼େ। ସମସ୍ତେ ଏପରି ଖର୍ଚ୍ଚବହୁଳ ଆଇନଗତ ଲଢ଼େଇରେ ସକ୍ଷମ ହୁଅନ୍ତି ନାହିଁ।

ଏପରି କ୍ଷେତ୍ରରେ ସରକାର ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ନେଇ ଅଧିକ କାମ କରିବାର ଆବଶ୍ୟକ ରହିଛି। ଦୁର୍ଷ୍କମପରି ଘଟଣାରେ ତୁରନ୍ତ ମା’କୁ ଆଇନ ଏବଂ ଚିକିତ୍ସାଗତ ସହାୟତା ଯୋଗାଇଦେବା ଜରୁରୀ। ଗାଁରେ ଥିବା ଆଶା କର୍ମୀମାନେ ସୁରକ୍ଷିତ ଗର୍ଭପାତ କରିବା ଉପରେ ଜୋର ଦେବା ଆବଶ୍ୟକ। ସେହିପରି ଭାବେ ଥରେ ଏପରି ସନ୍ତାନ ଜନ୍ମହେଲେ ସେମାନଙ୍କୁ ପଢ଼ିବା ଏବଂ ସ୍ୱାସ୍ଥ୍ୟଗତ ଖର୍ଚ୍ଚ ଯୋଗାଇ ଦେବା ସହ ସେମାନଙ୍କର ଆଇନଗତ ବିବାଦର ସମାଧାନ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବା ଦରକାର। ସେହିପରି ଏହି ମାତୃତ୍ୱକୁ ଏକ ଗମ୍ଭୀର ବିଷୟ ଭାବେ ବିଚାରକୁ ନେଲେ ଧୀରେ ଧୀରେ ଅନେକ ସମସ୍ୟାର ସମାଧାନ ପାଇଁ ବାଟ ଫିଟିବବୋଲି ଆଶା କରାଯାଏ।

ଧବଳଗିରି, ଯାଜପୁର ରୋଡ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos