ରାଜ୍ୟରେ ଶୀତଳଭଣ୍ଡାର ନିର୍ମାଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ‘ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା’ ଯୋଜନାକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାସହିତ ଶକ୍ତି ବିଭାଗ ଦ୍ୱାରା ଗ୍ରୀଡକୋକୁ ଦିଆଯାଇଥିବା ୩୧୦୮.୨୧କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ମଧ୍ୟ ପିଛିଲା ଭାବେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହି ପ୍ରସ୍ତାବଗୁଡ଼ିକ ସମେତ ମୋଟ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା’ ଯୋଜନାକୁ ଅନୁମୋଦନ ମିଳିଛି । ରାଜ୍ୟର ୫୮ଟି ସବଡିଭିଜନରେ ଅତିକମରେ ଗୋଟିଏ ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ଦେବେ । ଅନୁସୂଚିତ ଜାତି,ଜନଜାତି,କିନ୍ନର,ମହିଳା ହିତାଧିକାରୀଙ୍କ ପାଇଁ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ଓ ସର୍ବାଧିକ ସାଢ଼େ ୬କୋଟି ଟଙ୍କା ମଧ୍ୟରେ ସୀମିତ ଯାହା କମ୍ ହେବ । ସାଧାରଣ ହିତାଧିକାରୀଙ୍କ ପାଇଁ ଏହି ପୁଞ୍ଜିନିବେଶ ସବସିଡି ସର୍ବାଧିକ ୫୦% ଓ ୬କୋଟି ଟଙ୍କା ମଧ୍ୟରେ ସୀମିତ,ଯାହା କମ୍ ହେବ । ସେହିପରି ୬% ପର୍ଯ୍ୟନ୍ତ ସୁଧ ରିହାତି ମିଳିବ ଯେଉଁଥିରେ ଭାରତ ସରକାରଙ୍କ ୩% ଓ ରାଜ୍ୟର ୩% ସବସିଡି ସାମିଲ ଅଛି । ରାଜ୍ୟ ସରକାର ୪ଟି ସ୍ଲାବରେ ଏହି ଆର୍ଥିକ ସହାୟତା ଯୋଗାଇ ଦେବେ । ୭ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କରେ ୫୦% ସବସିଡି ସରକାର ଯୋଗାଇ ଦେବେ । ଅଣକାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଯାଂଚ କରି ଚୟନ କରିବେ । ସେହି କ୍ଷେତ୍ରରେ ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଏହି ଯୋଜନାକୁ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ବର୍ଷ ପାଇଁ ମୂଲ୍ୟାଙ୍କନ କରାଯାଇଛି ଓ ଏବାବଦରେ ୨୫୨କୋଟି ଟଙ୍କା ବରାଦ ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନରୁ ସ୍ୱାପିଂ ଆଧାରରେ ଗ୍ରୀଡକୋକୁ ମିଳିଥିବା ୩୧୦୮.୨୧କୋଟି ଟଙ୍କାର ଦୀର୍ଘ ଅବଧି ଋଣ ପାଇଁ ଶକ୍ତି ବିଭାଗ ଦେଇଥିବା ସରକାରୀ ଗ୍ୟାରେଣ୍ଟିକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ଗ୍ରୀଡକୋର ସୁଧହାର ହ୍ରାସ ପାଇବ ଓ ଉପଭୋକ୍ତାଙ୍କ ଉପରେ ବୋଝ କମିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଷୋଡ଼ଶ ଅର୍ଥ କମିଶନ ଆସନ୍ତା ଫେବୃୟାରୀ ୫ରୁ ୭ତାରିଖରେ ଓଡ଼ିଶା ଆସିବେ । ରାଜ୍ୟର ୫ବର୍ଷର ଯୋଜନା ନେଇ ତାଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ । ୧୨ଲକ୍ଷ ୫୬ହଜାର ୧୪୮କୋଟି ଟଙ୍କାର ଦାବି ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ରଖିବା ପାଇଁ ପ୍ରସ୍ତୁତ ବିଭିନ୍ନ ପ୍ରସ୍ତାବ ସମ୍ବଳିତ ମେମୋରାଣ୍ଡମକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ମେଡିକାଲ ଅଫିସର ନିଯୁକ୍ତି,ପଦୋନ୍ନତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ ପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହନ ବାଜିଛି । ଏହି ସଂଶୋଧନ ଆଧାରରେ କନିଷ୍ଠ-କ ବର୍ଗ ପାହ୍ୟା ପଦବୀ ପାଇଁ ଆବେଦନ କରିବାବେଳେ ଜଣେ ପ୍ରାର୍ଥୀ ଓଡ଼ିଶା ଡାକ୍ତରୀ ପଞ୍ଜିକରଣ ଆଇନ-୧୯୬୧ ଅନୁସାରେ ଏକ ବୈଧ ପଞ୍ଜିକରଣ ପ୍ରମାପତ୍ର ହାସଲ କରିବା ଜରୁରୀ । ଏହି ନିୟମର ସଂଶୋଧନ ପରେ କନିଷ୍ଠ-କ ବର୍ଗ ପାହ୍ୟାରେ ୫ହଜାରରୁ ଅଧିକ ଡାକ୍ତରଙ୍କ ଚୟନ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯିବ । ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା କ୍ୟାଡ଼ରରେ ଥିବା ବରିଷ୍ଠ ପ୍ରଶାସନିକ ପଦବୀ ସଂଖ୍ୟା ୨ରୁ ୧୪କୁ ବୃଦ୍ଧି, ଏସଏଜିରେ ପାହ୍ୟାରେ ପଦବୀ ସଂଖ୍ୟା ୧୨ରୁ ୪୫କୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ।
ଓଡ଼ିଶା ଡାକ୍ତରୀ ସେବା(ଦନ୍ତ ଚିକିତ୍ସକ ଚୟନ ପ୍ରକ୍ରିୟା ଓ ସେବା ସର୍ତ୍ତ) ନିୟମାବଳୀ-୨୦୨୨ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ସଂଶୋଧନ ପରେ ୧୦୦ରୁ ଅଧିକ ଦନ୍ତ ଚିକିତ୍ସକ ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଚୟନ ପ୍ରକ୍ରିୟା ପାଇଁ ଅନୁରୋଧ କରାଯିବ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।