ଗୃହରେ ଅର୍ଚ୍ଚନା ତାତି: ତଥ୍ୟ ଲୁଚାଇଲେ ସରକାର, ବର୍ଷିଲେ ବିରୋଧୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବହୁଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜି ବିଧାନସଭାରେ ରାଜ୍ୟ ସରକାରଙ୍କ ବିଶ୍ୱସନୀୟତାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହ ଘଟଣାକୁ ଚାପିବାକୁ ଉଦ୍ୟମ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି । ଅର୍ଚ୍ଚନା ନାଗ ମାମଲାରେ ଥାନାରେ କେଉଁ ସବୁ ଦଫାରେ କେସ୍ ରୁଜୁ ହୋଇଛି ସେ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କୌଣସି ତଥ୍ୟ ଦେଇନଥିଲେ । କେବଳ ଆଇନ ଅନୁସାରେ […]

Archana-Nag

Archana-Nag

Ordigital Desk
  • Published: Monday, 28 November 2022
  • Updated: 28 November 2022, 08:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବହୁଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜି ବିଧାନସଭାରେ ରାଜ୍ୟ ସରକାରଙ୍କ ବିଶ୍ୱସନୀୟତାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହ ଘଟଣାକୁ ଚାପିବାକୁ ଉଦ୍ୟମ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି । ଅର୍ଚ୍ଚନା ନାଗ ମାମଲାରେ ଥାନାରେ କେଉଁ ସବୁ ଦଫାରେ କେସ୍ ରୁଜୁ ହୋଇଛି ସେ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କୌଣସି ତଥ୍ୟ ଦେଇନଥିଲେ । କେବଳ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଦୁଇ ଧାଡ଼ି କହି ଚୁପ୍ ରହିଥିଲେ ।

ଆଜି ଗୃହରେ ବିଜେପି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ “ସବୁଠି ଏବେ ଗୋଟିଏ କଥା, ସରକାର ଅପରାଧୀଙ୍କ ସୁରକ୍ଷାଦାତା, କୋଟିଏରୁ ଗୋଟିଏ ଅର୍ଚ୍ଚନା ନାଗ ଅପରାଧ ଖିଅଟିଏ’ ସଂକ୍ରାନ୍ତ ଆଲୋଚନାରେ ସାମିଲ ହୋଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ । ମୁଖ୍ୟମନ୍ତ୍ରୀ କାହିଁକି ଏହି ଅର୍ଚ୍ଚନା ନାଗ ଘଟଣାରେ ନିରବ । କ’ଣ ବ୍ଲାକମେଲ୍ ହୋଇଛି ତାହା ଜାଣିବାକୁ ସମସ୍ତେ ଚାହୁଁଛନ୍ତି । ଏହି ଘଟଣାରେ ଅନେକ ବଡ଼ବଡ଼ିଆ ସମ୍ପୃକ୍ତ ଓ ଫଟୋ ଥିଲେ ମଧ୍ୟ ପୁଲିସ ଥରୁଟିଏ ବି ସେମାନଙ୍କୁ ଡାକି ନାହିଁ । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲେ ମଧ୍ୟ କେଉଁ ଦଫାରେ ଏହି କେସ୍ ହୋଇଛି ସେ କଥା ମନ୍ତ୍ରୀ କହିନାହାନ୍ତି । ପୁଲିସ ତଦନ୍ତରେ ଯାହାଙ୍କୁ ଛାଡ଼ିଥିଲା, ଇଡି ସେମାନଙ୍କୁ ଗିରଫ କରୁଛି । ୨୦କୋଟି ଟଙ୍କାର ଆଇଟି ସ୍କାମ ହୋଇଥିବା ଅଭିଯୋଗ ହେଉଛି । ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀ ସଠିକ୍ ତଥ୍ୟ ଆଣି ଗୃହରେ ଉପସ୍ଥାପନ କରନ୍ତୁ । ଏହି ଘଟଣାରେ ମୁହଁ ଖୋଲିବାକୁ ବୋଧହୁଏ ମୁଖ୍ୟମନ୍ତ୍ରୀ ଭୟ କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।

ସେହିପରି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ଅର୍ଚ୍ଚନା ନାଗ ପ୍ରସଙ୍ଗ ହେଉଛି ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ ଓ ଏଥିରେ ଆର୍ଥିକ ଅପରାଧ ମଧ୍ୟ ହୋଇଛି । ଶାସକ ଦଳର ଅନେକ ନେତା,ମନ୍ତ୍ରୀ, ବିଧାୟକ, ସରକାରୀ ଅଫିସର, ଠିକାଦାର, ବିଲଡର ଆଦି ଏଥିରେ ସମ୍ପୃକ୍ତ ଅଛନ୍ତି । ୫ଟି ଡାଏରୀ ଓ ୪ଟି ଲାପଟପ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ତା’ର ମେଲ୍ ଆଇଡିରୁ ୬୪ଜଣଙ୍କ ଫଟୋ ମିଳିଛି । ଏସବୁ ଅପରାଧୀଙ୍କୁ ଖସାଇ ଦେବାକୁ ଉଦ୍ୟମ ହେଉଛି । ଏହି ମାମଲାରେ ଇଡିକୁ ରାଜ୍ୟ ପୁଲିସ ସହଯୋଗ କରୁଛି ତ ବୋଲି ସେ ପ୍ରଶ୍ନ କରିବା ସହ ପୁଲିସ ଓ ଗୁଇନ୍ଦା ବିଭାଗ କ’ଣ ମଉନବ୍ରତରେ ଶୋଇଥିଲେ? ନାଗ ଦମ୍ପତ୍ତିଙ୍କର ଟେଣ୍ଡର ଫିକ୍ସି, ଠିକାଦାରୀ ଭଳି କାମରେ ମଧ୍ୟ ହାତ ରହିଛି । ଏହି ଘଟଣାରେ ଆରମ୍ଭରୁ ନିଜର ଅଧିକାରୀ ଓ ନେତାଙ୍କୁ ସରକାର ଲୁଚେଇ ରଖିଛନ୍ତି । ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି ଏତଲାରେ ସମସ୍ତଙ୍କ ନାଁ ଉଲ୍ଲେଖ କରିଥିଲେ ମଧ୍ୟ କାହିଁକି ଜଗବନ୍ଧୁକୁ ଖାଲି ପଚାରିକି ପୁଲିସ ଛାଡ଼ି ଦେଇଥିଲେ । ପ୍ରମାଣ ନଷ୍ଟ ପାଇଁ ଜଗବନ୍ଧୁଙ୍କୁ ଛାଡ଼ି ଦିଆଯାଇଥିଲା କି ? ସରକାରୀ ଦଳର ବିଧାୟକଙ୍କ ଭାଇକୁ ଇଡି ଡାକି ଜେରା କରିଛି । କିନ୍ତୁ ରାଜ୍ୟ ସରକାର ଏହି ଘଟଣାରେ ତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚାହୁଁଥିଲେ । ତେଣୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ବିଜେପି ବିଧାୟକ କେ.ନାରାୟଣ ରାଓ କହିଥିଲେ ଯେ, ସେ ଅର୍ଚ୍ଚନାକୁ ହାତଯୋଡ଼ି ନମସ୍କାର କରୁଛନ୍ତି । କାରଣ ସେ ଅନେକ ଲୋକଙ୍କୁ ସମ୍ଭାଳିଥିଲା । ଆଇଏଏସ, ଆଇପିଏସ, ଅନେକ ବଡ଼ବଡ଼ିଆକୁ ସେ ସମ୍ଭାଳିଥିବାରୁ ତାକୁ ଧନ୍ୟବାଦ ଦେଉଛି । ହାତ ଯୋଡ଼ି ନମସ୍କାର ମଧ୍ୟ କରୁଛି । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ମିନାକ୍ଷୀ ମହନ୍ତ, ସୁନନ୍ଦା ଦାସ, ରାଜକିଶୋର ଦାସ ପ୍ରମୁଖ ସାମିଲ ହୋଇ ନିଜର ମତ ରଖିଥିଲେ ।

ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଥିବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅସତ୍ୟ । ଅପରାଧୀ ଯେତେ ପ୍ରଭାବଶାଳୀ ହେଉନା କାହିଁକି ଆଇନ ଅନୁସାରେ ତା’ବିରୁଦ୍ଧରେ ଏ ସରକାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅର୍ଚ୍ଚନା ନାଗ ମାମଲାରେ ଖଣ୍ଡଗିରି ଥାନାରେ ଅକ୍ଟୋବର ୨ ଓ ନୟାପଲ୍ଲୀ ଥାନାରେ ସେପ୍ଟେମ୍ବର ୨୯ରେ ମାମଲା ରୁଜୁ ହୋଇଛି । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଦୁଇ ମାମଲାର ତଦନ୍ତ ଜାରି ରହିଛି ବୋଲି ସେ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos