ଟମ୍‌ ଲାଥମଙ୍କ ଅପରାଜିତ ୧୪୫, ପ୍ରଥମ ଦିନିକିଆ ହାରିଲା ଭାରତ

ଅକଲ୍ୟାଣ୍ଡ: ବିଜୟରୁ ଦିନିକିଆ ସିରିଜ୍‌ର ଅଭିଯାନ ଆରମ୍ଭ କରିଛି ଘରୋଇ ଟିମ ନ୍ୟୁଜିଲ୍ୟାଣ୍ଡ। ଆଜି ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୭ ୱିକେଟ ହରାଇଛି ବ୍ଲାକ କ୍ୟାପ୍ସ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୦୬ ରନ କରିଥିଲା। ଏହାର ଜବାବରେ ଟମ ଲାଥମଙ୍କ ଅପରାଜିତ ୧୪୫ ଓ ଅଧିନାୟକ କେନ ୱିଲିୟମସନଙ୍କ ଅପରାଜିତ ୯୪ ବଳର ନ୍ୟୁଜିଲ୍ୟାଣ୍ଡ ୧୭ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ […]

Latham

Latham

Hemant Lenka
  • Published: Friday, 25 November 2022
  • Updated: 25 November 2022, 03:18 PM IST

ଅକଲ୍ୟାଣ୍ଡ: ବିଜୟରୁ ଦିନିକିଆ ସିରିଜ୍‌ର ଅଭିଯାନ ଆରମ୍ଭ କରିଛି ଘରୋଇ ଟିମ ନ୍ୟୁଜିଲ୍ୟାଣ୍ଡ। ଆଜି ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୭ ୱିକେଟ ହରାଇଛି ବ୍ଲାକ କ୍ୟାପ୍ସ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୦୬ ରନ କରିଥିଲା।

ଏହାର ଜବାବରେ ଟମ ଲାଥମଙ୍କ ଅପରାଜିତ ୧୪୫ ଓ ଅଧିନାୟକ କେନ ୱିଲିୟମସନଙ୍କ ଅପରାଜିତ ୯୪ ବଳର ନ୍ୟୁଜିଲ୍ୟାଣ୍ଡ ୧୭ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି। ନ୍ୟୁଜିଲ୍ୟାଣ୍ଡକୁ ଶେଷ ୧୮ ବଲରେ ୧ ରନ ଦରକାର ଥିବା ବେଳେ ୱିଲିୟମସନ ଚୌକା ମାରି ବିଜୟ ମୁଣ୍ତି ମାରିଛନ୍ତି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶିଖର ଧୱନଙ୍କ ଟିମ ଇଣ୍ଡିଆ ଦମଦାର ଆରମ୍ଭ କରିଥିଲା। ନିଜେ ଧୱନ ୭୨ ରନ କରିଥିବା ବେଳେ ଓପନର ଶୁବମନ ଗିଲ୍‌ ୫୦ ରନ କରିଥିଲେ। ପ୍ରଥମ ୱିକେଟ ପାଇଁ ଉଭୟ ୧୨୪ ରନର ଭାଗିଦାରୀ କରିଥିଲେ। ମଧ୍ୟକ୍ରମରେ ମଧ୍ୟ ଶ୍ରେୟସ ଆୟର ୮୦ ଓ ସଞ୍ଜୁ ସାମାସନ ୩୬ ରନ ଇନିଂସ ଖେଳିଥିଲେ। ତେବେ ଋଷଭ ପନ୍ତ ୧୫ ଓ ବିସ୍ଫୋରକ ସୂର୍ଯ୍ୟ କୁମାର ଯାଦବ ମାତ୍ର ୪ ରନ କରିବାକୁ ସକ୍ଷମ ହୋଇଥିଲେ।

ଶେଷ ଭାଗରେ ୱାଶିଂଟନ ସୁନ୍ଦର ୧୬ ବଲରେ ଅପରାଜିତ ୩୬ ରନ କରିବାରୁ ଟିମ ଇଣ୍ଡିଆ ୭ ୱିକେଟ ହରାଇ ୩୦୬ ରନ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲକି ଫର୍ଗୁସନ ଓ ଟିମ ସାଉଦି ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଆଡାମ ମିଲନେ ଗୋଟିଏ ସଫଳତା ପାଇଛନ୍ତି।

୩୦୭ ରନ ଚ୍ୟାଲେଞ୍ଜ ଟାର୍ଗେଟ ପାଇଥିବା ଘରୋଇ ଟିମ୍ ୩୫ ରନରେ ଓପନର ଫିନ ଆଲେନ(୨୨)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଶାର୍ଦ୍ଦୁଲ ଠାକୁର ନେଇଥିଲେ। ଏହାପରେ ଡେବ୍ୟୁଟାଣ୍ଟ ଉମ୍ରାନ ମଲିକ ଇନଫର୍ମ ଡେଭନ କନୱେ(୨୪) ଓ ଡାରେଲ ମିଚେଲ(୧୧)ଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡକୁ ଯୁଗଳ ଝଟକା ଦେଇଥିଲେ।

୮୮ ରନରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇ ସାମାନ୍ୟ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ୱିଲିୟମସନ ଓ ଲାଥମ ସ୍ଥିତି ସମ୍ଭାଳିଥିଲେ। ଉଭୟ ୩୨ ଓଭର ଯାଏ ବେଶ ସତର୍କତାର ସହ ଇନିଂସକୁ ଆଗକୁ ନେଇଥିଲେ। ଏହାପରେ ଲାଥମ ନିଜର ଗିୟର ବଦଳାଇଥିଲେ। ୱିଲିୟମସନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଅଧିନାୟକ ଧୱନ ବାରମ୍ବାର ବୋଲିଂ ଏଣ୍ଡରେ ପରିବର୍ତ୍ତନ କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା।

ବିଶେଷ କରି ଲାଥମ ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରି ପ୍ରଥମେ ଅର୍ଦ୍ଧଶତକ ଓ ପରେ ଶତକ ହାସଲ କରିଥିଲେ। ଏଥିସହ ୱିଲିୟମସନଙ୍କ ସହ ମିଶି ଦଳକୁ ୧୭ ବଲ ପୂର୍ବରୁ ଜତାଇଥିଲେ। ୧୦୪ ବଲରେ ଅପରାଜିତ ୧୪୫ ରନର ଇନିଂସ ଖେଳିଥିବା ଲାଥମ ୧୯ଟି ଚୌକା ଓ ୫ଟି ବିଶାଳ ଛକା ମାରିଛନ୍ତି। ସେହିପରି ୱିଲିୟମସନ ୭ଟି ଚୌକା ଓ ଗୋଟିଏ ଛକା ବଳରେ ୯୪ ରନର ଇନିଂସ ଖେଳିଛନ୍ତି। ଦମଦାର ଶତକ ପାଇଁ ଲାଥମ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଭାରତ ପକ୍ଷରୁ ଆଜି ଉମ୍ରାନ ମଲିକଙ୍କ ସହ ଅର୍ଶଦୀପ ସିଂହ ଦିନିକିଆରେ ଡେବ୍ୟୁ କରିଥିଲେ। ହେଲେ ଅର୍ଶଦୀପ କୌଣସି ପ୍ରକାରର ୱିକେଟ ପାଇ ନାହାନ୍ତି। ଉମ୍ରାନ କିନ୍ତୁ ୨ଟି ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos