ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଷ୍ଟାର ରିଙ୍କୁ ସିଂହ। ସେ ଖୁବଶୀଘ୍ର ନିଜର ପ୍ରେମିକା ତଥା ସାଂସଦ ପ୍ରିୟା ସରୋଜଙ୍କୁ ବାହା ହେବ। ପ୍ରିୟା ହେଉଛନ୍ତି ସମାଜବାଦୀ ପାର୍ଟିର ସାଂସଦ। ରିଙ୍କୁ ଓ ପ୍ରିୟା ପ୍ରାୟ ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ପରସ୍ପରକୁ ଭଲ ପାଉଥିଲେ। ଏବେ ପରିବାର ଲୋକଙ୍କ ଅନୁମତିକ୍ରମେ ସେମାନେ ବାହା ହେବାକୁ ଯାଉଛନ୍ତି।
ପ୍ରିୟା ସରୋଜଙ୍କ ବାପା ତଥା ସପାର କେରାକଟର ବିଧାୟକ ତୁଫାନି ସରୋଜ ବାହାଘର ଖବରକୁ ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ରିଙ୍କୁ ସିଂହଙ୍କ ବାପାଙ୍କ ସହ ଜାନୁଆରୀ ୧୬ରେ ବାହାଘର ସମ୍ପର୍କରେ କଥାବାର୍ତ୍ତା ଶେଷ ହୋଇଛି। ଉଭୟ ପରିବାର ବାହାଘର ପାଇଁ ରାଜି ହୋଇଛନ୍ତି। କିନ୍ତୁ ବାହାଘର ପୂର୍ବରୁ କୌଣସି ନିର୍ବନ୍ଧ କିମ୍ବା ପ୍ରି-ୱେଡିଂ କାର୍ଯ୍ୟକ୍ରମ ହୋଇନାହିଁ।
ପ୍ରିୟା ଜଣେ ବନ୍ଧୁଙ୍କ ଦ୍ୱାରା ରିଙ୍କୁ ସିଂହଙ୍କୁ ଭେଟିଥିଲେ। ବନ୍ଧୁଙ୍କ ବାପା ମଧ୍ୟ ଜଣେ କ୍ରିକେଟର। କିଛି ଦିନର ଦେଖାସାକ୍ଷାତ ପରେ ଉଭୟ ପରସ୍ପରକୁ ପସନ୍ଦ କରିବାରେ ଲାଗିଥିଲେ। ସେମାନେ ପରସ୍ପରକୁ ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ଜାଣିଛନ୍ତି। ସେମାନେ ପରସ୍ପରକୁ ପସନ୍ଦ କରୁଥିଲେ ହେଁ ବାହାଘର ପୂର୍ବରୁ ପରିବାରର ଅନୁମତି ଚାହୁଁଥିଲେ। ଏଥିପାଇଁ ସେମାନେ ନିଜର ପ୍ରେମ ସମ୍ପର୍କକୁ ଲୁଚାଇ ରଖିଥିଲେ। ଏବେ ଉଭୟ ପରିବାର ବାହାଘର ପାଇଁ ରାଜି ହୋଇଛନ୍ତି।
ସଂସଦ ଅଧିବେଶନ ପରେ ବାହାଘର ଓ ନିର୍ବନ୍ଧ ତାରିଖ ଚୂଡ଼ାନ୍ତ କରାଯିବ। ତେବେ ବାହାଘର ଲକ୍ଷ୍ନୌରେ ହିଁ ଅନୁଷ୍ଠିତ ହେବ। ପ୍ରିୟା ସରୋଜ ବାରାଣସୀର କାର୍ତ୍ତିକ ଗାଁରେ ରୁହନ୍ତି। ବେଶ କିଛି ବର୍ଷ ହେଲାଣି ସେ ସପା ସହ ଜଡ଼ିତ। ୨୦୨୪ରେ ସେ ଜୌନପୁର ଅନ୍ତର୍ଗତ ମାଛିଲଶହର ଲୋକସଭେ ଆସନରୁ ବିଜୟୀ ହୋଇ ସଂସଦକୁ ଯାଇଛନ୍ତି।
ସୁପ୍ରିମକୋର୍ଟର ପୂର୍ବତନ ଓକିଲ ପ୍ରିୟା ୨୦୨୨ରେ ନିଜ ବାପାଙ୍କ ପାଇଁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ପ୍ରଚାର କରି ଚର୍ଚ୍ଚାକୁ ଆସିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ଓ ନୋଏଡା ସ୍ଥିତ ଏମିତ୍ୟ ବିଶ୍ୱବିଦ୍ୟାଳୟରୁ ଆଇନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଛନ୍ତି।
ଅନ୍ୟପକ୍ଷରେ ରିଙ୍କୁ ସିଂହ ୨୦୨୩ ଆଇପିଏଲରେ ୟଶ ଦୟାଲଙ୍କୁ ୫ ବଲରେ ୫ ଛକା ମାରି ବେଶ ଚର୍ଚ୍ଚାକୁ ଆସିଥିଲେ। ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଆଇପିଏଲ ଜିତିବା ପଛରେ ରିଙ୍କୁ ସିଂହଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଆଇପିଏଲ ପ୍ରଦର୍ଶନ ଆଧାରରେ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଥିଲା। ଏବେ ସେ ଭାରତୀୟ ଟି-୨୦ ଟିମର ନିୟମିତ ସଦସ୍ୟ।
ଜାନୁଆରୀ ୨୨ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ମଧ୍ୟ ରିଙ୍କୁ ନଜରକୁ ଆସିବେ। ଏହାପରେ ତାଙ୍କୁ ୨୦୨୫ ଆଇପିଏଲରେ ଦେଖିବାକୁ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।