Advertisment

ସିରିଜ୍ ଦୁର୍ଘଟଣା: ୩ ମୃତ, ୧୩ ଆହତ

ଏହି ଦୁର୍ଘଟଣାର ଦୃଶ୍ୟ ନିକଟସ୍ଥ ଏକ ସିସିଟିଭିରେ କଏଦ ହୋଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident

Accident

କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁରରେ ଆଜି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି।

Advertisment

ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏ ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦ୍ରୁତ ଗତି ଓ ଓଭର ଟେକିଂ ଯୋଗୁ ଏହି ସିରିଜ୍‌ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Advertisment

ସିସିଟିଭିରେ ଦେଖିବାକୁ ମିଳିଛି ଗୋଟିଏ ସ୍କୋର୍ପିଓ ଓ ଯାତ୍ରୀବାହୀ ଅଟୋ ଗୋଟିଏ ଦିଗରୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଯାଉଥିଲା। ସ୍କୋର୍ପିଓଟି ଦ୍ରୁତ ଗତିରେ ଆସୁଥିଲା। ସେ ଅଟୋକୁ ଓଭରଟେକ୍‌ କରିବାକୁ ପ୍ରୟାସ କରୁଥିଲା। ସେହି ସମୟରେ ବିପରୀତ ଦିଗରୁ ଏକ ବାଇକ୍ ଦ୍ରୁତ ଗତିରେ ଟ୍ରାକ୍ଟରକୁ ଓଭରଟେକ୍‌ କରି ଯାଉଥିବା ବେଳେ ସ୍କୋର୍ପିଓ ସହିତ ବାଡ଼େଇ ହୋଇଯାଇଥିଲା। ଏହା ପରେ ଭାରସାମ୍ୟ ହରାଇଥିବା ସ୍କୋର୍ପିଓଟି ଏହା ଆଗରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଓଲଟି ପଡ଼ିଥିଲା ଓ ଏଥିରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ବାହାରକୁ ଛିଟିକି ପଡ଼ିଥିଲେ।

ସ୍କୋର୍ପିଓଟି ଅଟୋକୁ ଧକ୍କା ଦେବା ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍ ମଧ୍ୟ ସ୍କୋର୍ପିଓରେ ଜୋରରେ ପିଟି ହୋଇଥିଲେ। ଫଳରେ ସେ ବାଇକ୍ ସହ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। 

Accident Road Accident