/odisha-reporter/media/post_attachments/uploadimage/library/16_9/16_9_0/Fire_1708571172.jpg)
Fire
ଝିଅ ବିବାହ ପାଇଁ ସୁନା ଗହଣାଠାରୁ ଆରମ୍ଭ କରି ସମସ୍ତ ଆସବାବ ପତ୍ର ଘରେ କିଣି ରଖିଥିଲେ। ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଗଲା। ଅଳ୍ପ କିଛି ଦିନ ଝିଅ ବିବାହ ବାକି ଥିବା ବେଳେ କିପରି ଝିଅକୁ ଶାଶୂ ଘରକୁ ପଠାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ। ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ଉତୁକୁଡା ପଞ୍ଚାୟତର ଉତୁକୁଡା ଗାଁରେ।
ରାତିରେ ରବୀନ୍ଦ୍ରଙ୍କ ପରିବାର ଲୋକେ ଘରେ ଶୋଇଥିଲେ। ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁ ଶୀଘ୍ର ଚାରିଆଡେ ବ୍ୟାପି ଯାଇଥିଲା। କିଛି ଘଣ୍ଟାର ଅକ୍ରାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାଯାଇଛି।
ରବୀନ୍ଦ୍ର ଦିନ ମଜୁରିଆ କାମ କରନ୍ତି। ଝିଅ ବିବାହ ପାଇଁ ସଞ୍ଚିଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯିବା ପରେ ସେ ଭାଙ୍ଗି ପଡ଼ିଛନ୍ତି। ରବୀନ୍ଦ୍ରଙ୍କ ପରିବାରକୁ ସରକାର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
