/odisha-reporter/media/post_attachments/uploadimage/library/16_9/16_9_0/Accident_1711623539.jpg)
Accident
ସକାଳୁ ସକାଳୁ ଥାନାରୁ ଆସିଥିଲା ଫୋନ୍ କଲ୍। ଥାନା ବାବୁ ଯାହା କହିଥିଲେ, ତାହା ଶୁଣିବା ପରେ ସ୍ତବ୍ଧ ହୋଇଯାଇଥିଲେ ପୂରା ପରିବାର। କାହା ପାଟିରୁ କିଛି କଥା ବାହାରୁନଥିଲା। କେବଳ ଆଖିରୁ ଝରୁଥିଲା ଲୋହ। ବିକଳ ହୋଇ ଥାନାକୁ ଧାଇଁଲେ।
ବୁଧବାର ସକାଳୁ ସକାଳୁ ସୁବଳୟାର ଗୌରାଙ୍ଗ ମହାପାତ୍ରଙ୍କ ବଡ଼ପୁଅ ବିମଳେନ୍ଦୁଙ୍କ ପାଖକୁ ପୁଇଁନ୍ତଳା ଥାନାରୁ ଫୋନ୍ ଆସିଥିଲା। ସୋନପୁର-ବଲାଙ୍ଗିର ରାସ୍ତାର ଭଦ୍ରାପାଲି ଛକ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ଦିଆଯାଇଥିଲା। ବାଇକ୍ ଓ ସରକାରୀ ବସ୍ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଥାନା ପକ୍ଷରୁ କୁହାଯାଇଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହିମାଂଶୁ ଶେଖର ମହାପାତ୍ର ଓ ଅନ୍ୟ ଜଣକ ହେଉଛନ୍ତି ଡୁଙ୍ଗୁରିପାଲି ଅଂଚଳର ନରେଶ।
ଏ ଦୁଃଖଦ ଖବର ଶୁଣିବା ପରେ ପୂରା ପରିବାର ସ୍ତବ୍ଧ ହୋଇଯାଇଥିଲା। କାରଣ ଭୋର ୪.୩୦ ସମୟରୁ ହିମାଂଶୁ ତା’ର ବନ୍ଧୁ ନରେଶ ସହ ଚାକିରିରେ ଯୋଗଦେବା ପାଇଁ ଲାଂଜିଗଡର ବେଦାନ୍ତ ଅଭିମୁଖେ ବାହାରିଥିଲେ। ହୋଲି ପାଇଁ ଛୁଟି ଥିବାରୁ ସେ ତାଙ୍କର ଅତିପ୍ରୀୟ ବନ୍ଧୁ ନରେଶକୁ ସାଙ୍ଗରେ ଧରି ସୁବଳୟାକୁ ଆସିଥିଲେ। ହୋଲି ପରେ ବୁଧବାର ସକାଳେ ଲାଂଜିଗଡ ଅଭିମୁଖେ ବାହରିଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ଦୁଇ ବନ୍ଧୁ।
ଦୁର୍ଘଟଣାରେ ମୃତ ଯୁବକହିମାଂଶୁ ଓ ନରେଶ ଦୁହେଁ ଥିଲେ ପରମ ବନ୍ଧୁ। ଏକାଠି ରହି ପାଠ ପଢିଥିଲେ। ଉଭୟ ବନ୍ଧୁ ବେଦନ୍ତ ଲାଞ୍ଜିଗଡ଼ରେ ଚାକିରି ମଧ୍ୟ କରିଥିଲେ। ହୋଲିରେ ଦୁଇବନ୍ଧୁ ସାଙ୍ଗହୋଇ ରଙ୍ଗ ଖେଳିଥିଲେ। ହେଲେ କର୍ମସ୍ଥଳକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣବାୟୁ ଉଡିଗଲା। ସବୁଦିନ ପାଇଁ ଉଭୟ ବନ୍ଧୁ ବାପା ମାଆଙ୍କ କୋଳ ଖାଲିକରି ଚାଲିଗଲେ।
ରିପୋର୍ଟ- ସୋନପୁରରୁ ରବୀନ୍ଦ୍ର ହୋତା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
