ବେଶ କିଛି ଦିନ ହେଲାଣି ବିଶ୍ୱ ବଜାର ଅସ୍ଥିରତା ଓ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରୁଛି। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ବିଶ୍ୱ ବଜାର ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। କାରଣ ଟ୍ରମ୍ପ ଶପଥ ପୂର୍ବରୁ ଓ ଶପଥ ନେବା ପରେ କିଛି ଦେଶ ଉପରେ ବାଣିଜ୍ୟ ଶୁଳ୍କ ଲାଗୁ କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ଅନେକ ଦେଶ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। କିନ୍ତୁ ଟ୍ରମ୍ପଙ୍କ ଶୁଳ୍କ ଧମକରେ କିଛି ସତ୍ୟତା ଅଛି ନା ଏହା କେବଳ ଗୋଟିଏ ଭାଷଣ?
ଟ୍ରମ୍ପ କହି ଆସୁଛନ୍ତି ଯେ ସେ ଚାଇନା ଉପରେ ୧୦% ଶୁଳ୍କ, ପଡ଼ୋଶୀ ମେକ୍ସିକୋ ଓ କାନାଡା ଉପରେ ୨୫% ଶୁଳ୍କ ଓ ୟୁରୋପୀୟ ୟୁନିୟନ ଉପରେ ମଧ୍ୟ ୨୫% ଟାରିଫ ଲାଗୁ କରିବେ। ସେ ଭାରତ ସମେତ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଧମକ ଦେଇ ୧୦୦% ଟାରିଫ ଲାଗୁ କରିବେ। ୭୮ ବର୍ଷୀୟ ଟ୍ରମ୍ପ କ୍ଷମତା ଦଖଲ କରିବା ମାତ୍ରେ ଶୁଳ୍କ ଲାଗୁ କରିବେ ବୋଲି କହିଥିଲେ। କିନ୍ତୁ ଏଯାଏ ସେ ସେମିତି କିଛି ବ୍ୟବସ୍ଥା ବିଧିବଦ୍ଧ ଭାବେ ଲାଗୁ କରି ନାହାନ୍ତି। ସେହିପରି ତାଙ୍କ ପ୍ରଶାସନ ଫେବୃଆରୀ ୧ରୁ ଟାରିଫ ବ୍ୟବସ୍ଥା ଲାଗୁ କରି ବୋଲି ସେ ସଙ୍କେତ ଦେଇଛନ୍ତି। ଟ୍ରମ୍ପଙ୍କ ଏପରି ବିଳମ୍ବ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି।
ବାସ୍ତବ ନା ଭାଷଣ?
ବିଶ୍ୱର ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ ଏବେ ୱେଟ ଆଣ୍ଡ ୱାଚ ମୋଡରେ ରହିଛନ୍ତି। ସେ ସମ୍ଭବତଃ ଅଧିକ ନେଣଦେଣ ଡିଲ ପାଇଁ ଲକ୍ଷ୍ୟ ରଖିଛନ୍ତି। ପ୍ରବାସୀ ଓ ଅନ୍ୟ ପ୍ରସଙ୍ଗରେ ସେ ସୁହାଇଲା ଭଳି ଡିଲ୍ ସପକ୍ଷରେ ରହିଥିବା ଜଣାପଡ଼ୁଛି। ବିଶ୍ୱ ଅର୍ଥନୀତି ଫୋରମର ସଭାପତି ବୋର୍ଗେ ବ୍ରେଣ୍ଡେ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ଜଣେ ଡିଲ ମେକର। ସେ ଅଧିକ ଲାଭ ପାଇବା ପାଇଁ ତାଙ୍କର ଶୁଳ୍କ ବୃଦ୍ଧି ରଣନୀତିକୁ ଲାଗୁ କରିପାରନ୍ତି। ବେଳେବେଳେ ସେମାନେ ଟାରିଫ ଲାଗୁ କରି କିମ୍ବା ହଟାଇ କ’ଣ ହେଉଛି ବୋଲି ଜାଣିବାକୁ ଚେଷ୍ଟା କରନ୍ତି ବୋଲି ସେ କହିଛନ୍ତି।
ହ୍ୱାଇଟ ହାଉସ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ନିକଟରେ କହିଥିଲେ ଯେ କାନାଡା ଓ ମେକ୍ସିକୋକୁ ଟ୍ରମ୍ପଙ୍କ ଟାରିଫ ଧମକ କେବଳ ଦୁଇ ଦେଶରୁ ହେଉଥିବା ବେଆଇନ ପ୍ରବେଶ ବିରୋଧରେ ଚାପ ସୃଷ୍ଟି କରିବା। ଦୁଇ ଦେଶରୁ ଆମେରିକାକୁ ହେଉଥିବା ବେଆଇନ ପ୍ରବେଶ ଓ ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ଟ୍ରମ୍ପ ଶୁଳ୍କ ବୃଦ୍ଧି ରଣନୀତି ଆପଣାଇଛନ୍ତି। ଏହାବାଦ ଟ୍ରମ୍ପ ଶୁଳ୍କ ବୃଦ୍ଧି ଧମକ ଦେଇ ୟୁରୋପୀୟ ୟୁନିୟନ ସହ ଆହୁରି ଅଧିକ ଲାଭ ହେବା ଭଳି ଡିଲ୍ କରିବାକୁ ଚାହୁଁଛନ୍ତି। ତେଣୁ ସେ ଟାରିଫ ଧମକ ଦେଇଛନ୍ତି। ସେ ଟାରିଫ ଲାଗୁ କରିବା ବଦଳରେ ୟୁରୋପୀୟ ୟୁନିୟନ ସହ ଲାଭ ହେବା ଭଳି ଡିଲ୍ ଲକ୍ଷରେ ରହିଛନ୍ତି।
ଟ୍ରମ୍ପ କହିଛନ୍ତି, “ୟୁରୋପୀୟ ୟୁନିୟନ ଆମ ପାଇଁ ଅତ୍ୟନ୍ତ ଖରାପ ଆଭିମୁଖ୍ୟ ରଖିଛି। ତେଣୁ ସେମାନେ ଟାରିଫର ସମ୍ମୁଖୀନ ହେବେ। ଆମକୁ ନିରପେକ୍ଷତା ଆବଶ୍ୟକ।”
ଟ୍ରମ୍ପଙ୍କ ଅନିଶ୍ଚିତତା
ଅର୍ଥନୀତିକଙ୍କ ମତରେ ଡୋନାଲ୍ଡ ଟ୍ରମ୍ପ ବାସ୍ତବରେ ବିଶ୍ୱାସ କରୁଛନ୍ତି ଯେ ଅନ୍ୟ ଦେଶଗୁଡ଼ିକୁ ଟାରିଫ ଝଟକା ଦେଲେ ଆମେରିକାର ଅର୍ଥନୀତିକୁ ଫାଇଦା ମିଳିବ। କିନ୍ତୁ ଏହା କେବଳ ଅନିଶ୍ଚିତତା ନୁହେଁ, ବରଂ ବିଶ୍ୱ ଅର୍ଥନୀତି ପାଇଁ ମଧ୍ୟ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିବ।
ଇକ୍ୟୁଟି ଷ୍ଟ୍ରାଟେଜୀର ନିର୍ଦ୍ଦେଶକ କେ ବାଥିନି କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପଙ୍କ ବିବୃତି ପୂରା ବିଶ୍ୱରେ ଅସ୍ଥିର ସୃଷ୍ଟି କରିଛି। ଏଥିସହ ପୂରା ବିଶ୍ୱ ବାଣିଜ୍ୟରେ ଅନିଶ୍ଚିତତା ମଧ୍ୟ ଦେଖିବାକୁ ମିଳିଛି। ଟ୍ରମ୍ପ ଯେହେତୁ ଟାରିଫକୁ ବିଶ୍ୱ ଅଭିଧାନର ସବୁଠାରୁ ସୁନ୍ଦର ଶବ୍ଦ ବୋଲି କହିଛନ୍ତି, ତେଣୁ ଏହା ବିଶୱ ବଜାରରେ ଭୟ ସୃଷ୍ଟି କରିଛି।”
ବାଣିଜ୍ୟ ଶୁଳ୍କର ପ୍ରଭାବ
ବିଶେଷଜ୍ଞମାନେ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି ଯେ ଘୋଷଣା ହୋଇଥିବା ଟାରିଫ ଦ୍ୱାରା ପୂର୍ଣ୍ଣକାଳୀନ ବାଣିଜ୍ୟ ଯୁଦ୍ଧ ସୃଷ୍ଟି କରିବ। ଏହାର ନକାରାତ୍ମକ ପ୍ରଭାବ ସବୁ ଦେଶ ଉପରେ ପଡ଼ିବ। ଟ୍ରମ୍ପଙ୍କ ପ୍ରଥମ ଦଫା ଶାସନ ବେଳେ ଯେସାକୁ ତେସା ନୀତି ଯୋଗୁ ଆମେରିକା ଓ ଚାଇନା ମଧ୍ୟ ବାଣିଜ୍ୟ ଯୁଦ୍ଧ ଦେଖାଦେଇଥିଲା। ଏହାଦ୍ୱାରା ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲେ। ଏବେ ବିଶ୍ୱ ଅର୍ଥନୀତି ଧିମେଇ ଯାଇଥିବା ବେଳେ ପୁଣି ବାଣିଜ୍ୟ ଯୁଦ୍ଧ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ।
ପୂର୍ଣ୍ଣକାଳୀନ ବାଣିଜ୍ୟ ଯୁଦ୍ଧ ଯୋଗୁ ଉଚ୍ଚ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ଦେଖାଯିବ। ବିଶ୍ୱ ଷ୍ଟକ ମାର୍କେଟ କ୍ଷତି ସହିବ। କିଛି ଦେଶ ଆର୍ଥିକ ମାନ୍ଦାବସ୍ଥାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି। ଖାସ ଏହି କାରଣ ପାଇଁ ଟ୍ରମ୍ପ ପ୍ରଶାସନ ବିଧିବଦ୍ଧ ଭାବେ ଶୁଳ୍କ ବୃଦ୍ଧି କରିବାରେ ବିଳମ୍ବ କରୁଛି।
ଟ୍ରମ୍ପଙ୍କ ଟାରିଫରେ ଭାରତ ପ୍ରଭାବିତ ହେବ କି?
ଅନେକ ବିଶ୍ୱସ୍ତରୀୟ ବିଶେଷଜ୍ଞ କହି ସାରିଛନ୍ତି ଯେ ଟ୍ରମ୍ପ ଯଦି ଟାରିଫ ନିଷ୍ପତ୍ତିରେ କାଏମ ରହୁନ୍ତି, ତା’ହେଲେ ଭାରତ ଉପରେ ଏହାର ସେତେଟା ପ୍ରଭାବ ପଡ଼ିବ ନାହିଁ। ବାଣିଜ୍ୟ ହେଉଛି ଦ୍ୱିପାକ୍ଷିକ ଚୁକ୍ତି। ଅର୍ଥାତ ଦୁଇ ଦେଶ ବାଣିଜ୍ୟ କେମିତି ହେବ, ତା’ର ଚୁକ୍ତି କରନ୍ତି। ଏହି ସମୟରେ ଦୁଇ ପକ୍ଷ ନିଜକୁ ଫାଇଦା ଦେବା ଭଳି ରାସ୍ତା ବାଛନ୍ତି। ଟ୍ରମ୍ପ ଶୁଳ୍କ ବୃଦ୍ଧି କଥା ଜାଣିଶୁଣି ଚାଇନା, ବ୍ରାଜିଲ, ମେକ୍ସିକୋ ଓ କାନାଡାକୁ ନଜରରେ ରଖି କହିଛନ୍ତି। କାରଣ ଏହି ଦେଶଗୁଡ଼ିକ ସହ ଆମେରିକାର ବୃହତ୍ତ ଦ୍ୱିପାକ୍ଷିକ ବ୍ୟବସାୟ କରିଥାଏ। କିନ୍ତୁ ଭାରତ ସହ ଦ୍ୱିପାକ୍ଷିକ ବ୍ୟବସାୟ ବେଶ ସୀମିତ। ତେଣୁ ଭାରତ ଉପରେ ଟାରିଫ ନିଷ୍ପତ୍ତି ସୀମିତ ପ୍ରଭାବ ପକାଇବ ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।