ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ଖୁଚୁରା ମୁଦ୍ରାସ୍ଫୀତି ୫.୫% ଛୁଇଁଲା

ଅକ୍ଟୋବର ମାସରେ ଖୁଦ୍ରାସ୍ଫୀତି ୪.୮୭% ରହିଥିଲା। ଏହା ୪ ମାସ ମଧ୍ୟରେ ସର୍ବନିମ୍ନ ଥିଲା।

Representational image

  • Published: Tuesday, 12 December 2023
  • , Updated: 12 December 2023, 08:38 PM IST

ପୁଣିଥରେ ଉପର ମୁହାଁ ହୋଇଛି ଖୁଚୁରା ମୁଦ୍ରାସ୍ଫୀତି। ମହଙ୍ଗା ମାଡ଼ରୁ ଲୋକଙ୍କୁ ମିଳୁନି ଆଶ୍ୱସ୍ତି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ୩ ମାସ ମଧ୍ୟରେ ସବୁଠାରୁ ଉପରେ ପହଞ୍ଚି ଯାଇଛି। ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୫% ରେକର୍ଡ କରାଯାଇଛି। ବିଭିନ୍ନ ପନି ପରିବାର ଓ ଖାଦ୍ୟ ସାମଗ୍ରୀ ଦାମ ବଢ଼ୁଥିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଛି। ନଭେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ରେକର୍ଡ ୮.୭୦% ରହିଛି।

ଅକ୍ଟୋବର ମାସରେ ଖୁଦ୍ରାସ୍ଫୀତି ୪.୮୭% ରହିଥିଲା। ଏହା ୪ ମାସ ମଧ୍ୟରେ ସର୍ବନିମ୍ନ ଥିଲା। ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପାଇବା ଯୋଗୁ ମୁଦ୍ରାସ୍ଫୀତି ହାରରେ ସୁଧାର ଆସିଥିଲା। କିନ୍ତୁ ନଭେମ୍ବରରେ ଏହା ପୁଣି ବଢ଼ିଛି। ମୁଦ୍ରାସ୍ଫୀତି ୫.୫%ରେ ପହଞ୍ଚିଥିଲେ ହେଁ ଏହା ଆରବିଆଇର ଧାର୍ଯ୍ୟ ସୀମା ରେଖା ମଧ୍ୟରେ ରହିଛି।

ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସବୁବେଳେ ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଏବେ ଖୁଚୁରା ମୁଦ୍ରାସ୍ଫୀତି ୫.୫%ରେ ରହିଛି।

ଅକ୍ଟୋବର ଓ ସେପ୍ଟେମ୍ବର ମାସରେ ଆରବିଆଇ ଧାର୍ଯ୍ୟ କରିଥିବା ୬% ତଳେ ଗ୍ରାହକ ଦର ଇଣ୍ଡେକ୍ସ ବା ସିପିଆଇ ରେକର୍ଡ କରାଯାଇଥିଲା। ସେପ୍ଟେମ୍ବର ମାସରେ ସିପିଆଇ ୫.୦୨% ରହିଥିଲା। ଅଗଷ୍ଟରେ ଏହା ଆରବିଆଇ ଧାର୍ଯ୍ୟ ସୀମା ରେଖା ଡେଇଁ ୬.୮୩% ରହିଥିଲା। ଏହାର ଅର୍ଥ ଲୋକମାନେ ଦରବୃଦ୍ଧି ସମସ୍ୟାରେ ପଡ଼ିଥିଲେ। ୨୦୨୨ ଅକ୍ଟୋବର ମାସରେ ଖୁଚାର ମୁଦ୍ରାସ୍ଫୀତି ୬.୭୭% ରେକର୍ଡ କରାଯାଇଥିଲା।

ଶେଷ ଥର ପାଇଁ ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫% ତଳେ ରହିଥିଲା। ଜୁନ ମାସରେ ମୁଦ୍ରାସ୍ଫୀତି ୪.୮୭% ରହିଥିବା ସରକାର କହିଥିଲେ। ଏହାପରେ କ୍ରମାଗତ ଭାବେ ଏହା ବଢ଼ି ଚାଲିଥିଲା। ଜୁଲାଇ ମାସରେ ରେକର୍ଡ ୭.୪୪% ରହିଥିଲା।

ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭% ରହିଥିବା ବେଳେ ମେ’ ମାସରେ ଏହା ୪.୨୫% ରହିଥିଲା। କିନ୍ତୁ ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ପାଇବା ଯୋଗୁ ମୁଦ୍ରାସ୍ଫୀତି ଜୁଲାଇରୁ ପୁଣି ବେକାବୁ ହୋଇଛି। ଅବଶ୍ୟ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହା ସାମାନ୍ୟ କମିଛି।

Related story