Advertisment

ରାତି ଅଧରେ ଗୁଳି ଫୁଟାଇଲେ ଶିକାରୀ, ଦୁଇ ବନ କର୍ମଚାରୀ ଗୁରୁତର

ଜଙ୍ଗଲରେ ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଲେ ଶିକାରୀ ଓ ବନ କର୍ମଚାରୀ। ଶିକାରୀଙ୍କ ଗୁଳି ମାଡ଼ର ଶିକାର ହେଲେ ବନ କର୍ମଚାରୀ।

author-image
Niharika Rout
ଅଦ୍ୟତନ ହୋଇଛି
Firing

Firing

ଜଙ୍ଗଲରେ ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଲେ ଶିକାରୀ ଓ ବନ କର୍ମଚାରୀ। ଆଉ ତା’ ପରେ ଶିକାରୀଙ୍କ ଗୁଳି ମାଡ଼ର ଶିକାର ହେଲେ ବନ କର୍ମଚାରୀ। ଏହି ଗୁଳି ମାଡ଼ ଘଟଣାରେ ୨ ବନ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ଘଟିଛି।

Advertisment

ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ କିଛି ଶିକାରୀ ପଶିଥିବା ଖବର ପାଇ ଗତ ରାତି ପ୍ରାୟ ୮ଟା ବେଳେ ପାଟ୍ରୋଲିଂ ଟିମ୍‌ ଜଙ୍ଗଲକୁ ଯାଇଥିଲେ। ସେଠାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୨ଟା ବେଳେ ସେମାନେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉକ୍ତ ସମୟରେ ଜଙ୍ଗଲରେ ଦୁଇ ଶିକାରୀ ଥିବା ବେଳେ ବନ କର୍ମଚାରୀ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ।

ମାତ୍ର ବନ କର୍ମଚାରୀଙ୍କ କବଳରୁ ମୁକୁଳିବାକୁ ଶିକାରୀଦ୍ୱୟ ଗୁଳିମାଡ଼ କରିଥିଲେ। ଏଥିରେ ୨ ବନ କର୍ମଚାରୀଙ୍କ ଦେହରେ ଗୁଳି ବାଜିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଅଛି। ଆଉ ଜଣେ ବନ କର୍ମଚାରୀ ଡେଇଁ ପଡ଼ିଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି।

Advertisment

ଖବର ପାଇ ତୁରନ୍ତ ବନ ବିଭାଗ ପକ୍ଷରୁ ଗୁରୁତର ଦୁଇ ବନ କର୍ମଚାରୀଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନ ବିଭାଗ।

Balasore Firing