/odisha-reporter/media/post_attachments/uploadimage/library/16_9/16_9_0/IMAGE_1747143895.jpg)
Manas Kumar Dehury
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ବାଂଶପାଳ ବିଡିଓ ରାଜା ରଂଜିତ ପ୍ରତାପ ବଳଙ୍କ ଅଭିଯୋଗ ଆଧାରରେ ପୁଲିସ ବ୍ଲକ ଅଧ୍ୟକ୍ଷଙ୍କୁ ଗିରଫ କରିଛି।
ବିଡିଓ ଅଭିଯୋଗ କରିଛନ୍ତି ଯେ ଗତ ୫ ତାରିଖରେ ବିପ୍ଲବୀ ଧରଣୀଧର ନାୟକଙ୍କ ଜୟନ୍ତୀ ଉତ୍ସବ ସଦର ବ୍ଲକ ଅନ୍ତର୍ଗତ କୁସୁମିତା ଗାଁରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା। ସେହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ସେହି ଦିନ ଅପରାହ୍ନ ପ୍ରାୟ ୨ଟା ବେଳେ ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀ ତାଙ୍କ ସମର୍ଥକଙ୍କ ସହିତ ବ୍ଲକ କାର୍ଯ୍ୟାଳୟକୁ ଆସି କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ସେମାନେ କର୍ମଚାରୀଙ୍କୁ କାର୍ଯ୍ୟାଳୟରୁ ବାହାରି ଯିବା ପାଇଁ କହିବା ସହିତ କାଚ କବାଟ ଭାଙ୍ଗି ଦେଇଥିଲେ। ତା’ ସହିତ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।
ବାଂଶପାଳ ବିଡିଓ ରାଜା ରଂଜିତ ପ୍ରତାପ ବଳଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀ, ତାଙ୍କ ସହଯୋଗୀ ଶୁକଦେବ ମହାକୁଡ଼ ଓ ପଦ୍ମଲୋଚନ ଆରୁଖଙ୍କୁ ଗିରଫ କରିଛି।
ବିପ୍ଲବୀ ଧରଣୀଧର ନାୟକଙ୍କ ଜୟନ୍ତୀ ଉତ୍ସବକୁ ନେଇ ବାଂଶପାଳ ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ପ୍ରସ୍ତୁତି ବୈଠକ ନିମନ୍ତେ ତାଙ୍କୁ ସୂଚନା ଦିଆଯାଇନଥିବା ତଥା ପ୍ରଶାସନ ପକ୍ଷରୁ ବ୍ଲକରେ ଆୟୋଜିତ ହୋଇଥିବା ଧରଣୀଧର ନାୟକଙ୍କ ଜୟନ୍ତୀ ଉତ୍ସବକୁ ତାଙ୍କୁ ନିମନ୍ତ୍ରଣ କରାନଯିବା ଯୋଗୁ ସେ ଏଭଳି ଘଟଣା ଘଟାଇଥିବା ସେହି ଦିନ (ଗତ ୫ ତାରିଖରେ) କହିଥିଲେ। ତା’ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ତାଙ୍କୁ ଡକା ନଯିବାରୁ ଉତକ୍ଷିପ୍ତ ହୋଇ ସେ ଏପରି କରିଥିବା କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
