Advertisment

ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବିଜେପି ବିଧାୟକଙ୍କୁ ୨୫ ବର୍ଷ ଜେଲ୍‌

ଦୁଷ୍କର୍ମ ଘଟଣା ୨୦୧୪ରେ ଘଟିଥିଲା। ହେଲେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ୯ ବର୍ଷ ସମୟ ଲାଗିଗଲା।

author-image
Hemant Lenka
BJP

BJP

ଦୀର୍ଘ ୯ ବର୍ଷ ପରେ ଆସିଛି ରାୟ। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବାର ୯ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଉତ୍ତର ପ୍ରଦେଶର କ୍ଷମତାସୀନ ବିଜେପିର ଜଣେ ବିଧାୟକ। ସେ ଦୋଷୀ ସାବ୍ୟସ୍ତ୍ୟ ହେବା ସହ ତାକୁ ୨୫ ବର୍ଷ ଜେଲ ଦଣ୍ଡ ମିଳିଛି। ୨୫ ବର୍ଷର ଜେଲ ଦଣ୍ଡ ମିଳିଥିବାରୁ ଏବେ ବିଧାୟକ ଜଣଙ୍କ ବିଧାନସଭାରେ ନିଜର ସଦସ୍ୟ ପଦ ହରାଇବେ।

Advertisment

ଦୁଷ୍କର୍ମ ଘଟଣା ୨୦୧୪ରେ ଘଟିଥିଲା। ହେଲେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ୯ ବର୍ଷ ସମୟ ଲାଗିଗଲା। ଏହି ୯ ବର୍ଷ ମଧ୍ୟରେ ପୀଡ଼ିତା ଓ ତାଙ୍କ ପରିବାର ଅନେକ ଘାତପ୍ରତିଘାତ ଦେଇ ଗତି କରିଥିଲେ। ବିଜେପି ବିଧାୟକ ଓ ତାଙ୍କ ସମର୍ଥକମାନେ ଗୋଟିଏ ବର୍ଷ ଧରି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଧମକାଇ ଥିଲେ। ତଥାପି ସେମାନେ ହାର ମାନି ନଥିଲେ।

ଏବେ ନାବାଳିକା ଦୁଷ୍କର୍ମ ମାମଲାରେ ବିଜେପିର ବିଧାୟକ ରାମଦୁଲାରେ ଗୋଣ୍ଡ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାମଦୁଲାରେ ଜଣେ ଆଦିବାସୀ ନେତା। ସେ ସୋନଭଦ୍ରା ଜିଲ୍ଲାରେ ଥିବା ଦୁଧି ନିର୍ବାଚନ ମଣ୍ଡଳୀର ବିଧାୟକ। ଦୁଷ୍କର୍ମ ମାମରେ ଶୁକ୍ରବାର ତାଙ୍କୁ ସାଂସଦ-ବିଧାୟକଙ୍କ ମାମଲାର ବିଚାର ପାଇଁ ଗଠିତ ସ୍ୱତନ୍ତ୍ର କୋର୍ଟ ୨୫ ବର୍ଷର ସଶ୍ରମ କାରଦାଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ତାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଫାଇନ ଲଗାଇଛନ୍ତି।

Advertisment

୨୦୧୪ରେ ରାମଦୁଲାରେଙ୍କ ପତ୍ନୀ ଦୁଧି ନିର୍ବାଚନ ମଣ୍ଡଳୀରେ ଥିବା ଗୋଟିଏ ଗ୍ରାମପଞ୍ଚାୟତର ମୁଖ୍ୟ ଭାବେ କାମ କରୁଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ରାମଦୁଲାରେଙ୍କ ବେଶ ଦବଦବା ରହିଥିଲା। ସେ ନିଜ ପତ୍ନୀଙ୍କ କ୍ଷମତା ବଳରେ ନିଜ ଇଚ୍ଛାରେ ସବୁ କାମ କରୁଥିଲେ। ୨୦୧୪ ନଭେମ୍ବର ୪ରେ ରାମଦୁଲାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ମୟୂରପୋର ପୁଲିସ ଷ୍ଟେସନରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଥିଲା।

ଦୁଷ୍କର୍ମ ମାମଲାରେ ଫସିଥିଲେ ମଧ୍ୟ ରାମଦୁଲାରେଙ୍କୁ ବିଜେପି ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଥିଲା। ଗତବର୍ଷ ସେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ।

ବିଧାୟକ ହୋଇଯିବାରୁ ରାମଦୁଲାରେଙ୍କ ମାମଲା ସୋନଭଦ୍ରାରେ ଥିବା ସାଂସଦ-ବିଧାୟକଙ୍କ ବିଚାର କରିବା ପାଇଁ କୋର୍ଟକୁ ଯାଇଥିଲା। କୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ଦଣ୍ଡବିଧାନ କରିଛନ୍ତି।

ସରକାରୀ ଓକିଲ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି, ବିଧାୟକ ରାମଦୁଲାରେ ଗୋଣ୍ଡ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ନାଁ ପକ୍ସୋ ଆଇନରେ ମାମଲା ହୋଇଥିଲା। ଏହାବାଦ ପ୍ରମାଣ ନଷ୍ଟ କରିବା ଓ ଅନ୍ୟାନ୍ୟ ଅଭିଯୋଗରେ ମଧ୍ୟ ଆଇପିସିର ବିଭିନ୍ନ ଦଫାରେ ତାଙ୍କ ନାଁରେ ମାମଲା ରହିଥିଲା।

ଏଥିପାଇଁ ଏମସି-ଏମଏଲଏ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ଏହଶନ ଉଲ୍ଲା ଖାନ ମାମଲାର ବିଚାର କରି ବିଧାୟକଙ୍କୁ ୨୫ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ କହିଛନ୍ତି। ଜୋରିମାନା ଅର୍ଥ ପୀଡ଼ିତାଙ୍କୁ ଦିଆଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ପୀଡ଼ିତାଙ୍କ ପରିବାର ଲୋକ ରାୟରେ ଖୁସି ବ୍ୟକ୍ତ କରିଛନ୍ତି। ପୀଡ଼ିତାଙ୍କ ଭାଇ କହିଛନ୍ତି, ଏହି ୯ ବର୍ଷ ମଧ୍ୟରେ ରାମଦୁଲାରେ ଗୋଣ୍ତ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କ ମାମଲା ପ୍ରତ୍ୟାହାର ପାଇଁ ଅନେକ ଥର ଧମକ ଦେଇଥିଲେ। ତଥାପି ସେମାନେ ଲଢ଼େଇ ବନ୍ଦ କରି ନଥିଲେ।

Bjp Uttar Pradesh Stop Rape