/odisha-reporter/media/post_attachments/uploadimage/library/16_9/16_9_0/IMAGE_1754398118.jpg)
Sandeep Tiwari and Sandeep Minz
ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନିର୍ଦ୍ଦେଶକ ସନ୍ଦୀପ ତିୱାରୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଏୟାରପୋର୍ଟ ଥାନାରେ ତାଙ୍କ ନାଁରେ ଏଫଆଇଆର ଦେଇଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର କର୍ମଚାରୀ ସଂଘର ସଭାପତି ସନ୍ଦୀପ କୁମାର ମିଞ୍ଜ।
ଝାରସୁଗୁଡ଼ା ବିମାନ ବନ୍ଦରରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ମିଞ୍ଜ ତାଙ୍କ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ କର୍ମଚାରୀମାନଙ୍କ ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରିବା ପାଇଁ ଆଜି ସକାଳ ୧୦ଟା ୪୫ ମିନିଟ୍ରେ ସେ ବିମାନ ବନ୍ଦରର ନିର୍ଦ୍ଦେଶକ ସନ୍ଦୀପ କୁମାର ତିୱାରୀଙ୍କୁ ଭେଟିବାକୁ ଯାଇଥିଲେ। ଆଲୋଚନା ଚାଲିଥିବା ବେଳେ ହଠାତ୍ ଶ୍ରୀ ତିୱାରୀ ଉତ୍ତେଜିତ ହୋଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଘରୁ ଉଠାଇ ନେଇ ମାରିଦେବେ ଓ ଶବ ମିଳିବ ନାହିଁ ବୋଲି କହିଥିଲେ। ତାଙ୍କ ଜାତିକୁ ଆକ୍ଷେପ କରି ଗାଳି କରିଥିଲେ। ତା’ ସହିତ ତାଙ୍କ ମୁହଁକୁ ଦୁଇ ଥର ମୁଥ ମାରିଥିଲେ। ସେ ତଳେ ପଡ଼ିଯିବା ପରେ ଶ୍ରୀ ତିୱାରୀ ତରଙ୍କୁ ଗୋଇଠା ମାରିଥିଲେ। ଫଳରେ ତାଙ୍କ ମୁହଁ, ପିଠି ଓ ଛାତିରେ ଗୁରୁତର ଆଘାତ ଲାଗିଛି। ଶ୍ରୀ ତିୱାର ଏକ ଲୁହାରଡ୍ ଧରି ତାଙ୍କୁ ପିଟିବାକୁ ଅଗ୍ରସର ହେଉଥିବା ବେଳେ ସେ ସେଠାରୁ ପଳାଇ ଆସିଥିଲେ।
କର୍ମଚାରୀ ସଂଘ ସଭାପତି ସେଠାରୁ ସିଧା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ତାଙ୍କ ଦାନ୍ତମୂଳରୁ ରକ୍ତ ବାହାରୁଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ।
ବିମାନ ବନ୍ଦର ନିର୍ଦ୍ଦେଶକ ଶ୍ରୀ ତିୱାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କ ଏଫଆଇଆରରେ ଦାବି କରିଛନ୍ତି ଶ୍ରୀ ମିଞ୍ଜ।ଅନ୍ୟପକ୍ଷରେ ଏହି ଘଟଣା ନେଇ ଶ୍ରୀ ତିୱାରୀ କିମ୍ବା ପୁଲସର ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
