Advertisment

ହାଇଟେକ୍‌ରେ ହାଇଡ୍ରାମା; ନିଜକୁ ଦିଲୀପ କହୁଥିବା ବ୍ୟକ୍ତି ଆଖି ବୁଜିଲେ, କିଏ ନେବ ମୃତଦେହ?

ନିଜକୁ ଦିଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଜଣକ ଆଖି ବୁଜି ସାରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Hitech Hospital

Hitech Hospital

ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଦେଖାଦେଇଥିବା ହାଇଡ୍ରାମା ସରିବା ନାଁ ଧରୁନି । ଏହା ମଧ୍ୟରେ ନିଜକୁ ଦିଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଜଣକ ଆଖି ବୁଜି ସାରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ହାଇଟେକ୍‌ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Advertisment

ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ଗତ ୨୯ ତାରିଖରେ ୪ ଜଣ ଗୁରୁତର ହୋଇଥିବା ବେଳେ ଏବେ ଯାଏ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

ବିସ୍ଫୋରଣରେ ଗୁରୁତର ହୋଇ ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଜଣକ ଗତ ଗୁରୁବାର ରାତିରେ ନିଜ ପରିଚୟ ଜ୍ୟୋତି ମଲ୍ଲିକ ନୁହଁ ଦିଲୀପ ସାମନ୍ତରାୟ ବୋଲି ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ହାଇଡ୍ରାମା। ଗତ ୬ ଦିନ ହେବ ଯେଉଁ ବ୍ୟକ୍ତିଙ୍କୁ ନିଜ ପୁଅ ଜ୍ୟୋତି ବୋଲି ଭାବୁଥିଲେ, ଏହା ଶୁଣି ସେମାନଙ୍କୁ ଶକ୍ତ ଝଟକା ଲାଗିଥିଲା।

Advertisment

ଅପରପକ୍ଷେ, ଦିଲୀପଙ୍କ ପରିବାର ଲୋକେ ଯେଉଁ ମୃତଦେହର ଅନ୍ତିମ ସତ୍କାର କରି ସାରିଛନ୍ତି ତାହାର କାହାର ତା’ ଉପରୁ ଏଯାଏ ପରଦା ହଟିନି। ଜଟଣି ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟ ୨ ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ଗତ ୩୦ ତାରିଖରେ ତାଙ୍କ ବିୟୋଗ ହୋଇଥିବା ଖବର ପାଇବା ପରେ ନୂଆବର୍ଷ ଦିନ ଆତ୍ମହତ୍ୟା କରିଦେଇଥିଲେ ତାଙ୍କ ନବବିବାହିତା ପତ୍ନୀ ସୋନା ସାମନ୍ତରାୟ । ଆସନ୍ତା ଶନିବାର ଉଭୟଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତି ଚାଲିବା ସହ ଦଶାହ କର୍ମ ପାଇଁ ଗଙ୍ଗା କାର୍ଡ ଛପା ସରିଛି।

ହେଲେ ପରେ ଦିଲୀପ ଜୀବିତ ବୋଲି କହିବା ପରେ, ତାଙ୍କ ପରିବାର ଲୋକେ ଯାହାର ମୃତଦେହ ଅନ୍ତିମ ସଂସ୍କାର କଲେ, ତାହା କାହାର ବୋଲି ସନ୍ଦେହରେ ଥିଲେ।  

ଏହାସତ୍ତ୍ୱେ ବି ଭେଣ୍ଟିଲେଟରରେ ଥିବା ଦିଲୀପ ନାମକ ବ୍ୟକ୍ତି ସୁସ୍ଥ ହେଉଥିବା ମେଡିକାଲ ପକ୍ଷରୁ କୁହାଯାଉଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ନୂଆ ଆଶା ଦେଖାଦେଇଥିଲା। ହେଲେ ଏବେ ହଠାତ୍‌ ତାଙ୍କ ମୃତ୍ୟୁ ଖବରକୁ ପରିବାର ଲୋକେ ଗ୍ରହଣ କରି ପାରୁ ନାହାନ୍ତି। ମେଡିକାଲ କର୍ତ୍ତୃପକ୍ଷ ହିଁ ତାଙ୍କୁ ହତ୍ୟା କରିଥିବା ସେମାନେ ସାଂଘାତିକ ଅଭିଯୋଗ କରିଛନ୍ତି।

ତେବେ ଏବେ ମୃତଦେହ କାହାକୁ ହସ୍ତାନ୍ତର କରିବେ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ମୃତଦେହକୁ ନେଇ ବିବାଦ ଦେଖାଦେବା ପରେ ଗତକାଲି ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଜୀବୀତ ଥିବା ବ୍ୟକ୍ତିଙ୍କ ଡିଏନଏ ଟେଷ୍ଟ କରିବା ନିମନ୍ତେ ପୁଲିସ୍‌ ନିକଟରେ ଅପିଲ କରିଥିଲେ। ତେବେ ଆଜି ତାଙ୍କ ମୃତ୍ୟୁ ପରେ ମୃତଦେହ କାହାକୁ ହସ୍ତାନ୍ତର କରାଯିବ, ନା ଡିଏନଏ ଟେଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ ତାହା ଉପରେ ସମସ୍ତଙ୍କ ନଜର।

ଏପଟେ ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଆମକୁ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ ବୋଲି ପରିବାର ଲୋକ ଦାବି କରିଛନ୍ତି ।  

ସେପଟେ ଏହି ସାଂଘାତିକ ଘଟଣାର ତଦନ୍ତ ମୂଳରୁ ଆରମ୍ଭ ହେବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏହାପରେ କାହା ତ୍ରୁଟି ଯୋଗୁ ଜଣେ ନବବିବାହିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ,ତାହା ପୁଲିସ ତଦନ୍ତରୁ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ଏନେଇ ହାଇଟେକ୍‌ ମେଡିକାଲ କଲେଜ ସିଇଓ ଡା. ସ୍ମିତା ପାଢୀ କହିଛନ୍ତି, ଗତକାଲି ରାତିରେ ଦିଲୀପଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଗଲା। ଏହାପରେ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରରେ ରଖାଗଲା। ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ତାଙ୍କ ମୃତ୍ୟୁ ହୋଇଥିଲା। ଆମେ ପୁଲିସ୍‌କୁ ମୃତଦେହ ହସ୍ତାନ୍ତର କରିବୁ । ଏହାପରେ ପୁଲିସ୍‌ ସ୍ଥିର କରିବ, କାହାକୁ ମୃତଦେହ ଦିଆଯିବ ।

Bhubaneswar