ଉତ୍ତର ପ୍ରଦେଶର କାନପୁରରେ ଜଣେ ବ୍ୟକ୍ତିଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରାଯିବା ଘଟଣା ମୀରଟ କାଣ୍ତର ସ୍ମୃତିକୁ ତାଜା କରି ଦେଇଛି। ହତ୍ୟାର ତଦନ୍ତ ଯେତିକି ବଢ଼ୁଛି ଏହା ପଛରେ ଥିବା ଷଡ଼ଯନ୍ତ୍ରର ଖିଅ ସେତିକି ଫିଟିବାରେ ଲାଗିଛି। ପରକୀୟା ପ୍ରୀତି ଓ ହତ୍ୟାର ଶୈଳୀ ପ୍ରାୟ ୩ ମାସ ତଳେ ମୀରଟରେ ଘଟିଥିବା ଘଟଣା ସହ ବେଶ ଖାପ କହୁଛି। ୩ ମାସ ତଳେ ମୀରଟରେ ପରକୀୟା ପ୍ରୀତିରୁ ହୋଇଥିବା ଭୟଙ୍କର ହତ୍ୟାକାଣ୍ଡ ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା।
କାନପୁରରେ ପ୍ରାୟତଃ ସମାନ କାଣ୍ଡ ଘଟିଛି। ଲକ୍ଷ୍ମଣଖେଡା ଗାଁରେ ରହୁଥିବା ଧର୍ମେନ୍ଦ୍ର ପାସିଙ୍କ ମୃତଦେହ ମେ’ ୧୧ ତାରିଖରେ ଘର ପଛ ପଟ ବଗିଚାରୁ ମିଳିଥିଲା। ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଜବତ କରି ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ପତ୍ନୀ ରୀନା ଗାଁର କିଛି ଲୋକଙ୍କୁ ହତ୍ୟା ପାଇଁ ଦାୟୀ କରିଥିଲେ।
ପୁଲିସ୍ ଧର୍ମେନ୍ଦ୍ରଙ୍କ ଦୁଇ ଜଣ ସମ୍ପର୍କୀୟଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା। ତଥାପି ପୁଲିସ୍ ଓ ଫରେନ୍ସିକ ଟିମ ଘଟଣାର ଯାଞ୍ଚ ଜାରି ରଖିଥିଲେ। ତଦନ୍ତ ଜାରି ରହିଥିବା ବେଳେ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଥିଲା।

ଧର୍ମେନ୍ଦ୍ରଙ୍କୁ ତାଙ୍କ ପତ୍ନୀ ରୀନା ଓ ପୁତୁରା ସତୀଶ ମିଳିତ ଭାବେ ହତ୍ୟା କରିଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଧର୍ମେନ୍ଦ୍ରଙ୍କୁ ରୀନା ଓ ସତୀଶଙ୍କ ପ୍ରେମ ସମ୍ପର୍କ ବିଷୟରେ ସୂଚନା ମିଳିଥିଲା। ଏହି କାରଣରୁ ରୀନା ପ୍ରଥମେ ସତୀଶଙ୍କ ଖାଇବାରେ ନିଦ ବଟିବା ମିଶାଇ ଦେଇଥିଲେ। ସେ ଅଚେତ ହେବା ପରେ ସତୀଶଙ୍କୁ ଡାକିଥିଲେ ଓ ବିଳମ୍ବିତ ରାତିରେ ଚୌକାଠ ଦ୍ୱାରା ମୁଣ୍ଡକୁ ପିଟି ହତ୍ୟା କରିଥିଲେ। ରବିବାର ପୁଲିସ୍ ଉଭୟଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା।
ଦିନକୁ ୬୦ରୁ ୧୦୦ ଥର ଫୋନରେ କଥା ହେଉଥିଲେ ରୀନା ଓ ସତୀଶ
ଅତିରିକ୍ତ ଡିସିପି ମହେଶ କୁମାର କହିଛନ୍ତି, ହତ୍ୟାର ଦୁଇ ସପ୍ତାହ ପୂର୍ବରୁ ଧର୍ମେନ୍ଦ୍ରଙ୍କ ସହ କିଛି ଲୋକଙ୍କ ଝଗଡ଼ା ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଅଧିକ ତଦନ୍ତ ପରେ ଜଣାପଡ଼ିଥିଲା ଯେ ଧର୍ମେନ୍ଦ୍ର ପତ୍ନୀ ଓ ପୁତୁରାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା। ଏକଥା ଜାଣିବା ପରେ ଧର୍ମେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ନିୟମିତ ପାଟିତୁଣ୍ଡ ହେଉଥିଲା। ଏହି କାରଣରୁ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା।
ଅଭିଯୁକ୍ତ ହତ୍ୟାକାଣ୍ଡ ପରେ ଘର ଭିତରୁ ଓ ହତ୍ୟାରେ ବ୍ୟବହୃତ ହୋଇଥି ଚୌକାଠରୁ ରକ୍ତ ଛିଟାକୁ ହଟାଇବାକୁ ପୂରା ଚେଷ୍ଟା କରିଥିଲେ। ହେଲେ ଫରେନ୍ସିକ ବିଶ୍ଲେଷଣ ସେମାନଙ୍କର ସବୁ ଯୋଜନାରେ ପାଣି ପକାଇ ଦେଇଥିଲା। ପରବର୍ତ୍ତୀ ଅବସ୍ଥାରେ ଉଭୟଙ୍କୁ ଗିରଫ କରାଯାଇଛି। ହତ୍ୟା, ପ୍ରମାଣ ନଷ୍ଟ ଓ ଷଡ଼ଯନ୍ତ୍ର ଭଳି ବିଭିନ୍ନ ଦଫାରେ ମାମଲା ଉଭୟଙ୍କ ବିରୋଧରେ ରୁଜୁ କରାଯାଇଛି।

ଧର୍ମେନ୍ଦ୍ରଙ୍କ ପତ୍ନୀ ରୀନାଙ୍କ ଫୋନ ତଥ୍ୟ ସମସ୍ତଙ୍କୁ ଚକିତ କରିଛି। ରୀନା ଓ ସତୀଶ ଦିନକୁ ୬୦ରୁ ୧୦୦ ଥର ପରସ୍ପର ସହ କଥା ହେଉଥିଲେ। ସତୀଶ ଓ ରୀନା ସମ୍ପର୍କରେ ଖୁଢ଼ୀ-ପୁତୁରା। କିନ୍ତୁ ସେମାନଙ୍କ ମଧ୍ୟରେ ଥିଲା ଅନୈତିକ ସମ୍ପର୍କ। ବିଭିନ୍ନ ପ୍ରକାରର ଅଶ୍ଳୀଳ ଫଟୋ ମଧ୍ୟ ସେମାନଙ୍କ ଫୋନରୁ ମିଳିଥିଲା। ଏହାକୁ ଆଧାର କରି ପୁଲିସ୍ ଜେରାକୁ ତୀବ୍ର କରିବାରୁ ପୁତୁରା ସତୀଶ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିବା ରୀନା ସ୍ୱୀକାର କରିଥିଲେ।
ଜେରାରୁ ଜଣାପଡ଼ିଥିଲା ଯେ ସତୀଶ ନିଜ ପରିଚୟପତ୍ର ଦେଇ ଦୁଇଟି ସିମ କାର୍ଡ କିଣିଥିଲେ। ଗୋଟିଏ ରୀନାଙ୍କୁ ଦେଇଥିଲେ ଓ ଆଉ ଗୋଟିଏ ନିଜ ପାଖରେ ରଖିଥିଲେ। ଏହି ଫୋନ ନମ୍ବରରେ ଉଭୟ ପରସ୍ପର ସହ କଥା ହେଉଥିଲେ। ଘଟଣା ଦିନ ରାତିରେ ମଧ୍ୟ ଦୁଇ ଜଣ ପରସ୍ପର ସମ୍ପର୍କରେ ରହିଥିଲେ।
ତରକାରୀରେ ନିଦ ବଟିକା ମିଶାଇ ଖାଇବାକୁ ଦେଇଥିଲେ
ପୁଲିସ୍ର ତଦନ୍ତର ସାମ୍ନାକୁ ଆସିଛି ଯେ ଧର୍ମେନ୍ଦ୍ର ଘରେ ସିସିଟିଭି ଲଗାଇବାକୁ ଗହମ ବିକ୍ରି କରି ୨୦ ହଜାର ଟଙ୍କା ରଖିଥିଲେ। ରୀନାଙ୍କ ଅନୈତିକ ସମ୍ପର୍କ ଉପରେ ନଜର ରଖିବାକୁ ସେ ସିସିଟିଭି ଲଗାଇବାକୁ ଚାହୁଁଥିଲେ। ରୀନା ଏକଥା ଜାଣିବା ପରେ ଧର୍ମେନ୍ଦ୍ରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ମେ’ ୧୦ ତାରିଖରେ ରୀନା ସ୍ୱାମୀ ଧର୍ମେନ୍ଦ୍ରଙ୍କ ତରକାରୀରେ ନିଦ ବଟିକା ମିଶାଇ ଦେଇଥିଲେ।
ଏହାକୁ ଖାଇବା ପରେ ଧର୍ମେନ୍ଦ୍ରଙ୍କୁ ନିଦ ଆସିଥିଲା। ଘରେ ଗରମ ହେଉଥିବା କହି ରୀନା ବେଶ ଯୋଜନାବଦ୍ଧ ଭାବେ ତାଙ୍କୁ ପଛ ପଟ ପିଣ୍ଡି ପାଖକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ସହ କଥାବାର୍ତ୍ତା ଆଳରେ ରୀନା ବସି ରହିଥିଲେ। ଏସବୁ ଭିତରେ ଧର୍ମେନ୍ଦ୍ର ଗଭୀର ନିଦକୁ ଚାଲି ଯାଇଥିଲେ।
ଧର୍ମେନ୍ଦ୍ର ବାହାରେ ଶୋଇଥିବା ବେଳେ ଘରେ ରୀନାଙ୍କ ଶାଶୁ ଚନ୍ଦ୍ରାବତୀ ଓ କୋମଳ ଝିଅ ଆନଲ କୁଲର ଲଗାଇ ଶୋଇପଡ଼ିଥିଲେ। ସମସ୍ତେ ଶୋଇଥିବା ବେଳେ ରୀନା ପ୍ରେମିକ ସତୀଶଙ୍କୁ ଡାକିଥିଲେ। ଏହାପରେ ଉଭୟ ଗୋଟିଏ ଓଜନିଆ ଚୌକାଠରେ ଧର୍ମେନ୍ଦ୍ରଙ୍କ ତାଙ୍କ ମୁଣ୍ଡକୁ ଛେଚି ପକାଇ ଥିଲେ। ସେଇଠାରେ ହିଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଚୌକାଠ ଧୋଇବା ମହଙ୍ଗା ପଡ଼ିଲା
ଜେରା ବେଳେ ସତୀଶ ପୁଲିସକୁ କହିଛନ୍ତି ଯେ ହତ୍ୟାରେ ବ୍ୟବହୃତ ଚୌକାଠକୁ ବାଥରୁମକୁ ନେବା ବେଳେ ଅଗଣା ଓ ଘରର ଚଟାଣରେ ରକ୍ତର ଛିଟା ପଡ଼ି ଯାଇଥିଲା। ରକ୍ତ ଛିଟାକୁ ସେ ଓ ରୀନା ଧୋଇବାକୁ ଲାଗିଥିଲେ। ଘର ଓ ଅଗଣା ସଫା କରିବା ପରେ ଉଭୟ ରାତି ସମୟରେ ହିଁ ବାଥରୁମରେ ଗାଧୋଇଥିଲେ। ଏହାପରେ ରୀନା ବଗିଚାକୁ ଯାଇ ଶୋଇ ପଡ଼ିଥିଲେ। ଯେତେବେଳେ ସକାଳୁ ସମସ୍ତେ ଘର ପଛରେ ପଡ଼ିଥିବା ଧର୍ମେନ୍ଦ୍ରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଦେଖୁଥିଲେ ସେତେବେଳେ ସେ ଅଚେତ ହେବାର ନାଟକ ମଧ୍ୟ କରୁଥିଲେ।
ପୁଲିସ୍ ପ୍ରଥମ ପର୍ଯ୍ୟାୟରେ ୩ ସନ୍ଦିଗ୍ଧଙ୍କୁ ଜେରା କରିଥିଲା। କିନ୍ତୁ ଘର ଭିତରୁ ରକ୍ତ ନମୁନା ମିଳିବା ପରେ ପୁଲିସ ହତ୍ୟା ପଛରେ ପରିବାର ଲୋକଙ୍କ ହାତ ଥିବା ସନ୍ଦେହ କରିଥିଲା। ଘର ବ୍ୟତୀତ ଅଗଣା ଓ ବାଥରୁମରୁ ମଧ୍ୟ ପୁଲିସକୁ ରକ୍ତ ନମୁନା ମିଳିଥିଲା।

ରକ୍ତ ନମୁନା ଘର ଭିତରୁ ମିଳିବାରୁ ପୁଲିସ୍ ପରିବାର ଲୋକଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଥିଲା। ଫରେନ୍ସିକ ଯାଞ୍ଚ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଥିଲା। ନିଜକୁ ବଞ୍ଚାଇବା ପାଇଁ ରୀନା ଗାଁର ୩ ଜଣଙ୍କ ନାଁ ମଧ୍ୟ କହିଥିଲେ। ସେମାନଙ୍କ ସହ ଧର୍ମେନ୍ଦ୍ରଙ୍କ ବିବାଦ ଥିବାରୁ ପୁଲିସ୍ ୩ ସନ୍ଦିଗ୍ଧଙ୍କୁ ଜେରା କରିଥିଲା। କିନ୍ତୁ ତଦନ୍ତ ଆଗକୁ ବଢ଼ିବା ପରେ ପୁଲିସ୍ ରୀନା ଓ ସତୀଶଙ୍କ ମିଛର ପର୍ଦ୍ଦାଫାସ କରିବାକୁ ସକ୍ଷମ ହୋଇଥିଲା।

ଏହି ଘଟଣା ମାର୍ଚ୍ଚ ମାସରେ ମୀରଟରେ ଘଟିଥିବା ହତ୍ୟାକାଣ୍ଡ ସହ ମେଳ ଖାଉଛି। ମୀରଟରେ ନୌସେନାର ଜଣେ ପୂର୍ବତନ କର୍ମଚାରୀଙ୍କୁ ତାଙ୍କ ପତ୍ନୀ ପ୍ରେମିକ ସହ ମିଶି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ୧୫ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଦ୍ୱାରା ସିଲ କରି ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।