Advertisment

କ୍ଷମତାର ଅପପ୍ରୟୋଗ: ଦଣ୍ଡିତ ହେବେ ଆଇପିଏସ୍?

ପୁଲିସ୍ ନିର୍ଯାତନାର ଶିକାର ହୋଇଥିବା ପ୍ରଜ୍ଞାପ୍ରକାଶ ସିସିଟିଭି ଫୁଟେଜ, କଲ୍ ରେକର୍ଡିଂ ଓ ଆରଟିଆଇ ତଥ୍ୟ ସହ ଅନେକ ତଥ୍ୟପ୍ରମାଣ ନେଇ ୨୦୨୪ରେ ମଂଚେଶ୍ୱର ଥାନାରେ ୭ ଅଭିଯୁକ୍ତ ପୁଲିସଙ୍କ ବିରୋଧରେ ଅଭିଯୋଗ କଲେ। ସମ୍ଭବତଃ ଚାପରେ ପୁଲିସ୍ ଏଫଆଇଆର ରୁଜୁ କରି ନଥିଲା। ଏହା ବିରୋଧରେ ପ୍ରଜ୍ଞାପ୍ରକାଶଙ୍କ ପତ୍ନୀ ନିଶାରାଣୀ ମହାପାତ୍ର ଗତ ବର୍ଷ ଭୁବନେଶ୍ୱର ଜେଏମ୍ଏଫସି କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଅଦ୍ୟତନ ହୋଇଛି
Police Officers

Police Officers

Advertisment

ସ୍ୱାମୀ ନିଜକୁ ଲୁହାପଥର ପରିବହନ କରୁଥିବା ଏକ ବଡ଼ କମ୍ପାନୀର ଏମଡି ବୋଲି ଦର୍ଶାଇଲେ। କମ୍ପାନୀ ବିଦେଶକୁ ଲୁହାପଥର ରପ୍ତାନୀ କରୁଥିବାର କିଛି ଜାଲ୍ କାଗଜପତ୍ର ଦେଖାଇ ଲୋକଙ୍କଠାରୁ ଟଙ୍କା ନେଲେ। କମ୍ପାନୀରେ ଟଙ୍କା ଖଟାଇଲେ ଅଧିକ ସୁଧ ମିଳିବ ବୋଲି ଲୋକଙ୍କୁ ଲୋଭ ଦେଖାଇଲେ। ଏଥିସହ ସ୍ତ୍ରୀଙ୍କ ସଂସ୍ଥା ଜରିଆରେ ଭୁବନେଶ୍ୱରରେ ଭଲ ଇଣ୍ଟେରିଅର ସହ ଆକର୍ଷଣୀୟ ଭିଲା ଯୋଗାଇ ଦେବାକୁ କହିଲେ। କିସ୍ତିରେ ନେଇଗଲେ ୬ କୋଟି ୨୦ ଲକ୍ଷ ଟଙ୍କା। ସ୍ୱାମୀ ହେଲେ-‘ଲୁମେକ୍ସ ରିସୋର୍ସେସ ପ୍ରାଇଭେଟ ଲିମିଟେଡ’ର ଏମଡି ରାଜୀବ ଲୋଚନ ଦାସ। ଆଉ ସ୍ତ୍ରୀ ହେଲେ ବ୍ରାଇଟ୍ ଡେକର୍ସର ମୁଖ୍ୟ ସୋନିଆ ତ୍ରିପାଠୀ। ଠକାମିର ଶିକାର ହୋଇଥିଲେ ଭୁବନେଶ୍ୱରର ପଟିଆ ଅଂଚଳର ପ୍ରଜ୍ଞାପ୍ରକାଶ ନାୟକ ଓ ତାଙ୍କ ପତ୍ନୀ ନିଶାରାଣୀ ମହାପାତ୍ର।

Advertisment

ବିଭିନ୍ନ କୋର୍ଟ କଚେରୀ ଥାନା ଦୌଡ଼ିବା ପରେ ବି ସେମାନଙ୍କୁ ନ୍ୟାୟ ମିଳିଲା ନାହିଁ। ବରଂ ଅଭିଯୁକ୍ତ ରାଜୀବ ଲୋଚନ ଦାସ ସେତେବେଳର ଭୁବନେଶ୍ୱର ଡିସିପି ତଥା ବର୍ତ୍ତମାନ ଫାୟାର ସର୍ଭିସେସ ଓ ହୋମଗାର୍ଡ଼ସ୍‌ର ଡିଆଇଜି ଥିବା ଉମାଶଙ୍କର ଦାଶଙ୍କ ସଂପର୍କୀୟ ହୋଇଥିବାରୁ କମିଶନରେଟ୍ ପୁଲିସ୍ ଚାପରେ ଚେପା ହୋଇଯାଇଥିଲା ବୋଲି ଅଭିଯୋଗ ଆସିଥିଲା। ଠକାମି ନେଇ ସ୍ୱର ଉଠାଇଥିବା ଭୁବନେଶ୍ୱର ପଟିଆର ପ୍ରଜ୍ଞାପ୍ରକାଶ ନାୟକଙ୍କ ଉପରେ କିଛି ମିଛ କେସ୍ ଲଦି ଦିଆଗଲା ବୋଲି ଅଭିଯୋଗ ଆଣିଲେ ପ୍ରଜ୍ଞାପ୍ରକାଶ ନାୟକ। ପ୍ରଜ୍ଞାପ୍ରକାଶଙ୍କୁ କମିଶନରେଟ୍ ପୁଲିସ୍ ୨୦୨୧ ମସିହାରେ ହଠାତ୍ ଉଠାଇ ନେଲା ଓ ଦୁଇ ଦିନ କାଳ ନିର୍ଯାତନା ଦେଲା ପରେ ଜେଲ ପଠାଇ ଦେଲା। ତାଙ୍କ ସ୍ତ୍ରୀଙ୍କ ପ୍ରତିବାଦକୁ ବି ଶୁଣିନଥିଲା ପୁଲିସ୍।

ପୁଲିସ୍ ନିର୍ଯାତନାର ଶିକାର ହୋଇଥିବା ପ୍ରଜ୍ଞାପ୍ରକାଶ ସିସିଟିଭି ଫୁଟେଜ, କଲ୍ ରେକର୍ଡିଂ ଓ ଆରଟିଆଇ ତଥ୍ୟ ସହ ଅନେକ ତଥ୍ୟପ୍ରମାଣ ନେଇ ୨୦୨୪ରେ ମଂଚେଶ୍ୱର ଥାନାରେ ୭ ଅଭିଯୁକ୍ତ ପୁଲିସଙ୍କ ବିରୋଧରେ ଅଭିଯୋଗ କଲେ। ସମ୍ଭବତଃ ଚାପରେ ପୁଲିସ୍ ଏଫଆଇଆର ରୁଜୁ କରି ନଥିଲା। ଏହା ବିରୋଧରେ ପ୍ରଜ୍ଞାପ୍ରକାଶଙ୍କ ପତ୍ନୀ ନିଶାରାଣୀ ମହାପାତ୍ର ଗତ ବର୍ଷ ଭୁବନେଶ୍ୱର ଜେଏମ୍ଏଫସି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ମଞ୍ଚେଶ୍ୱର ଥାନା ପୁଲିସ୍ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ନ କରିବାରୁ କୋର୍ଟ ଏବେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା ବିଏନଏସଏସ୍ ଧାରା-୨୨୩ (୧) ବଳରେ ମାମଲାକୁ ନିଜ ହାତକୁ ବିଚାର ପାଇଁ ନେଇଛନ୍ତି। ଏହି କ୍ରମରେ ଆଇପିଏସ୍ ପୁଲିସ୍ ଅଫିସର ଉମାଶଙ୍କର ଦାଶଙ୍କ ସମେତ ୭ ପୁଲିସ ଏପ୍ରିଲ ୨୨ ତାରିଖରେ କୋର୍ଟରୁ ନୋଟିସ୍ ଗ୍ରହଣ କରିଛନ୍ତି।

Advertisment

ଅଭିଯୋଗକାରିଣୀ ନିଶାରାଣୀଙ୍କ ଓକିଲ ବଳରାମ ନାୟକ କହିଛନ୍ତି- ଅଭିଯୁକ୍ତ ରାଜୀବ ଲୋଚନ ଦାସ ସେତେବେଳର ଡିସିପି ଉମାଶଙ୍କର ଦାଶଙ୍କ ସଂପର୍କୀୟ ଥିଲେ। ଉମାଶଙ୍କର ମୋର ମହକିଲ (ପ୍ରଜ୍ଞାପ୍ରକାଶ)ଙ୍କୁ କମ୍ପ୍ରମାଇଜ୍ କରିବାକୁ କହୁଥିଲେ। ସେ ରାଜି ନହେବାରୁ ତାଙ୍କୁ ମାଡ଼ ମାରି ଦୁଇ ଦିନ କାଳ ଏସିପି ସ୍ପେଶାଲ ସ୍କ୍ୱାଡ୍‌ରେ ନିର୍ଯାତନା ଦିଆଗଲା। ତା’ ପରେ ସେ ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ ପରେ ପ୍ରଜ୍ଞାପ୍ରକାଶଙ୍କ ଘରକୁ ପୁଲିସ୍ ଅଫିସରମାନଙ୍କୁ ପଠାଗଲା। ପ୍ରଜ୍ଞାପ୍ରକାଶଙ୍କୁ ପୁଲିସ୍ କାହିଁକି ଅପହରଣ କରିଛି ସେ ସଂପର୍କରେ ତାଙ୍କ ସ୍ତ୍ରୀ ନିଶାରାଣୀ ପ୍ରଶ୍ନ କଲାରୁ- ପୁଲିସ୍ ଅଫିସରମାନେ କହିଲେ, ଆମେ କିଛି କହିପାରିବୁନି, ଡିସିପିଙ୍କୁ ପଚାରନ୍ତୁ। ତା’ ପରେ ସେ ପୁଲିସର ନିର୍ଯାତନା ବିରୋଧରେ ମଞ୍ଚେଶ୍ୱର ଥାନାରେ ଆଇପିଏସ୍ ଅଫିସର ଉମାଶଙ୍କର ଦାଶ ଓ ଅନ୍ୟ ୬ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ଭୁବନେଶ୍ୱର ଜେଏମଏଫସି-୨ କୋର୍ଟରେ ଅଭିଯୋଗ ମାମଲା ଦାଏର କରିଥିଲେ। ମଞ୍ଚେଶ୍ୱର ଥାନାର ଆଇଆଇସିଙ୍କୁ ବାରମ୍ବାର ନୋଟିସ୍ ପରେ, ମାନ୍ୟବର ବିଚାରପତି ଏହାର କଗନିଜାନସ୍‌ ନେଇଥିଲେ। ଏବେ ଉମାଶଙ୍କରଙ୍କ ସମେତ ୭ ପୁଲିସ ଅଧିକାରୀ ଏପ୍ରିଲ ୨୨ ତାରିଖରେ କୋର୍ଟରୁ ନୋଟିସ୍ ଗ୍ରହଣ କରିଛନ୍ତି। ଆସନ୍ତା ମେ’ ୩ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି।

Odishaସୋନିଆ ଓ ରାଜୀବ (ଫାଇଲ ଫଟୋ)

ଅନ୍ୟ ପଟରେ ଭୁବନେଶ୍ୱର ବାର ଆସୋସିଏସନ୍ର ସମ୍ପାଦକ ସତ୍ୟ ରଞ୍ଜନ ସେନାପତି କହିଛନ୍ତି- ଆଇନରୁ କେହି ଊର୍ଦ୍ଧ୍ୱ ରେ ନୁହନ୍ତି। କୋର୍ଟଙ୍କ ନୋଟିସକୁ ଗ୍ରହଣ ନକଲେ ୱାରାଣ୍ଟ ଜାରି କରାଯାଇପାରିବ। ଜେଏମଏଫସି କୋର୍ଟଙ୍କର କଗନିଜାନସ ନେବା, ଚାର୍ଜଫ୍ରେମ କରିବା ଓ ଦରକାର ପଡ଼ିଲେ ଉପର କୋର୍ଟକୁ କମିଟ୍‌ମେଣ୍ଟ କରିବାର କ୍ଷମତା ରହିଛି।‘

‘ଲୁମେକ୍ସ ରିସୋର୍ସେସ ପ୍ରାଇଭେଟ ଲିମିଟେଡ’ର ଏମଡି ରାଜୀବ ଲୋଚନ ଦାସ ଓ ତାଙ୍କ ପତ୍ନୀ ସୋନିଆ ତ୍ରିପାଠୀଙ୍କ ବିରୋଧରେ ମିଡିଆରେ ଅନେକ ରିପୋର୍ଟ ପ୍ରକାଶ ପାଇଲା ପରେ ଓ ଏକଥା ବିଧାନସଭାରେ ଉଠିବା ପରେ ବହୁ ବିଳମ୍ବରେ କ୍ରାଇମବ୍ରାଂଚର EOW ଶାଖା ମାମଲାକୁ ହାତକୁ ନେଇଥିଲା। ୨୦୨୩ ମାର୍ଚ୍ଚ ମାସରେ ରାଜୀବ ଲୋଚନ ଦାସ ଓ ୨୦୨୪ରେ ସୋନିଆ ତ୍ରିପାଠୀଙ୍କୁ ବି ଗିରଫ କରିଥିଲା। ସେମାନେ ଏବେ ବି ଚୌଦ୍ୱାର ଜେଲରେ ଅଛନ୍ତି। ପୁଲିସର ନିର୍ଯାତନା ସଂକ୍ରାନ୍ତ ମାମଲା ଏବେ ଭୁବନେଶ୍ୱର ଜେଏମ୍ଏଫସି କୋର୍ଟ-2ରେ ବିଚାରାଧୀନ ରହିଥିବାବେଳେ ମେ ୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ଏବେ ଦେଖିବାର କଥା ଅଭିଯୁକ୍ତ ପୁଲିସ୍ ଅଫିସରମାନଙ୍କ ବିରୋଧରେ କି ପ୍ରକାର ଆଇନଗତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏ ନେଇ ଆମେ ଫାୟାର ସର୍ଭିସେସ ଓ ହୋମଗାର୍ଡ଼ସ୍‌ର ଡିଆଇଜି ଥିବା ଉମାଶଙ୍କର ଦାଶଙ୍କ ପ୍ରତିକ୍ରିୟା ପାଇବା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ। ମାତ୍ର ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

(ରିପୋର୍ଟ: କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ ଲକ୍ଷ୍ବୀନାରାୟଣ କାନୁନଗୋ)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe