Advertisment

ପାର୍ବଣରେ ୧୪୩୫ ଲିଟରରୁ ଅଧିକ ପୋଚ ନଷ୍ଟ, ମାଫିଆ ଚମ୍ପଟ

ଚଢ଼ଉ ସମୟରେ ମଦ ପ୍ରସ୍ତୁତି ସାମଗ୍ରୀ ସହିତ ପ୍ରାୟ ୧୦୦ ଲିଟର ଦେଶୀ ମଦ, ୪୧ଟି ପ୍ଲାଷ୍ଟିକ ଡ୍ରମରେ ମହଜୁଦ ଥିବା ୧୪୩୫ ଲିଟର ମହୁଲ ପୋଚ, ୭ଟି ବଡ ଆଲୁମିନିୟମ ଡେକ୍‌ଚି ଓ ଗୋଟିଏ ସାଇକେଲ ଜବତ କରାଯାଇଅଛି।

author-image
Manoranjan Sial
Police

Police

ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ଚାଲିଥିଲା ମହୁଲି। ଭଲ ରୋଜଗାର ପାଇଁ ଆଶା ରଖିଥିଲେ ମାଫିଆ। ହେଲେ ଫସର ଫଟାଇଦେଲା ପୁଲିସ୍‌। ଆଜି ଭୋରୁ ଭୋରୁ ଅଚାନକ ପୁଲିସ୍‌ ଚଢ଼ଉ କରି ୧୪୩୫ ଲିଟରରୁ ଅଧିକ ମହୁଲ ପୋଚନଷ୍ଟ କରିଛି। ହେଲେ ପୁଲିସ୍‌କୁ ଦେଖି ଚମ୍ପଟ ମାରିଲେ ମଦ ମାଫିଆ।

Advertisment

କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୋର ସମୟରେ ଆଠଗଡ଼ ଥାନା ପୁଲିସ କୋରଙ୍ଗା ଗାଁରେ ବଡ଼ ଧରଣର ଚଢ଼ଉ କରିଥିଲା। ଚଢ଼ଉ ସମୟରେ ମଦ ପ୍ରସ୍ତୁତି ସାମଗ୍ରୀ ସହିତ ପ୍ରାୟ ୧୦୦ ଲିଟର ଦେଶୀ ମଦ, ୪୧ଟି ପ୍ଲାଷ୍ଟିକ ଡ୍ରମରେ ମହଜୁଦ ଥିବା ୧୪୩୫ ଲିଟର ମହୁଲ ପୋଚ, ୭ଟି ବଡ ଆଲୁମିନିୟମ ଡେକ୍‌ଚି ଓ ଗୋଟିଏ ସାଇକେଲ ଜବତ କରାଯାଇଅଛି। ପୁଲିସକୁ ଦେଖି ମଦ ମାଫିଆମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଜବତ ପୋଚକୁ ପୁଲିସ ନଷ୍ଟ କରିଛି।

ଏହି ଚଢଉରେ କଟକ ଗ୍ରାମାଞ୍ଚର ଅତିରିକ୍ତ ଏସ୍‌ପି ଦେବଦତ୍ତ ବରାଳ, ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ଆଠଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଅନିରୁଦ୍ଧ ମୁଦୁଲି, ଏସ୍‌ଆଇ ଦିଲ୍ଲୀପ କୁମାର ବେହେରା, ଏସ୍‌ଆଇ ଜନ୍ମିତା ଶାସମଲ, ଏଏସ୍‌ଆଇ ସତ୍ୟପ୍ରିୟ ବରାଳଙ୍କ ସହିତ ପୁଲିସ ଫୋର୍ସ ସାମିଲ ଥିଲେ। ଏ ସମ୍ବନ୍ଧରେ ଆଠଗଡ଼ ଥାନାରେ ଅବକାରୀ ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି।

Advertisment

ସମାନ ସମୟରେ ଡାଲୁଆ ଜଙ୍ଗଲରେ ଚୌଦ୍ଵାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଖୁଣ୍ଟୁଣୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ବିପୁଳ ପରିମାଣରେ ମହଜୁଦ ଥିବା ପୋଚ ନଷ୍ଟ କରାଯାଇଛି। ଚଳିତ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ମଦ ମାଫିଆଙ୍କ ଉପରେ ଆଗାମୀ ଦିନରେ ଚଢଉ ଜାରି ରହିବ ବୋଲି ପୁଲିସ କହିଛି।

Cuttack