Advertisment

ଦଲାଲଙ୍କୁ ସାବଧାନ! ଆବଶ୍ୟକ ପ୍ଲେଟ୍ ନମିଳିବାରୁ କଲେ ଏମିତି କାମ, ବାନ୍ଧିଲା ପୁଲିସ

ଅଜୟ ଏତେ ସଂଖ୍ୟକ ବ୍ଲଡ ପ୍ଲେଟଲେଟ କେଉଁଠୁ ଆଣିଲେ, ସେ ଦିଗରେ ତଦନ୍ତ କରାଯାଉଥିବା କହିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର।

author-image
Jitendra Garnayak
Platelate

Platelate

ରୋଗୀଙ୍କ ଜୀବନ ସହ ଖେଳ। ବ୍ଲଡ୍ ପ୍ଲେଟଲେଟ୍ ଦେବା ନାଁରେ ଠକେଇ ଅଭିଯୋଗ। ଭୁଲ ପ୍ଲେଟଲେଟ୍ ଦେଇ ଟଙ୍କା ଠକେଇ ଅଭିଯୋଗରେ ଜଣେ ଦଲାଲଙ୍କୁ ବାନ୍ଧିଛି କଟକ ସଦର ଥାନା ପୁଲିସ। ଗିରଫ ଦଲାଲଙ୍କ ଠାରୁ ୬ ପ୍ୟାକେଟ ବ୍ଲଡ ପ୍ଲେଟଲେଟ ଜବତ କରିଛି ପୁଲିସ।

Advertisment

କଟକ ମହାନଦୀ ବିହାରରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ AB ନେଗେଟିଭ ପ୍ଲେଟଲେଟ ଆବଶ୍ୟକ ଥିଲା। ସେଥିପାଇଁ ତାଙ୍କ ସମ୍ପର୍କୀୟମାନେ ବିଡ଼ାନାସୀ ଅଞ୍ଚଳରେ ଭଡ଼ାରେ ରହୁଥିବା ବାପି ଓରଫ ଅଜୟ କୁମାର ନାୟକଙ୍କୁ ବ୍ଲଡ ପ୍ଲେଟଲେଟ ପାଇଁ କହିଥିଲେ। ୬ଟି ପ୍ଲେଟଲେଟକୁ ୬୦୦୦ ଟଙ୍କା ନେବେ ବୋଲି କହିଥିଲେ ଅଜୟ।

ରୋଗୀଙ୍କର ଏବି ନେଗେଟିଭ ବ୍ଲଡ ପ୍ଲେଟଲେଟ ଆବଶ୍ୟକ ଥିବାବେଳେ ତାଙ୍କୁ ଏବି ପଜିଟିଭ ପ୍ଲେଟଲେଟ ଦେଇଥିଲେ ଅଜୟ। ଏହାକୁ ବ୍ୟବହାର କରି ହେବ ନାହିଁ ବୋଲି ଡାକ୍ତର କହିଥିଲେ। ଏହା ପରେ ସଂପୃକ୍ତ ରୋଗୀଙ୍କ ତରଫରୁ ଉକ୍ତ ପ୍ଲେଟଲେଟକୁ ଅଜୟଙ୍କୁ ଫେରାଇ ଦିଆଯାଇଥିଲା ଓ ନେଗେଟିଭ ପ୍ଲେଟଲେଟ ଦେବା ପାଇଁ କୁହାଯାଇଥିଲା।

Advertisment

ଅଜୟଙ୍କ ପାଖରେ ନେଗେଟିଭ ବ୍ଲଡ୍ ପ୍ଲେଟଲେଟ ନଥିବାରୁ ସେହି ବ୍ଲଡ ପ୍ଲେଟଲେଟ ପ୍ୟାକେଟ୍ ଉପରେ ନେଗେଟିଭ ବୋଲି ଲେଖି ଦେଇଥିଲେ ଓ ସେଗୁଡ଼ିକୁ ସଂପୃକ୍ତ ରୋଗୀଙ୍କୁ ଦେଇଥିଲେ। କିନ୍ତୁ ଅଜୟଙ୍କ କାରସାଦି ଧରିଥିଲେ ଡାକ୍ତର। ସେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏ କଥା କହିଥିଲେ। ଏନେଇ ରୋଗୀଙ୍କ ସମ୍ପର୍କୀୟ ସଦର ଥାନାରେ ଏତଲା ଦେବାପରେ ପୁଲିସ ଅଭିଯୁକ୍ତ ଅଜୟଙ୍କୁ ଗିରଫ କରିଛି। ତେବେ ଅଜୟ ଏତେ ସଂଖ୍ୟକ ବ୍ଲଡ ପ୍ଲେଟଲେଟ କେଉଁଠୁ ଆଣିଲେ, ସେ ଦିଗରେ ତଦନ୍ତ କରାଯାଉଥିବା କହିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର।