ପଞ୍ଚଭୂତରେ ବିଲୀନ ହୋଇଯାଇଛି କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। କଟକସ୍ଥିତ ଖାନନଗର ମଶାଣୀରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯାଇଥିଲା ଅନ୍ତିମ ସତ୍କାର। କାରଣ ତାଙ୍କର ଶେଷ ଇଚ୍ଛା ଥିଲା ଏହି ମଶାଣୀରେ ଶେଷ ସତ୍କାର ହେବ। ହେଲେ ବିଦ୍ୟୁତ ଚୁଲା ଅଚଳ ଥିବାରୁ କାଠରେ ଜୁଇ ସଜଡ଼ା ଯାଇଥିଲା। ମୁଖାଗ୍ନି ଦେଇଥିଲେ ତାଙ୍କ ପୁତୁରା ଦେବ କୁମାର ଦାସ। ଅନ୍ତିମ ସତ୍କାର ପରେ ଆଜି ତାଙ୍କୁ ଝୁରୁଛି କଟକ ମାଟିର ଆକାଶ, ପାଣି ଓ ପବନ। ଏବେ ଶୂନଶାନ ହୋଇଯାଇଛି ବିଶ୍ୱ ସାହିତ୍ୟ ସାଧନାର ଘର ଚନ୍ଦ୍ରଭାଗା। ନୀରବି ଯାଇଛି ସାରା ସହର।
ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। ଇଂରାଜୀ ଭାଷାରେ କବିତା ପାଇଁ ପ୍ରଥମ ଭାରତୀୟ କବି ଭାବେ ପାଇଥିଲେ ସାହିତ୍ୟ ଏକାଡେମୀ ପୁରସ୍କାର। ତାଙ୍କ କୃତୀ ମଧ୍ୟରେ ରହିଛି ଇଣ୍ଡିଆନ ସମର୍, ହଙ୍ଗର ଓ ରିଲେସନସିପ୍ ଭଳି ବହୁ କାବ୍ୟ ଓ କବିତା। ୨୦ରୁ ଅଧିକ ଇଂରାଜୀ କବିତା ସଂକଳନ ଓ ୭ରୁ ଅଧିକ ଓଡ଼ିଆ କବିତା ସଂକଳନ ଉତୁରିଛି ତାଙ୍କ ଲେଖନୀରୁ।
ପତ୍ନୀ ଜ୍ୟୋତ୍ସ୍ନା ଦାସଙ୍କ ପରଲୋକ ପରେ ଏକୁଟିଆ ଅନୁଭବ କରୁଥିବା ଜୟନ୍ତ ୨୦୦୮ ମସିହାରେ ଲେଖିଥିଲେ ଏକ ଭାବପୂର୍ଣ୍ଣ ଚିଠି। ଯେଉଁଥିରେ ରହିଥିଲା ତାଙ୍କର ଶେଷ ଇଚ୍ଛା। ଜୟନ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ଶେଷ ଇଚ୍ଛା ଅନୁଯାୟୀ, କବର ଦିଆନଯାଇ ତାଙ୍କ ମରଶରୀରକୁ ଦାହ କରାଯାଇଥିଲା। ସେହିପରି ଜୟନ୍ତଙ୍କ ଘରୋଇ ସହାୟିକା ସ୍ୱର୍ଗତ ଜେ. ସରୋଜିନୀଙ୍କ ପାଇଁ ଘର ତିଆରି କରାଯାଇଛି। ଯେଉଁଠି ଏବେ ତାଙ୍କ ପୁଅ ରହୁଛନ୍ତି।
୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। କଟକ ଷ୍ଟୁଆର୍ଟ ସ୍କୁଲରୁ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ ପାଟନା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏମଏସସି ଡିଗ୍ରୀ ହାସଲ କରିଥିଲେ। ତା’ପରେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ସେ ଗଙ୍ଗାଧର ମେହେର କଲେଜ, ଫକିର ମୋହନ ମହାବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ତେବେ ୧୯୮୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ।