Advertisment

ଗାଳ୍ପିକ ଓ ସାମ୍ୱାଦିକ ଅମରେଶ ବିଶ୍ୱାଳ ପାଇବେ ‘ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ୨୦୨୩’

ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅମରେଶ ବିଶ୍ୱାଳ ପେସାରେ ଜଣେ ଟିଭି ସାମ୍ବାଦିକ ହୋଇଥିଲେ ମଧ୍ୟ ଗଳ୍ପ ଏବଂ ଉପନ୍ୟାସ ଲିଖନ କ୍ଷେତ୍ରରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି।

author-image
Jitendra Garnayak
Amaresh Biswal

Amaresh Biswal

ଚଳିତ ବର୍ଷର ସମ୍ମାନଜନକ ‘ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା’ ପାଇବାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଗାଳ୍ପିକ ତଥା ବରିଷ୍ଠ ସାମ୍ବାଦିକ ଅମରେଶ ବିଶ୍ୱାଳ। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ସମ୍ମାନଜନକ ପୁରସ୍କାର ପ୍ରସିଦ୍ଧ ଲେଖକ ଭୁବନେଶ୍ୱର ବେହେରାଙ୍କ ସ୍ମୃତିରେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ମାନଙ୍କୁ ପ୍ରଦାନ କରାଯାଇ ଆସୁଛି।

Advertisment

ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅମରେଶ ବିଶ୍ୱାଳ ପେସାରେ ଜଣେ ଟିଭି ସାମ୍ବାଦିକ ହୋଇଥିଲେ ମଧ୍ୟ ଗଳ୍ପ ଏବଂ ଉପନ୍ୟାସ ଲିଖନ କ୍ଷେତ୍ରରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ୫ଟି ଉପନ୍ୟାସ, ୬ଟି ଗଳ୍ପ, ଗୋଟିଏ ଭ୍ରମଣ ଉପନ୍ୟାସ, ଗୋଟିଏ ପ୍ରବନ୍ଧ ଓ ଗୋଟିଏ କବିତା ପୁସ୍ତକ ପ୍ରକାଶ ପାଇସାରିଛି। ସେ ମଧ୍ୟ ୨ଟି ମିଳିତ ଉପନ୍ୟାସର ସହଲେଖକ।

ଅମରେଶ ବିଶ୍ୱାଳଙ୍କ ପ୍ରମୁଖ ପୁସ୍ତକଗୁଡ଼ିକ ଭିତରେ ରହିଛି- ମଧ୍ୟବିତ୍ତ (ଉପନ୍ୟାସ), ପାପ (ଉପନ୍ୟାସ), ଆତ୍ମନ (ଗଳ୍ପ), ସ୍ପେଶାଲ୍ ରିପୋର୍ଟ (ଗଳ୍ପ), ପ୍ରେମିକାର ସାନ ଭଉଣୀ (ଗଳ୍ପ) ପ୍ରଭୃତି। ନିଜ ଲେଖା ପାଇଁ ସେ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ରାଜଧାନୀ ପୁସ୍ତକମେଳା ପୁରସ୍କାର, ଟାଇମ୍ ପାସ୍ ବୁକର୍ ପୁରସ୍କାର, ପଶ୍ଚିମା ଉପନ୍ୟାସ ପୁରସ୍କାର, ଜଗଦୀଶ ଯୁବ ପୁରସ୍କାର, କଥାକଳିକା ଯୁବ ପୁରସ୍କାର, ଜ୍ଞାନଦା ଗଳ୍ପ ପୁରସ୍କାର ପ୍ରମୁଖ ୨୦ରୁ ଅଧିକ ପୁରସ୍କାର ପାଇଛନ୍ତି।

Advertisment

୧୯୭୨ ମସିହାରେ ଯାଜପୁର ଜିଲ୍ଲାର ରାଛିପୁର ଗ୍ରାମରେ ଜନ୍ମିତ ଅମରେଶ ବିଶ୍ୱାଳ ଗତ ୩୦ ବର୍ଷ ଧରି ଖବରକାଗଜ, ଟିଭି ଓ ଡିଜିଟାଲ ଗଣମାଧ୍ୟମରେ କାମ କରିଆସୁଛନ୍ତି। ବର୍ତ୍ତମାନ ସେ ଓଟିଭିରେ ଡେପୁଟୀ ଏଡିଟର ଭାବେ କାର୍ଯ୍ୟରତ।

ଆଗାମୀ ୧୪ ତାରିଖରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଭବାନୀପାଟଣାରେ ଅନୁଷ୍ଠିତ ଦେବାକୁ ଥିବା ସ୍ୱତନ୍ତ୍ର ମହାବୀର ମହୋତ୍ସବରେ ଶ୍ରୀ ବିଶ୍ୱାଳଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ସୂଚନା ଦେଇଛନ୍ତି।

Amaresh Biswal