ଶିକ୍ଷକ, ଭିତ୍ତିଭୂମି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗର ଅଭାବ ଭିତରେ ବାଲେଶ୍ୱର ଜିଲ୍ଲାରେ ଥିବା ବିଦ୍ୟାଳୟଗୁଡ଼ିକରେ ରହିଛି ପ୍ରଧାନଶିକ୍ଷକଙ୍କର ଅଭାବ। ଜିଲ୍ଲାରେ ପ୍ରାୟ ଅଧା ସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ। ଜିଲ୍ଲାରେ ୪୮୪ଟି ସ୍କୁଲ ଥିବା ବେଳେ ସେଥିରୁ ୨୨୭ଟିରେ ନାହାନ୍ତି ପ୍ରଧାନଶିକ୍ଷକ।
ଜିଲ୍ଲାରେ ୪୮୪ଟି ସ୍କୁଲରୁ ୨୫୦ଟି ହେଉଛି ସଂପୂର୍ଣ୍ଣ ସରକାରୀ। ଏହି ସ୍କୁଲଗୁଡ଼ିକ ମଧ୍ୟରୁ ୧୦୨ଟିରେ ଖାଲି ପଡ଼ିଛି ପ୍ରଧାନଶିକ୍ଷକ ପଦବୀ। ସେହିପରି ୭୬ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲ ରହିଥିବା ବେଳେ ସେଥିରୁ ୬୨ଟିରେ ନାହାନ୍ତି ପ୍ରଧାନଶିକ୍ଷକ। ଜିଲ୍ଲାରେ ୧୫୮ଟି ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଥିବା ବେଳେ ୬୪ଟିରେ ନାହାନ୍ତି ପ୍ରଧାନଶିକ୍ଷକ।
ପ୍ରଧାନଶିକ୍ଷକ ନଥିବା ସ୍କୁଲଗୁଡ଼ିକର ପରିଚାଳନା ଭାର ନ୍ୟସ୍ତ ହୋଇଛି ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଉପରେ। ଆଉ କିଛି ସ୍ଥାନରେ ଜଣେ ପ୍ରଧାନଶିକ୍ଷକଙ୍କୁ ଏକାଧିକ ସ୍କୁଲର ଦାୟିତ୍ୱ ଦିଆଯାଇଛି।
ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀ ତନୟା ଗିରି କହିଛନ୍ତି, ଯେଉଁ ସ୍କୁଲଗୁଡ଼ିକରେ ପ୍ରଧାନଶିକ୍ଷକ ପଦବୀ ଖାଲି ଅଛି, ସେଠାକାର ବରିଷ୍ଠ ଶିକ୍ଷକମାନେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି। ସରକାରୀ ସ୍ତରରେ ଗ୍ରେଡେସନ ଲିଷ୍ଟ ପ୍ରସ୍ତୁତ କରାଯାଉଛି। ତେଣୁ ଶିକ୍ଷକମାନେ ପଦୋନ୍ନତି ପାଇଲେ ପ୍ରଧାନଶିକ୍ଷକ ପଦବୀଗୁଡ଼ିକ ପୂରଣ ହେବ ବୋଲି ଆମେ ଆଶା କରୁଛୁ।
ଶିକ୍ଷାଦାନ ଉପରେ ପଡ଼ୁଛି ନକାରାତ୍ମକ ପ୍ରଭାବ
ବାଲେଶ୍ୱରର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଦଲ ଚନ୍ଦ୍ର ପାତ୍ର କହିଛନ୍ତି, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ହେଲେ ବିଦ୍ୟାଳୟଗୁଡ଼ିକରେ ପ୍ରଧାନଶିକ୍ଷକ ରହିବା ନିହାତି ଆବଶ୍ୟକ। ଓଡ଼ିଶା ତଥା ବାଲେଶ୍ୱରରେ ତିନି ପ୍ରକାରର ସ୍କୁଲ ଅଛି। ଗୋଟିଏ ହେଲା ସରକାରୀ, ଆଉ ଗୋଟିଏ ହେଲା ପୂର୍ଣ୍ଣ ଅନୁଦାନ ଓ ତୃତୀୟଟି ହେଲା ନୂତନ ଅନୁଦାନପ୍ରାପ୍ତ ସ୍କୁଲ। ବାଲେଶ୍ୱରରେ ସରକାରୀ ସ୍କୁଲ ସହିତ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲଗୁଡ଼ିକରୁ ଅନେକରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। ଜଣେ ପ୍ରଧାନଶିକ୍ଷକ ସ୍କୁଲର କର୍ମଚାରୀ, ମ୍ୟାନେଜମେଣ୍ଟ, ସଂପୃକ୍ତ ଅଞ୍ଚଳର ବୁଦ୍ଧିଜୀବୀ, ପ୍ରଶାସନ ଓ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସେତୁ ବନ୍ଧ ବାନ୍ଧି ଅନୁଷ୍ଠାନଟିକୁ ଆଗକୁ ନିଅନ୍ତି। ତା’ ସହିତ ସ୍କୁଲର ଗୁଣାତ୍ମକ ଶିକ୍ଷାପ୍ରତି ଗୁରୁତ୍ୱ ଦିଅନ୍ତି। ଯଦି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରହିବେ ନାହିଁ, ତା’ହେଲେ ଏହି ସମନ୍ୱୟ ରହିବ ନାହିଁ। ଶିକ୍ଷାର ବିକାଶ କେମିତି ହେବ? ପ୍ରଧାନଶିକ୍ଷକ ନରହିଲେ ସେହି ଅନୁଷ୍ଠାନର ଶିକ୍ଷାଦାନର ମାନଦଣ୍ଡ ନିହାତି କମିବ। ତେଣୁ ପିଲାମାନେ ଘରୋଇ ସ୍କୁଲକୁ ପଳଉଛନ୍ତି। କେବଳ ପ୍ରଧାନଶିକ୍ଷକ ନୁହନ୍ତି, ଜିଲ୍ଲାରେ ଅନ୍ୟ ଶିକ୍ଷକମାନଙ୍କର ମଧ୍ୟ ଅଭାବ ରହିଛି। ପ୍ରଧାନଶିକ୍ଷକଙ୍କ ଅଭାବ ଅତି ସାଂଘାତିକ ଅବସ୍ଥାରେ ପହଞ୍ଚିଛି। ସରକାର ଏ ଦିଗରେ ପଦକ୍ଷେପ ନନେଲେ ଶିକ୍ଷାର ବିକାଶ ହୋଇପାରିବ ନାହିଁ। ଏହା ଶିକ୍ଷାକୁ ଅଣଦେଖା କଲା ଭଳି କଥା ହେବ। ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ କିପରି ନିଯୁକ୍ତ ହେବେ, ସେଥିପ୍ରତି ଶିକ୍ଷା ବିଭାଗ ପଦକ୍ଷେପ ନେବା ଉଚିତ୍।
ଚିନ୍ତାରେ ଅଭିଭାବକ
ବାଲେଶ୍ୱର ଅଭିଭାବକ ସଂଘ ସଂପାଦକ ଗିରିଜା ଶଙ୍କର ଦାସ କହିଛନ୍ତି, ପ୍ରଧାନଶିକ୍ଷକ ପଦଟି ଯଦି ଆବଶ୍ୟକ ନାହିଁ, ତା’ହେଲେ ସେହି ପଦଟିକୁ କାହିଁକି ରଖାଯାଇଛି? ଘରେ ମୁରବୀ ନରହିଲେ କିଛି କାମ ହୋଇପାରିବ କି? ବିଶୃଙ୍ଖଳା ସୃଷ୍ଟି ହେବ ଓ ସବୁ ପ୍ରକାର ଅସୁବିଧା ଦେଖାଦେବ। ସରକାର କାହିଁକି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି, ତାହା ବୁଝି ହେଉ ନାହିଁ। ପ୍ରଧାନଶିକ୍ଷକ ବଦଳରେ ଶିକ୍ଷକମାନଙ୍କୁ ପ୍ରଧାନଶିକ୍ଷକ ଇନ୍ଚାର୍ଜ ଭାବେ ରଖାଯାଉଛି। ସେହି ପ୍ରଧାନଶିକ୍ଷକ ଇନଚାର୍ଜମାନଙ୍କୁ ଅନ୍ୟ ଶିକ୍ଷକମାନେ ମାନୁନାହାନ୍ତି। ପ୍ରଧାନଶିକ୍ଷକ ଇନଚାର୍ଜମାନେ କିଛି ନିଷ୍ପତ୍ତି ମଧ୍ୟ ନେଇପାରନ୍ତି ନାହିଁ। ଏହା ଫଳରେ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକର ଉନ୍ନତି ହେଉ ନାହିଁ କି ପାଠପଢ଼ା ବି ଠିକାଠାକ ହେଉ ନାହିଁ। ଖାଲି ଖାଦ୍ୟ, ଜୋତା ଆଦି ଦେଲେ କ’ଣ ହେବ? ଶିକ୍ଷକ ତ ନାହାନ୍ତି।
(ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନାଙ୍କ ରିପୋର୍ଟ)
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।