କର୍ପୋରେଟଙ୍କୁ ରିହାତି ଓ ଋଣଛାଡ଼ ମାଗଣା ରାବିଡ଼ି କି?

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିର୍ବାଚନୀ ପ୍ରତିଶ୍ରୁତି ନାଁରେ ରାଜନୈତିକ ଦଳମାନେ ଜନଗଣଙ୍କୁ ଯେଉଁ ମାଗଣା ବଣ୍ଟନର ଘୋଷଣା କରୁଛନ୍ତି ତାହା ଅତ୍ୟନ୍ତ ଉଦବେଗଜନକ ଏବଂ ତାହା ଦେଶର ଅର୍ଥନୀତିକୁ ସଙ୍କଟଗ୍ରସ୍ତ କରିଦେବ ବୋଲି ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ନିକଟରେ ମତପ୍ରକାଶ କରିଛନ୍ତି। ଜନୈକ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲାର ବିଚାର କରି ତତ୍କାଳୀନ ମୁଖ୍ୟ ନ୍ୟାୟାଧୀଶ ଏମ୍ ଭି ରାମାନ୍ନା ରାଜନୈତିକ ଦଳମାନଙ୍କ ଏଭଳି ଅଭ୍ୟାସ ବନ୍ଦ ହେବା ସମ୍ପର୍କରେ ଦେଶବ୍ୟାପୀ […]

tax

Debendra Prusty
  • Published: Tuesday, 13 September 2022
  • , Updated: 13 September 2022, 05:24 PM IST
  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିର୍ବାଚନୀ ପ୍ରତିଶ୍ରୁତି ନାଁରେ ରାଜନୈତିକ ଦଳମାନେ ଜନଗଣଙ୍କୁ ଯେଉଁ ମାଗଣା ବଣ୍ଟନର ଘୋଷଣା କରୁଛନ୍ତି ତାହା ଅତ୍ୟନ୍ତ ଉଦବେଗଜନକ ଏବଂ ତାହା ଦେଶର ଅର୍ଥନୀତିକୁ ସଙ୍କଟଗ୍ରସ୍ତ କରିଦେବ ବୋଲି ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ନିକଟରେ ମତପ୍ରକାଶ କରିଛନ୍ତି। ଜନୈକ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲାର ବିଚାର କରି ତତ୍କାଳୀନ ମୁଖ୍ୟ ନ୍ୟାୟାଧୀଶ ଏମ୍ ଭି ରାମାନ୍ନା ରାଜନୈତିକ ଦଳମାନଙ୍କ ଏଭଳି ଅଭ୍ୟାସ ବନ୍ଦ ହେବା ସମ୍ପର୍କରେ ଦେଶବ୍ୟାପୀ ବିତର୍କ ହେବା ଦରକାର ବୋଲି କହିଛନ୍ତି।

ଦେଶରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଦିଆଯାଉଥିବା ମାଗଣା ବଣ୍ଟନକୁ ପ୍ରଶ୍ନ କରିବାରେ ସୁପ୍ରିମକୋର୍ଟ ଏକା ନୁହଁନ୍ତି। କିଛି ଦିନ ତଳେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶରେ ଆୟୋଜିତ ନିଜର ଦୁଇଟି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ସାଧାରଣ ଜନତାଙ୍କୁ ଦିଆଯାଉଥିବା ସୁବିଧାକୁ 'ମାଗଣା ରାବିଡ଼ି' ବୋଲି ପରିହାସ କରି ବିରୋଧୀ ଦଳମାନଙ୍କୁ ସେଥିପାଇଁ ଦାୟୀ କରିବା ଦେଖାଯାଇଛି। ତେବେ ସରକାର ଦ୍ୱାରା ସାଧାରଣ ଜନତାଙ୍କୁ ଦିଆଯାଉଥିବା ବିଭିନ୍ନ ସହାୟତାକୁ ପ୍ରଧାନମନ୍ତ୍ରୀ ‘ମାଗଣା ରାବିଡ଼ି' କହି ତା'ଉପରେ ଯେଉଁ ଆକ୍ରମଣ କରିଛନ୍ତି ତାହା ଯେତିକି ଉଦ୍ଦେଶ୍ୟମୂଳକ ସେତିକି ଛଳନାପୂର୍ଣ୍ଣ ମନେହୁଏ। କାରଣ କେବଳ ବିରୋଧୀ ଦଳ ନୁହଁନ୍ତି, ସାଧାରଣ ଜନତାଙ୍କ ଭୋଟ ପାଇବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟରେ ଥିବା ତାଙ୍କ ଦଳର ସରକାର ମାଗଣା ବଣ୍ଟନର ଏହି ରାବିଡ଼ିକୁ ବାଣ୍ଟିବାରେ ପଛରେ ନାହାନ୍ତି। କେବଳ ଫରକଟି ହେଲା, ସେ କେନ୍ଦ୍ର ସରକାର ଦେଉଥିବା ବିଭିନ୍ନ ସହାୟତାକୁ ‘କଲ୍ୟାଣକାରୀ ଯୋଜନା' ବୋଲି କହୁଥିବା ବେଳେ ବିରୋଧୀ ଦଳ ଶାସିତ ସରକାରମାନଙ୍କ ବିଭିନ୍ନ ଯୋଜନାକୁ ଅନାବଶ୍ୟକ ’ମାଗଣା ରାବିଡ଼ି' ବୋଲି କହୁଛନ୍ତି।

ଉଦାହରଣ ସ୍ୱରୂପ କେନ୍ଦ୍ର ସରକାର ନିଜର ପିଏମ୍-କିଷାନ୍ ଯୋଜନାରେ ଦେଶର କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କାର ନଗଦ ସହାୟତା ଦେଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଏହା ‘ମାଗଣା ରାବିଡ଼ି' ହୋଇ ନଥିବା ବେଳେ ବିରୋଧୀ ଦଳ ଶାସିତ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ କୃଷକଙ୍କୁ ଦିଆଯାଉଥିବା ଅନୁରୂପ ସହାୟତା କୁଆଡ଼େ ‘ମାଗଣା ରାବିଡ଼ି'ରେ ଆସୁଛି।

ଅସଲ କଥାଟି ହେଲା, ପ୍ରଧାନମନ୍ତ୍ରୀ ‘ମାଗଣା ରାବିଡ଼ି' ନାଁରେ କଲ୍ୟାଣକାରୀ ଯୋଜନାକୁ ଦୁଇଟି ଉଦ୍ଦେଶ୍ୟ ନେଇ ଟାର୍ଗେଟ୍ କରିବାକୁ ଚାହୁଁଛନ୍ତି। ପ୍ରଥମତଃ ସେ ନିଜର କର୍ପୋରେଟ୍ ସପକ୍ଷବାଦୀ ନୀତି ଦୃଷ୍ଟିରୁ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ବନ୍ଦ କରି ସରକାରଙ୍କ ଆର୍ଥିକ ସଙ୍କଟକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି। ଏହା ସହ ସେ ରାଜ୍ୟ ସରକାରମାନଙ୍କ ଯୋଜନାଗୁଡ଼ିକୁ ଟାର୍ଗେଟ୍ କରି ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏକାଧିକାର ଚାହୁଁଛନ୍ତି। କାରଣ ଆମ୍ ଆଦମୀ ପାର୍ଟି ପରି କିଛି ବିରୋଧୀ ଦଳ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ଯେଉଁ ପ୍ରତିଶୃତି ଦେଉଛନ୍ତି, ତାହା ସାଧାରଣ ଜନତା ବିଶେଷ କରି ସହରୀ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଭୋଟରଙ୍କୁ ଆକୃଷ୍ଟ କରିବା ଦେଖାଯାଉଛି। ଯଦିଓ ବିଜେପି ଦଳ ମଧ୍ୟ ଗତ ନିର୍ବାଚନରେ ଉତ୍ତର ପ୍ରଦେଶରେ ମାଗଣାରେ ଦୁଇ ଶହ ୟୁନିଟ୍ ବିଜୁଳି ଦେବାକୁ ପ୍ରତିଶୃତି ଦେବାକୁ ବାଧ୍ୟ ହୋଇଥିଲା, କିନ୍ତୁ ତାକୁ ସାରା ଦେଶରେ କରିବା ତା' ପାଇଁ ସମ୍ଭବ ହେଉନି।

ଅତଏବ ଅନେକ ରାଜ୍ୟରେ ସରକାରରେ ରହିଥିବା ବିରୋଧୀ ଦଳଙ୍କ ଉପରୋକ୍ତ ମାଗଣା ଯୋଜନାକୁ ଟାର୍ଗେଟ୍ କରି କେବଳ କେନ୍ଦ୍ର ସରକାରଙ୍କ ଯୋଜନାକୁ ହିଁ ଚଳାଇ ରଖିବାକୁ ଚାହୁଁଛନ୍ତି। ଫଳରେ ଯାହା ବି ସରକାରୀ ସହାୟତା ମିଳୁଛି, ତାହା କେନ୍ଦ୍ର ସରକାର ହିଁ ଦେଉଛନ୍ତି ବୋଲି ସାଧାରଣ ଜନତାଙ୍କ ଭିତରେ ଏକ ଧାରଣା ସୃଷ୍ଟି କରିହେବ ଏବଂ ତାଦ୍ୱାରା ଭୋଟ ହାସଲ କରିହେବ ବୋଲି ପ୍ରଧାନମନ୍ତ୍ରୀ ଭାବୁଛନ୍ତି। ଗତ ଉତ୍ତର ପ୍ରଦେଶ ନିର୍ବାଚନ ସମୟରେ ସେ ଏକ ସଭାରେ ଗରିବ ଲୋକଙ୍କୁ ଉପଲବ୍ଧ ପାଞ୍ଚ କିଲୋ ଚାଉଳକୁ ଲକ୍ଷ୍ୟ କରି, ‘ଆମେ ମୋଦିର ଲୁଣ ଖାଉଛୁ ତେଣୁ ତାଙ୍କୁ ହିଁ ଭୋଟ ଦେବୁ ବୋଲି ଲୋକେ କହୁଛନ୍ତି' ବୋଲି ଖୋଲାଖୋଲି ଭାବେ କହିବା ଦେଖିବାକୁ ମିଳିଥିଲା। ସେହିପରି ଦେଶରେ ଜନଧନ ଖାତା ହେଉ ଅଥବା ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମୁଣ୍ଡପିଛା ପାଞ୍ଚ କିଲୋ ଖାଦ୍ୟଶସ୍ୟ ପ୍ୟାକେଟରେ ହେଉ ଅଥବା କୋଭିଡ଼ି ଟୀକାକରଣ ସାର୍ଟିଫିକେଟରେ ହେଉ, ସବୁଥିରେ ନିଜର ଫଟୋକୁ ଲଗାଇ ସେ ଯେ ତା'ର ରାଜନୈତିକ ଶ୍ରେୟ ନେବାକୁ ଚାହୁଁଛନ୍ତି, ତାହା ଏକଦମ୍ ସ୍ପଷ୍ଟ ହୋଇଯାଉଛି।

ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା, ତଥାକଥିତ ‘ମାଗଣା ରାବିଡ଼ି' ବୋଲି କାହାକୁ କୁହାଯିବ ସେ ନେଇ କୌଣସି ସ୍ପଷ୍ଟ ଧାରଣା ନାହିଁ। ଏପରିକି ଖୋଦ୍ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ କେହି ମଧ୍ୟ ଏନେଇ ସ୍ପଷ୍ଟ ନୁହଁନ୍ତି। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଖୋଦ୍ ତତ୍କାଳୀନ ମୁଖ୍ୟ ବିଚାରପତି କହିଥିଲେ ଯେ ‘ମାଗଣା ରାବିଡ଼ି' ସହ ‘କଲ୍ୟାଣକାରୀ ଯୋଜନା'ଗୁଡ଼ିକୁ ମିଶାଇବା ଠିକ୍ ହେବନି। ଏଠାରେ ପ୍ରଶ୍ନ ଉଠେ, କ'ଣ ମନରେଗା ଯୋଜନାରେ ଦିଆଯାଉଥିବା ଅର୍ଥକୁ ବି ‘ମାଗଣା ରାବିଡ଼ି' ବୋଲି କୁହାଯିବ? ବରଂ ଏହି ଯୋଜନାରେ ଗରିବ ମଣିଷଟିର ମର୍ଯ୍ୟାଦାପୂର୍ଣ୍ଣ ଆୟକୁ ନିଶ୍ଚିତ କରାଯାଇ ପାରୁଛି। ଠିକ୍ ସେହିପରି ମାଗଣାରେ ଧନ୍ଦାମୂଳକ ଶିକ୍ଷା ଯୋଗାଇବା ବି ‘ମାଗଣା ରାବିଡ଼ି' ନୁହେଁ। ଗରିବ କୃଷକର ଆୟକୁ ବୃଦ୍ଧି କରିବା ପାଇଁ ବିହନ, ସାର ଓ ଜଳସେଚନ ଆଦିରେ ଦିଆଯାଉଥିବା ସରକାରୀ ସହାୟତା ବା ସବସିଡ଼ିକୁ ବି କଦାପି ଖଇରାତି ବୋଲି କୁହାଯାଇ ନପାରେ। ସେହିପରି ବିନା ମୂଲ୍ୟରେ ପିଇବା ପାଣି ଯୋଗାଇବା ଅଥବା ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବାକୁ କ'ଣ ‘ମାଗଣା ରାବିଡ଼ି' ବୋଲି କୁହାଯିବ? ଯେତେବେଳେ ସରକାର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଶିକ୍ଷା ଯୋଗାନ୍ତି ଅଥବା ସାଇକେଲ କିମ୍ବା ଲାପ୍‌ଟପ୍ ମାଗଣାରେ ଯୋଗାନ୍ତି, ମହିଳାମାନଙ୍କୁ ବସ୍‌ରେ ମାଗଣାରେ ଯିବାର ବ୍ୟବସ୍ଥା କରାନ୍ତି, ତାହା କଦାପି ଅନାବଶ୍ୟକ ଖର୍ଚ୍ଚ ନୁହେଁ ବରଂ ମାନବ ବିକାଶରେ ସହାୟକ ହୋଇଥାଏ। ଅତିତରେ ଉଜ୍ୱଳା ଯୋଜନାରେ ଗରିବ ପରିବାରମାନଙ୍କୁ  ଦିଆଯାଇଥିବା ଗ୍ୟାସ୍ ସଂଯୋଗ କୁହନ୍ତୁ ଅଥବା ଗ୍ରାମ୍ୟ ବିଦ୍ୟୁତିକରଣ ବା ଗୃହ ଯୋଗାଣ କୁହନ୍ତୁ, ଏସବୁ ଯୋଜନା ସାଧାରଣ ଜନତାଙ୍କ ଜୀବନର ସ୍ତରକୁ ଉନ୍ନତ କରିବାରେ ଏକ ନିଶ୍ଚିତ ଭୂମିକା ଗ୍ରହଣ କରିଛି। କିନ୍ତୁ ସେସବୁକୁ ‘ମାଗଣା ରାବିଡ଼ି' କହି ଅନାବଶ୍ୟକ ଖର୍ଚ୍ଚ ବୋଲି ବନ୍ଦ କରିବାକୁ ଚିନ୍ତା କରିବା କଦାପି ଏକ ଜନ ସପକ୍ଷବାଦୀ ପଦକ୍ଷେପ ହୋଇନପାରେ।

ଏଠାରେ ପ୍ରଶ୍ନ ଉଠେ, ସରକାର ସାଧାରଣ ଲୋକଙ୍କୁ ଯେଉଁ ମାଗଣା ବଣ୍ଟନ କରୁଛନ୍ତି, ତାହା କାହାର ଅର୍ଥ? କାରଣ ଦେଶରେ ଶ୍ରମଜୀବୀ ଲୋକମାନେ ହିଁ ଶ୍ରମକରି ସମ୍ପଦ ସୃଷ୍ଟି କରିଥାନ୍ତି। ସେହି ସମ୍ପଦର ଏକ ଛୋଟ ଭାଗକୁ ସେମାନେ ମଜୁରୀ ଆକାରରେ ପାଉଥିବା ବେଳେ ସିଂହ ଭାଗଟି ପୁଞ୍ଜପତ୍ତିଙ୍କ ପକେଟକୁ ଯାଇଥାଏ। ତେବେ ସରକାର ନିଜର ରାଜକୋଷ ପାଇଁ ପୁଞ୍ଜିପତ୍ତିଙ୍କଠାରୁ ଟିକସ ଆକାରରେ ଏକ ଛୋଟ ଭାଗ ଆଦାୟ କରୁଥିବା ବେଳେ ବଡ଼ ଭାଗଟି ସାଧାରଣ ଜନତାଙ୍କ ମଜୁରୀରୁ ପରୋକ୍ଷ ଟିକସ ରୂପେ ଆଦାୟ କରିଥାନ୍ତି। ବିଶ୍ୱର ଉନ୍ନତ ଦେଶମାନଙ୍କରେ ସରକାରଙ୍କ ଟିକସ ଆୟର ସିଂହ ଭାଗଟି ପୁଞ୍ଜିପତ୍ତି ଓ ଧନୀ ବର୍ଗଙ୍କଠାରୁ ଆଦାୟ କରାଯାଉଥିବା ପ୍ରତ୍ୟକ୍ଷ ଟିକସ ହୋଇଥିବା ବେଳେ ଆମ ଦେଶରେ ତା'ର ଠିକ୍ ଓଲଟା ଦେଖିବାକୁ ମିଳେ। ଦେଶର ମୋଟ ଟିକସର ୬୫-୬୭% ବା ଦୁଇ ତୃତୀୟାଂଶ ପରୋକ୍ଷ ଟିକସ ହୋଇଥିବା ବେଳେ ବଳକା ଧନୀ ଓ ପୁଞ୍ଜିପତ୍ତିଙ୍କଠାରୁ ଆଦାୟ କରାଯାଉଥିବା ପ୍ରତ୍ୟକ୍ଷ ଟିକସ। ମୋଦିଙ୍କ ଗତ ଆଠ ବର୍ଷର ଶାସନ କାଳରେ ପେଟ୍ରୋଲ, ଡିଜେଲ ଉପରେ ତଥା ବିଭିନ୍ନ ଜିନିଷ ପତ୍ର ଉପରେ ଜିଏସ୍‌ଟିକୁ ବଢ଼ାଇ ସରକାର ସାଧାରଣ ଜନତାଙ୍କଠାରୁ ପରୋକ୍ଷ ଟିକସର ଆଦାୟକୁ ଲଗାତାର ଭାବେ ବଢ଼ାଇ ଚାଲିଛନ୍ତି। ଏଭଳି ସ୍ଥିତିରେ ସରକାର ବିଭିନ୍ନ ଯୋଜନାରେ ସାଧାରଣ ଜନତାଙ୍କୁ ଯେଉଁ ସହାୟତା ପ୍ରଦାନ କରୁଛନ୍ତି, ତାହା ସେମାନଙ୍କ ଟିକସ ପଇସାରୁ ହିଁ ଆସିଛି ଏବଂ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଉଦ୍ଦିଷ୍ଟ। ଅତଏବ ଏହାକୁ ‘ମାଗଣା ରାବିଡ଼ି' କହି ଅନାବଶ୍ୟକ ଖର୍ଚ୍ଚ ବୋଲି କିପରି କୁହାଯାଇପାରେ?

ଅସଲ କଥା ହେଲା, ପ୍ରଧାନମନ୍ତ୍ରୀ ଦେଶର ଗରିବ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଦିଆଯାଉଥିବା ସହାୟତାକୁ ଅନାବଶ୍ୟକ ସବସିଡ଼ି ବା ଖର୍ଚ୍ଚ ବୋଲି କହୁଥିବା ବେଳେ ଦେଶର ବଡ଼ ବଡ଼ କର୍ପୋରେଟମାନଙ୍କୁ ଦିଆଯାଉଥିବା ଅଯାଚିତ ସହାୟତା ନେଇ ଏକଦମ୍ ଚୁପ୍ ରହିଛନ୍ତି। ଦେଶର ଧନୀ ଓ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀକୁ ବିଭିନ୍ନ ପ୍ରକାର କର, ଟିକସ ଓ ବ୍ୟାଙ୍କ୍ ଋଣ ଛାଡ଼ କରି ସରକାର ସେମାନଙ୍କୁ ବିପୁଳ ଆର୍ଥିକ ଫାଇଦା ପହଂଚାଇବା ସହିତ ରାଜକୋଷର କ୍ଷତି କରିଛନ୍ତି। ୨୦୦୭-୦୮ ବେଳେ ଉପା ସରକାର ସମୟରେ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥାର ଦ୍ୱାହି ଦେଇ ଦେଶର କର୍ପୋରେଟମାନଙ୍କୁ ବାର୍ଷିକ ୩-୪ ଲକ୍ଷ କୋଟିର ଯେଉଁ ଟିକସ ଛାଡ଼ କରାଯାଇଥିଲା, ତାହା ମାନ୍ଦାବସ୍ଥା ପରେ ବି ଅବ୍ୟାହତ ରହିଲା। ସେହିପରି ୨୦୧୯ ମସିହାରେ ସରକାରଙ୍କ ଦ୍ୱାରା ପୁରୁଣା କମ୍ପାନୀମାନଙ୍କଠାରୁ ନିଆଯାଉଥିବା କର୍ପୋରେଟ୍ ଟିକସର ହାରକୁ ୩୦%ରୁ ୨୨%କୁ ହ୍ରାସ କରାଯାଇଥିବା ବେଳେ ନୂଆ କରି ଆରମ୍ଭ ହୋଇଥିବା କମ୍ପାନୀମାନଙ୍କ କ୍ଷେତ୍ରରେ ତାହା ୧୫%କୁ ହ୍ରାସ କରାଯାଇଥିଲା। ଏହି ବାବଦରେ ସରକାର ପ୍ରତିବର୍ଷ ୧.୮୪ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ରାଜସ୍ୱ ହରାଇ ଚାଲିଛନ୍ତି। ଏହି ଟିକସ ସରକାରଙ୍କ ନ୍ୟାୟସଙ୍ଗତ ଆୟ ଏବଂ ଏହାକୁ ଛାଡ଼ କରି ସରକାର ରାଜକୋଷର ଅନାବଶ୍ୟକ କ୍ଷତି କରିଛନ୍ତି ବୋଲି କୁହାଯାଇପାରେ।

ବିଶେଷ କରି ଦେଶର ବଡ଼ କର୍ପୋରେଟମାନଙ୍କ ମୁନାଫା ଓ ଆୟ ଗତ କିଛି ବର୍ଷ ମଧ୍ୟରେ ଅନେକ ଗୁଣ ବଢ଼ିଥିବା ବେଳେ ଏବଂ ଆମ ଦେଶର କର୍ପୋରେଟମାନେ ବିଶ୍ୱର ବଡ଼ ଧନୀମାନଙ୍କ ତାଲିକାରେ ଲଗାତାର ଉପମୁହାଁ ହୋଇ ଚାଲିଥିବା ବେଳେ ସରକାର ସେମାନଙ୍କୁ ବିପୁଳ ପରିମାଣର ଟିକସ ଛାଡ଼ କରିବା ସମ୍ପୂର୍ଣ୍ଣ ଅନାବଶ୍ୟକ ଏବଂ ଦେଶର ରାଜସ୍ୱ କ୍ଷତି ବୋଲି କୁହାଯିବ। ଅନ୍ୟପଟେ ସରକାରଙ୍କ ପକ୍ଷରୁ ଗୋଟିଏ ପଟେ ସାର୍ବଜନିନ ବ୍ୟାଙ୍କମାନଙ୍କର ଆର୍ଥିକ ସ୍ୱାସ୍ଥ୍ୟକୁ ସୁଧାରିବା ପାଇଁ ସରକାର ପ୍ରତିବର୍ଷ ରାଜକୋଷରୁ ବିପୁଳ ସହାୟତା ଦେଉଥିବା ବେଳେ ବଡ଼ କର୍ପୋରେଟମାନେ ନେଇଥିବା ବିପୁଳ ପରିମାଣର ଋଣକୁ ଛାଡ଼ କରାଯାଉଛି। ୨୦୧୭-୨୨ ମଧ୍ୟରେ ସରକାର ଦେଶର କର୍ପୋରେଟମାନଙ୍କର ୭.୨୭ ଲକ୍ଷ କୋଟି ଟଙ୍କାର ଋଣଛାଡ଼ କରିଥିବା ବେଳେ କେବଳ ଆଦାନୀ ଗୃପ୍‌ର ୨୦୧୪-୧୭ ମଧ୍ୟରେ ୭୨ ହଜାର କୋଟି ଟଙ୍କାର ଋଣଛାଡ଼ କରିଥିବା ଜଣାପଡ଼ିଛି। ଗତ ଆଠ ବର୍ଷ ମଧ୍ୟରେ କର୍ପୋରେଟ୍ ଋଣଛାଡ଼ର ମୋଟ ପରିମାଣ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ତେବେ ପରିତାପର ବିଷୟ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ସୁପ୍ରିମକୋର୍ଟ କେହି ବି ଦେଶର ପୁଞ୍ଜିପତ୍ତିମାନଙ୍କୁ ଟିକସ ଓ ଋଣ ବାବଦରେ ଏପରି ବିପୁଳ ପରିମାଣର ଛାଡ଼ ବା ସହାୟତାକୁ ‘ମାଗଣା ରାବିଡ଼ି' କହୁନାହାନ୍ତି! ଅତ୍ୟନ୍ତ ସମ୍ମାନଜନକ ଭାଷାରେ ତାକୁ ‘ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହନ' ବୋଲି କୁହାଯାଉଛି। ଅଥଚ ଦେଶର ଗରିବ ଓ ବଂଚିତ ଶ୍ରେଣୀକୁ ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଶିକ୍ଷା, ଚିକିତ୍ସା, ରୋଜଗାର, ପିଇବା ପାଣି, ବିଦ୍ୟୁତ୍ ଆଦି ବାବଦରେ ଦିଆଯାଉଥିବା ସହାୟତାକୁ ‘ଅନାବଶ୍ୟକ ଖର୍ଚ୍ଚ' ଓ 'ମାଗଣା ରାବିଡ଼ି' କହି ତାହାକୁ ବନ୍ଦ କରିବାକୁ ଉଦ୍ୟମ କରାଯାଉଛି।

ଦେଶର ଗରିବ ଓ ବଂଚିତ ଶ୍ରେଣୀକୁ ଦିଆଯାଉଥିବା ଆର୍ଥିକ ସହାୟତା ବା ସବସିଡ଼ି ଉପରେ ଆକ୍ରମଣଟି ନୂଆ ନୁହେଁ। ଦେଶରେ ନବ ଉଦାରବାଦୀ ଅର୍ଥନୀତି ଆରମ୍ଭ ହେବା ଠାରୁ ବିଶ୍ୱବ୍ୟାଙ୍କ୍, ଆର୍ନ୍ତଜାତୀୟ ମୁଦ୍ରାପାଣ୍ଠି ଓ ବିଶ୍ୱ ବାଣିଜ୍ୟ ସଂଗଠନ ପରି ସାମ୍ରାଜ୍ୟବାଦୀ ସଂସ୍ଥାମାନେ ସାଧାରଣ ଜନତାଙ୍କୁ ଖାଦ୍ୟ, କୃଷି, ବିଦ୍ୟୁତ୍, ଜାଳେଣି ଆଦି କ୍ଷେତ୍ରରେ ଦିଆଯାଉଥିବା ରିହାତିକୁ ବନ୍ଦ କରିବାକୁ ବାରମ୍ବାର ଚାପ ଦେଇ ଆସିଛନ୍ତି। ସେମାନଙ୍କ ଚାପରେ ୧୯୯୧ଠାରୁ ଏଯାଏଁ ସବୁ ସରକାର ଜାଳେଣିଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପୂର୍ବରୁ ଦିଆଯାଉଥିବା ସହାୟତାକୁ ହ୍ରାସ କିମ୍ବା ସମାପ୍ତି କରିଛନ୍ତି। ଅଥଚ ବୃହତ୍ତ କର୍ପୋରେଟମାନଙ୍କୁ ସରକାରୀ ରିହାତି ଓ ସହାୟତା ବଢ଼ିବାରେ ଲାଗିଛି।

ଏହା ସତ ଯେ ରାଜନୈତିକ ଦଳମାନେ ନିର୍ବାଚନକୁ ଅଖି ଆଗରେ ରଖି ଯେତେ ସବୁ ଘୋଷଣା କରୁଛନ୍ତି, ସେଥିରୁ ସବୁଗୁଡ଼ିକ ଯେ ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଅଥବା ଆର୍ଥିକ ବୋଝକୁ ହାଲକା କରିବାକୁ ଉଦ୍ଦିଷ୍ଟ ତାହା ନୁହେଁ। ମାଗଣାରେ ତୀର୍ଥଯାତ୍ରା, ମଙ୍ଗଳସୂତ୍ର ଅଥବା ମାଗଣାରେ ସ୍କୁଟି ପ୍ରଦାନ ଆଦି ଯୋଜନା କେବଳ ଅନାବଶ୍ୟକ ନୁହେଁ ବରଂ ସରକାରୀ ରାଜସ୍ୱର ଅପଚୟ ବୋଲି କୁହାଯାଇପାରେ। ଏଥିରେ କୌଣସି ଗୋଟିଏ ପାର୍ଟି ନୁହେଁ ବରଂ ସବୁ ରାଜନୈତିକ ଦଳ ସାମିଲ ଅଛନ୍ତି। ପୁଣି ଉଜ୍ୱଳା ପରି କିଛି ଯୋଜନା ଅଛି, ଯାହାକି ସମ୍ପୂର୍ଣ୍ଣ ଅଧାପନ୍ତରିଆ ଓ ରାଜନୈତିକ ସ୍ୱାର୍ଥରେ କରାଯାଇଥିବା ଯୋଜନା। କାରଣ କୋଟି କୋଟି ଲୋକଙ୍କୁ ମାଗଣାରେ ଗ୍ୟାସ୍ ଚୂଲା ଓ ଗୋଟିଏ ସିଲିଣ୍ଡର ତ ଦିଆଗଲା, କିନ୍ତୁ ସରକାର ସବସିଡ଼ି ହଟାଇ ରନ୍ଧନ ଗ୍ୟାସର ଦାମ୍ ପ୍ରାୟ ତିନି ଗୁଣ ବୃଦ୍ଧି କରିବା ଫଳରେ ଲୋକେ ସିଲିଣ୍ଡର ଆଉ ଭରି ନପାରିବା ଯୋଗୁଁ ଅଧିକାଂଶ ପରିବାରରେ ଉପରୋକ୍ତ ଚୂଲା ସବୁ ପ୍ରାୟତଃ ପରିତ୍ୟକ୍ତ ହୋଇ ପଡ଼ିଛି। ସେହିପରି କେନ୍ଦ୍ର ସରକାର ସମାଜର ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ବିଧବାମାନଙ୍କ ସାମାଜିକ ସୁରକ୍ଷା ନାଁରେ ମାସିକ ମାତ୍ର ୨୦୦ ଟଙ୍କା ପେନସନ୍ ଦେଉଛନ୍ତି। ୨୦୦୭ରୁ ବୃଦ୍ଧି ପାଇ ନଥିବା ସରକାରଙ୍କ ଏହି ତଥାକଥିତ ‘ମାଗଣା ରାବିଡ଼ି' ବର୍ତ୍ତମାନର ବଜାର ଦରର ଅନୁରୂପ ତ ନୁହେଁ ବରଂ ଗରିବ ଶ୍ରେଣୀରୁ ଆସୁଥିବା ଏହାର ଲାଭାର୍ଥୀମାନଙ୍କ ପ୍ରତି ଅପମାନ ବୋଲି କୁହାଯାଇପାରେ। ଅତଏବ ସରକାର ଏହି ମାଗଣା ରାବିଡ଼ିକୁ ବନ୍ଦ କରିବାକୁ ଚିନ୍ତା ନକରି ଗରିବ ଲାଭାର୍ଥୀମାନଙ୍କୁ ଏକ ସମ୍ମାନଜନକ ଜୀବନ ବଂଚିବାରେ ସହାୟତା କରିବାକୁ ଏହାର ପରିମାଣକୁ ବଢ଼ାଇବା ଜରୁରୀ। ଅତଏବ ସରକାର ରାଜସ୍ୱ ବୃଦ୍ଧି ପାଇଁ ମାଗଣା ରାବିଡ଼ି କହି ସାଧାରଣ ଜନତାଙ୍କୁ ମିଳୁଥିବା ସରକାରୀ ସହାୟତାକୁ ଟାର୍ଗେଟ୍ କରିବା ବଦଳରେ ଦେଶର ବୃହତ ପୁଞ୍ଜିପତ୍ତି ଓ ଧନାର୍ଢ଼୍ୟ ଗୋଷ୍ଠୀଙ୍କ ଉପରେ ଟିକସକୁ ବୃଦ୍ଧି କରନ୍ତୁ। ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହନ ନାଁରେ ସେମାନଙ୍କ ପାଇଁ କରାଯାଉଥିବା ଟିକସ ଛାଡ଼ ଓ ଋଣମାଫିକୁ ବନ୍ଦ କରନ୍ତୁ।

ଫୋନ୍ : ୯୪୩୭୧୬୬୩୯୧

Related story