ରବି ଦାସ
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କର ଦୀର୍ଘ ୨୪ ବର୍ଷର କ୍ରମାଗତ ସରକାରକୁ ୨୦୨୪ ନିର୍ବାଚନରେ ଜନସାଧାରଣ ଗାଦିଚ୍ୟୁତ କରି ଗତବର୍ଷ ଜୁନ୍ ମାସରେ ବିଜେପି ସରକାରକୁ ଗାଦିରେ ବସେଇଛନ୍ତି। ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଧାନସଭାରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବା ଓଡ଼ିଶା ପାଇଁ ନିଶ୍ଚିନ୍ତ ଭାବରେ ଏକ ନୂଆ ଅନୁଭୂତି ଥିଲା। ଯେହେତୁ ଜନସାଧାରଣ ବିଜେପିକୁ କ୍ଷମତାସୀନ କଲାବେଳେ ରାଜ୍ୟରେ କୌଣସି ନେତାଙ୍କୁ ଉପସ୍ଥାପିତ କରିନଥିଲେ ଓ ନିର୍ବାଚନରେ ବିଜେପି ପକ୍ଷରୁ ଜନସାଧାରଣଙ୍କୁ ଯେଉଁ ସଂକଳ୍ପ ସବୁ ଦିଆଯାଇଥିଲା ସେଗୁଡ଼ିକ ମୋଦୀ ଗ୍ୟାରେଂଟି ଭାବରେ ପରିଚିତ ଥିଲା ଏବଂ ଯେହେତୁ ରାଜ୍ୟର ଜନସାଧାରଣ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ଅସନ୍ତୋଷଶ ପ୍ରକାଶ କରିବା ସମୟରେ ବିଜେପିର ମୋଦୀଙ୍କ ନେତୃତ୍ୱକୁ ଗୋଟିଏ ପ୍ରକାର ଗ୍ରହଣ କରିନେଇଥିଲେ ସେହି ପୃଷ୍ଠଭୂମିରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଅର୍ଥାତ୍ ନରେନ୍ଦ୍ର ମୋଦୀ ଓଡ଼ିଶାର ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ନିଷ୍ପତି ନେଇଥିଲେ। ଯେହେତୁ ମୋହନ ଚରଣ ମାଝୀଙ୍କ ସରକାର ଯେଉଁଥିରେ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୫ ଜଣ ସଦସ୍ୟ ଅଛନ୍ତି ସେମାନେ ଗତବର୍ଷ ଜୁନ୍ ୧୨ ତାରିଖ ଦିନ ଶପଥ ନେଇଥିଲେ ତେଣୁ ଆଉ ୩ ସପ୍ତାହ ପରେ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ସରକାର ୧ ବର୍ଷପୂର୍ତ୍ତି ପାଳନ କରାଯିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଧିକାଂଶ ମନ୍ତ୍ରୀ ନୂଆକରି ଦାୟିତ୍ୱ ନେଇଥିଲେ ମଧ୍ୟ ପୂର୍ବ ସରକାରର ଦୋଷ ଦୁର୍ବଳତା ବିଷୟରେ ଅଭିଜ୍ଞତା ଥିବାରୁ ନୂଆ ଭାବରେ ପ୍ରତ୍ୟେକ ବିଭାଗରେ କିଛି କାର୍ଯ୍ୟ କରିବା ପାଇଁ ସରକାରଙ୍କର ଆଗ୍ରହ ଥିଲା। ଯଦିଓ ସରକାରଙ୍କ ପକ୍ଷରୁ ମୋହନ ସରକାର କଥା ଦେଇ କଥା ରଖିଲେ ବୋଲି ପ୍ରଚାର କରାଯାଉଛି, ସେଥିରେ ଲୋକମାନେ ସରକାରଙ୍କ କାର୍ଯ୍ୟ ଉପରେ ବେଶ୍ ସନ୍ତୁଷ୍ଟ ଅଛନ୍ତି ବୋଲି ଭାବିବା ଭୁଲ୍ ହେବ। ଧାନଚାଷୀମାନଙ୍କୁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କ୍ୱିଂଟାଲ ପିଛା ୮୦୦ ଟଙ୍କା ଲେଖାଏଁ ଇନ୍ପୁଟ୍ ସବ୍ସିଡି ଦିଆଯାଇ ଧାନଖରଦି ହୋଇଥିବାରୁ ଧାନଚାଷୀମାନେ ବେଶ୍ ଖୁସି ଅଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଫଳରେ ସାରାଦେଶରେ ଚାଷୀମାନଙ୍କର ଆୟ ସବୁବେଳେ କମ୍ ରହିଥିବା ଓଡ଼ିଶା ରାଜ୍ୟରେ ଚାଷୀମାନଙ୍କ ଆୟ ବୃଦ୍ଧିରେ ଏହା ନିଶ୍ଚୟ ସହାୟକ ହେବ। ଓଡ଼ିଶାର ଚାଷୀମାନଙ୍କ ଭିତରେ ପ୍ରାୟ ୮୦ ଭାଗରୁ ଉର୍ଦ୍ଧ୍ୱ ହେଉଛନ୍ତି ଧାନଚାଷୀ । ଯଦିଓ ଏ କ୍ଷେତ୍ରରେ ଭାଗଚାଷୀ ସମସ୍ୟା ଏବେ ବି ରହିଛି, କିନ୍ତୁ ମୋଟାମୋଟି ଭାବରେ ଚାଷୀମାନଙ୍କ ଆୟ ବୃଦ୍ଧିରେ ସରକାରଙ୍କ ନିଷ୍ପତି ବେଶ୍ ସହାୟକ ହୋଇଛି। ସେହିପରି ରାଜ୍ୟର ୨୧ ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ଦୁଇଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ଓ ୫ ବର୍ଷରେ ୫୦ ହଜାର ଟଙ୍କା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି କରି ପ୍ରଥମ ଦୁଇଟି କିସ୍ତି ୧ କୋଟି ମହିଳାଙ୍କୁ ପ୍ରଦାନ କରିବା ମହିଳାମାନଙ୍କ ଭିତରେ ବେଶ୍ ଆଗ୍ରହ ସୃଷ୍ଟି କରିଛି। କିନ୍ତୁ ଉପରୋକ୍ତ ଚାଷୀ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଲାଭପ୍ରଦ ସ୍କିମ୍ ବାହାରେ ରାଜ୍ୟ ସରକାର ଅନ୍ୟସବୁ କ୍ଷେତ୍ରରେ କି ପ୍ରକାର ପରିବର୍ତନ ଓ ସଫଳତା ଆଣିଛନ୍ତି ତାହା ଉପରେ ୧ ବର୍ଷପୂର୍ତ୍ତି ପାଳନ ସମୟରେ ଅଧିକ ଗୁରୁତ୍ୱ ଦିଆଯିବ।
ଯେକୌଣସି ସରକାରଙ୍କୁ ଲୋକପ୍ରିୟ କରାଇବା ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ। ମୋହନ ଚରଣ ମାଝୀ ରାଜ୍ୟର ସଂଖ୍ୟାବହୁଳ ଅଥଚ ସବୁଠୁ ପଛରେ ଥିବା ଆଦିବାସୀ ଶ୍ରେଣୀର ନେତା। ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଜନସାଧରଣଙ୍କୁ ଭେଟିବା ଓ ଜନଶୁଣାଣୀ ଜରିଆରେ ଲୋକମାନଙ୍କର ଅଭାବ ଅସୁବିଧା ବୁଝିବା ପାଇଁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଯେହେତୁ ପୂର୍ବରୁ ୨୪ ବର୍ଷଧରି ଥିବା ସରକାର ସମୟରେ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଏକ ଦିବାସ୍ୱପ୍ନ ଥିଲା ଓ ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ କରିଦିଆଯାଇଥିଲା ମୋହନ ମାଝୀ ସେଥିରେ ବ୍ୟତିକ୍ରମ ଆଣିବା ଫଳରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ନିଜକୁ ପ୍ରତିଷ୍ଠା କରିବାରେ ତାହା ସହାୟକ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଥରଟିଏ ସମ୍ବଲପୁରରେ ହେବା ଏବଂ ପରବର୍ତ୍ତୀ ଆଉ ଏକ ଶୁଣାଣୀ ବ୍ରହ୍ମପୁରରେ ହେବ ବୋଲି ଘୋଷଣା କରାଯାଇଛି। ଏହାକୁ ଜନ ସାଧାରଣ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। କିନ୍ତୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଶୁଣାଣୀ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସ୍ଥାନାନ୍ତର ସହିତ ପୂର୍ବ ବାସଭବନରେ ସ୍ଥିତି ସେହିପରି ରହିବା ଅନେକ ଲୋକ ଠିକ୍ ଭାବରେ ବିଚାର କରୁନାହାନ୍ତି।
ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜକୋଷର ଅର୍ଥ ଓ ବ୍ୟବସ୍ଥା ସର୍ବନିମ୍ନ ଯେପରି ଖର୍ଚ୍ଚ କରାଯାଏ ସେଥିପାଇଁ ମୋହନ ମାଝୀ ସରକାରଙ୍କୁ ଏକ କୌଶଳ ନିର୍ଦ୍ଧାରଣ କରିବାକୁ ପଡ଼ିବ। ଜନସାଧରଣଙ୍କ ଟିକସ ଅର୍ଥରେ ମୁଖ୍ୟମନ୍ତ୍ରୀ ଯାହା ଶାସନ ପାଇଁ ଆବଶ୍ୟକ କରିବା ସମୟରେ ସର୍ବନିମ୍ନ ଅର୍ଥ ଯେପରି ତାଙ୍କ ପାଇଁ ଖର୍ଚ୍ଚ ହେଉଛି ତାହାର ଏକ ବାର୍ତ୍ତା ସବୁବେଳେ ଜନସାଧାରଣଙ୍କ ନିକଟରେ ହୃଦ୍ବୋଧ ହେଲାପରି ଦେବାକୁ ହେବ। ମୁଖ୍ୟମନ୍ତ୍ରୀ ସାଧୁ ଓ ମିତବ୍ୟୟୀ ହେବା ସହିତ ଦକ୍ଷତା ଓ ସଚ୍ଚୋଟତାକୁ ପସନ୍ଦ କରନ୍ତି ବୋଲି ବିଭିନ୍ନ ସମୟରେ ବାର୍ତା ଦେବାକୁ ପଡ଼ିବ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ନବୀନ ପଟ୍ଟନାୟକ ଦାମୀ ମଦ ଓ ସିଗାରେଟ୍ ପିଉଥିଲେ ମଧ୍ୟ ସାଧାରଣରେ ତାଙ୍କ ଆଚରଣରେ ସଂଯମତା ଓ ମିତବ୍ୟୟତାର ଏକ ଛାପ ରହୁଥିଲା। ମୋହନ ଚରଣ ମାଝୀ ପିଲାଦିନୁ ଦୁଃଖ, କଷ୍ଟ ଓ ଦାରିଦ୍ର୍ୟ ଅନୁଭବ କରି ଆସିଛନ୍ତି। ସେ କୌଣସି ନାଟକ ଏଥିପାଇଁ କରିବାର ଆବଶ୍ୟକତା ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ଥିବା ବ୍ୟକ୍ତି ସାଧାରଣରେ ଏକ ଭାବମୂର୍ତ୍ତି ସୃଷ୍ଟି କରିବା ନିମନ୍ତେ କେଉଁ କେଉଁ କାର୍ଯ୍ୟ କରାଯାଇପାରିବ ଓ କେଉଁଗୁଡ଼ିକ କରିବା ଉଚିତ୍ ନୁହେଁ ତାହା ସମ୍ଭବତଃ ବିଚାର କରିବାକୁ ପଡ଼ିବ। ସରକାରଙ୍କର ପଦସ୍ଥ ଅଧିକାରୀମାନେ ନିଜର ସୁବିଧା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଧିକ ବିଶ୍ୱାସ ଭାଜନ ହେବାପାଇଁ ଯାହାସବୁ ପରାମର୍ଶ ଦେବେ ତାହାକୁ ସବୁବେଳେ ନିଜ ଦୃଷ୍ଟିକୋଣରେ ବିଚାର କରି ଏହାର ପ୍ରଭାବ ଜନସାଧାରଣଙ୍କ ଉପରେ କିପରି ପଡ଼ିବ ତାହା ଲକ୍ଷ୍ୟ କରିବାକୁ ହେବ।
ପୂର୍ବ ସରକାରଙ୍କ ସମୟରେ ବିନିଯୋଗ ଉପରେ ଯେଉଁ ଗୁରୁତ୍ୱ ଗତ ୧୦ ବର୍ଷ ହେଲା ଦିଆଯାଉଥିଲା ତାହାକୁ ମୋହନ ମାଝୀଙ୍କ ସରକାର ଦ୍ୱିଗୁଣିତ କରିଥିବା କହିବରେ ଅସୁବିଧା ନାହିଁ। ଖଣିଜ ସମ୍ପଦ ଭରା ରାଜ୍ୟରେ ଖଣିଜ ଭିତ୍ତିକ ଯେତେସବୁ ବଡ଼ ବଡ଼ ବିନିଯୋଗ ହେବ ସେଥିରେ ରାଜ୍ୟ ବାସ୍ତବରେ କେତେ ଲାଭବାନ୍ ହେବ ଏହା କେବଳ ରାଜସ୍ୱ ଆଦାୟ କଥା ନୁହେଁ ବରଂ ନିଯୁକ୍ତି, ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସର୍ବୋପରି ରାଜ୍ୟର ଆଦିବାସୀ, ଦଳିତ ଓ ଗରିବ ଜନସାଧାରଣଙ୍କ ସ୍ୱାର୍ଥରେ ଏହା କେତେଦୂର ଫଳପ୍ରଦ ହେବ ତାହାକୁ ଠିକ୍ ଭାବରେ ବିଚାର କଲେ ମୋହନ ମାଝୀଙ୍କ ସରକାର ବିନିଯୋଗ ବୃଦ୍ଧି ପାଇଁ ଚଳାଇଥିବା ଉଦ୍ୟମକୁ ଜନସାଧାରଣ ବହୁମାତ୍ରାରେ ସମର୍ଥନ କରିବ। ବିକାଶର ଯେଉଁ ମଡେଲ୍ ନରେନ୍ଦ୍ର ମୋଦୀଙ୍କ ସରକାର ଜାତୀୟ ସ୍ତରରେ ନେଇଛନ୍ତି ଓ ଓଡ଼ିଶାରେ ପୂର୍ବରୁ ଥିବା ସରକାର ସେହି ଢାଂଚାକୁ ଗ୍ରହଣ କରି ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ବାସଗୃହ ନିର୍ମାଣ, ରାସ୍ତାଘାଟର ସଂପ୍ରସାରଣ ସହିତ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସବୁ ବିଭାଗରେ କିପରି ପଦକ୍ଷେପ ନେଇଛନ୍ତି ତାହାକୁ ଦର୍ଶାଇବାକୁ ପଡ଼ିବ।
ଯେହେତୁ ମୁଖ୍ୟମନ୍ତ୍ରୀ ନିକଟରେ ବିଡ଼ିଓମାନଙ୍କ କାର୍ଯ୍ୟଧାରା ନେଇ ପ୍ରଶ୍ନ ଉଠାଇଛନ୍ତି ଓ ପଂଚାୟତ ବ୍ୟବସ୍ଥାରେ ଅନେକ କଥା ଠିକ୍ ଚାଲୁନଥିବା କହିଛନ୍ତି, ସେଥିରେ କିଛି ପ୍ରଶ୍ନ ଉଠାଯାଉଛି। ଗ୍ରାମାଂଚଳ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପଂଚାୟତରାଜ ଓ ବ୍ଲକ୍ ଶାସନ ସହିତ ରାଜ୍ୟରେ ବାଲି ମୋହରମ୍ ସହିତ ଲଘୁ ଖଣିଜ ପଦାର୍ଥଗୁଡ଼ିକର ବ୍ୟାପକ ଲୁଟ୍ ନେଇ ହୋଇଥିବା ଅଭିଯୋଗଗୁଡ଼ିକର ସମାଧାନ ଅତି ଜରୁରୀ। ତାହା ଛଡ଼ା ରାଜ୍ୟର ମୁଖ୍ୟ ଖଣିଜ ପଦାର୍ଥଗୁଡ଼ିକରେ ବେଆଇନ କାରବାର ଏବେ ବି ଚାଲିଥିବା ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ଯଥାର୍ଥ। ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବରେ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ଏହି ଲେଖକ ଲୋକପାଳ ନିକଟରେ ଦସ୍ତାବିଜ୍ ସହିତ ଅଭିଯୋଗ ଦାଖଲ କରିଥିଲେ। ଏଗୁଡ଼ିକ ରାଜ୍ୟ ସରକାର ଏବେ ବି ଅନୁଧ୍ୟାନ କରିପାରିବେ।
ଓଡ଼ିଶାର ସବୁଠାରୁ ବଡ଼ ସୌଭାଗ୍ୟ ଯେ, ରାଜ୍ୟର ଆର୍ଥିକ ଅବସ୍ଥା ଦେଶର ବହୁ ରାଜ୍ୟ ଠାରୁ ଭଲ। ଯଦିଓ ବହୁତ କ୍ଷେତ୍ରରେ ଓଡ଼ିଶା ଜାତୀୟ ସମକକ୍ଷ ହୋଇପାରିନାହିଁ ଓ ମୁଣ୍ଡପିଛା ଆୟରେ ଜାତୀୟ ଆୟକୁ ଟପି ପାରିନାହିଁ ତଥାପି ରାଜ୍ୟର ଆର୍ଥିକ ପରିଚାଳନା ଭଲ ଥିବାରୁ ଓଡ଼ିଶା ଉପରେ ଋଣଭାର ସେପରି ଅଧିକ ନାହିଁ। କ୍ରମାଗତ ଭାବରେ ଓଡ଼ିଶା ବଳକା ବଜେଟ୍ କରି ଆସୁଛି। କିନ୍ତୁ ମୋହନ ମାଝୀ ସରକାରଙ୍କର ପ୍ରଥମ ବର୍ଷ କାର୍ଯ୍ୟ ପରେ ଏବେ କେତେକ ତଥ୍ୟ ଆଣିଛନ୍ତି ଯେ, ଓଡ଼ିଶା ପାଇଁ କେନ୍ଦ୍ରୀୟ ଅନୁଦାନ ପୂର୍ବ ବର୍ଷ ତୁଳନାରେ କମିଯାଇଛି। ଯେହେତୁ ଅନେକ କ୍ଷେତ୍ରରେ ଓଡ଼ିଶା ଯେଉଁ ପରିମାଣର ଅର୍ଥ ଖର୍ଚ୍ଚ କରିବା କଥା ତାହା କରିପାରି ନାହିଁ, ସେହେତୁ କେନ୍ଦ୍ର ସରକାରଙ୍କ ସେ କ୍ଷେତ୍ରରେ ଅନୁଦାନ ମଧ୍ୟ କମିଯାଇଛି। ଓଡ଼ିଶାର ଡବଲ୍ ଇଞ୍ଜିନ୍ ସରକାର ପାଇଁ ଏହା ସମାଲୋଚନା ନିମନ୍ତେ ପଥ ପରିଷ୍କାର କରିବ। ଦ୍ୱିତୀୟରେ ଆହୁରୀ କୁହାଯାଉଛି ଯେ, ଓଡ଼ିଶାର ଖଣିଜ ଓ ଅନ୍ୟ ଅଣଟିକସ କ୍ଷେତ୍ରରୁ ଯେଉଁପରି ଭାବରେ ଆୟ ବଢୁଥିଲା ତାହା ମୋହନ ମାଝୀ ସରକାରର ପ୍ରଥମ ବର୍ଷରେ ହୋଇନାହିଁ। ଗୋଟିଏ ପକ୍ଷରେ କେନ୍ଦ୍ରୀୟ ଅନୁଦାନ କମାଇବା ଓ ଅନ୍ୟପକ୍ଷରେ ରାଜ୍ୟର ନିଜସ୍ୱ ଆୟ ବଢ଼ିବା ପରିବର୍ତ୍ତେ କମିଯିବା ଘଟଣା କଦାପି ଉତ୍ସାହପୂର୍ଣ୍ଣ ନୁହେଁ। ଏ ସଂକ୍ରାନ୍ତରେ ହୋଇଥିବା ଅଭିଯୋଗ ଉପରେ ସରକାରଙ୍କର ୧ ବର୍ଷପୂର୍ତ୍ତି ପୂର୍ବରୁ ଜନସାଧାରଣଙ୍କୁ ଜଣାଇବା ପାଇଁ ଏକ ସ୍ପଷ୍ଟକରଣର ଅବଶ୍ୟକତା ରହିଛି। ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବାପାଇଁ ସମସ୍ତ ଚେଷ୍ଟା ଅବ୍ୟାହତ ରଖିଥିବା ସମୟରେ ସରକାରଙ୍କର ସମସ୍ତ ବିଭାଗ ଯଦି କ୍ରିୟାଶୀଳ ନହୁଏ ଏବଂ ଉତ୍ତରଦାୟିତ୍ୱ ସ୍ଥିରୀକୃତ ନହୁଏ, ତେବେ ସରକାରଙ୍କ ସାମୂହିକ ସଫଳତା ଉପରେ ନିଶ୍ଚୟ ପ୍ରଶ୍ନ ଉଠିବ।
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।