- ଡ. ରୀନା ରାଉତରାୟ
ମାଆ .. ସବୁଦିନେ କାମ କଲାବେଳେ ସେ ଠିକାଦାର ବାବୁଟା ଖରାପ ଇଙ୍ଗିତ କରେ। ମୁଁ ବୁଝି ନ ବୁଝିଲା ହେଇ କାମରେ ମନ ଦେଲେ ମୋ ଉପରେ ରବେଇ ଖବେଇ ହୋଇ ଆଡୁସାଡୁ ଗାଳି ଫଜିତ କରେ....
ଇଆଡ଼େ ସିଆଡେ ଅନେଇ କାନିରେ ଲୁହପୋଛି କହିଲା ୩୫ ବର୍ଷର ବିଧବା ମହିଳା ଶ୍ରମିକ ନେତି ।
ମୁଁ କହିଲି:- କଣ ମ ତାର ଏତେ ସାହାସ ? ଅନ୍ୟ ସାଥୀମାନଙ୍କ ଆଗରେ ତାକୁ ପଚାରୁନୁ କାହିକିଁ ଏମିତି ବ୍ଯବହାର କରୁଛି ?
ନ ହେଲେ ପାଖ ଥାନାରେ ଅଭିଯୋଗ କରୁନୁ?
ନେତି ଦୀର୍ଘ ନିଃଶ୍ବାସ ନେଇ କହିଲା:- ମାଆ ମୁଁ ଯଦି ଏମିତି କରିବି ମୋତେ ତ ସେ ଆଉ କାମକୁ ଡାକିବନି, ପୁଣି ଏ ଖଣ୍ଡ ମଣ୍ଡଳରେ କଥା ଖେଳି ଯିବ ଯେ ନେତିଟା ଭାରି ମୁଖରା, ତାକୁ ସାବଧାନ। ମୋତେ ଆଉ କେହି ବି କାମ ଦେବେନି ମାଆ।
ସ୍ଵାମୀ ମୋର ଅକାଳରେ ମଲା ପରେ ଛୁଆଟିକୁ ପାଠ ପଢେଇବି ବୋଲି ଏଇ ଗାଆଁ ପାଖରେ ରହି ମଜୁରିଆ କାମ କରୁଛି। ଇନ୍ଦିରା ଆବାସ ଘର ଖଣ୍ଡେ ଅଛି ମୁଣ୍ଡ ଗୁଞ୍ଜିବାକୁ। କୁଆଡେ ଯିବି କାହାକୁ କହିବି ମାଆ, ଭାଗ୍ୟ ଆଦରି ରହିଛି।
ଏ ଥିଲା ନେତି, ଏକ ବିଧବା ମହିଳା ଶ୍ରମିକର ଅନ୍ତରର କୋହ।
"ସାରା ଦିନ ଘର ଘର ବୁଲି କାମ କରେ, ଝିଅକୁ ପାଠ ପଢ଼ାଏ...
ହାତ ଖାଲି ଥାଏ ହେଲେ ଆଖିରେ ଅସୁମାରି ସ୍ଵପ୍ନ ..."
-ନଳିନୀ ଏକ ଗୃହଶ୍ରମିକ, ଭୁବନେଶ୍ୱର।
ନେତି ହେଉ ବା ନଳିନୀଙ୍କ କଥା କେବଳ ଏକ ଉଦାହରଣ ଅଟେ, ଯାହା ଓଡ଼ିଶାର ହଜାର ମହିଳାଙ୍କ ଦୁଃଖ ଆଉ ଦୃଢ଼ତାର ସ୍ୱର।
ଏହା ଏକ ଗଳ୍ପ ନୁହେଁ, ହଜାର ହଜାର ଅଣସଙ୍ଗଠିତ ମହିଳା ଶ୍ରମିକଙ୍କ ନିତ୍ୟ ଜୀବନର ଏହି ଅନାଲୋଚିତ କାହାଣୀ।
ପ୍ରତି ବର୍ଷ ମେ ୧ରେ ଆସିଥାଏ ଶ୍ରମିକ ଦିବସ। ଶ୍ରମର ଗୌରବ ଓ ଶ୍ରମିକଙ୍କ ଅଧିକାର ପାଇଁ ଦିନଟି ସମର୍ପିତ । ହେଲେ ଏହି ଦିନଟି ଅନେକ ଶ୍ରମିକଙ୍କ ପାଇଁ ଏପରି ଆସିଥାଏ ଯାହା ସେମାନଙ୍କ ଅବୁଝା ଅଲୋଡ଼ା ହୋଇ ରହିଥାଏ।
ଏମିତି ଏକ ବର୍ଗ ହେଉଛନ୍ତି , ଅଣ ସଂଗଠିତ ମହିଳା ଶ୍ରମିକ। ସେମାନଙ୍କ ଶ୍ରମ ଅଛି, ଦୁଃଖ ଅଛି, କିନ୍ତୁ ସ୍ୱର ନାହିଁ।
କେବଳ ଗୃହଶ୍ରମିକ ନୁହଁନ୍ତି , ଗ୍ରାମ ଓ ସହର ଉଭୟ ଅଞ୍ଚଳରେ ଅନେକ ମହିଳା କୃଷି, ନିର୍ମାଣ, ଗୃହ କାର୍ଯ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ପ୍ରସ୍ତୁତ ଇତ୍ୟାଦି କ୍ଷେତ୍ରରେ ଶ୍ରମ ଦାନ କରନ୍ତି।
ଓଡ଼ିଶାରେ ପ୍ରାୟ ଏକ କୋଟି ଶ୍ରମିକ ଅଛନ୍ତି, ଯାହାର ଏକ ବଡ଼ ଅଂଶ ହେଲେ ମହିଳା। ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ ୮୫% ଶ୍ରମିକ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି, ସେଥିମଧ୍ୟରୁ ଅଧିକାଂଶ ମହିଳା। କିନ୍ତୁ ସେମାନଙ୍କ ପାଇଁ ଏକ ନିଶ୍ଚିତ ଆୟ, ଭରସା ଯୋଗ୍ୟ କର୍ମ ସଂସ୍ଥାନ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ଜୀବନ ବୀମା କିମ୍ଵା ସୁରକ୍ଷିତ ବାର୍ଦ୍ଧକ୍ୟ ଜୀବନ ସବୁକିଛି ଅନିଶ୍ଚିତ ଅଟେ।
ସମାନ କାମକୁ ସମାନ ମଜୁରୀ ଘୋଷଣା ହୋଇଥିଲେ ମଧ୍ଯ ଅନେକ ଗ୍ରାମ ଏପରିକି ସହରରେ ମଧ୍ୟ ପୁରୁଷ ସହଯୋଗୀଙ୍କ ସହିତ ସମାନ କାମ ଓ ସମାନ ସମୟ ପାଇଁ କାମ କରି ମଧ୍ୟ ସେମାନଙ୍କ ଠାରୁ କମ୍ ମଜୁରି ପାଆନ୍ତି।
ଚିକିତ୍ସା ପାଇଁ କୌଣସି ସୁରକ୍ଷିତ ବ୍ୟବସ୍ଥା ନଥିବାରୁ ଅସୁସ୍ଥ ହେଲେ ଦିନକର ମଜୁରୀ ବନ୍ଦ । ସେମାନଙ୍କର କୌଣସି ଆଇନ ଜ୍ଞାନ ନ ଥିବାରୁ ଅନ୍ୟାୟ ପ୍ରତି ଦୃଢ ପ୍ରତିବାଦ ନ କରି ଶାରୀରିକ ଓ ମାନସିକ ଶୋଷଣର ଶିକାର ହୁଅନ୍ତି।ଶିକ୍ଷା ଓ ସଚେତନତାର ଅଭାବ ଯୋଗୁ ନିଜର ଭବିଷ୍ୟତର ସୁରକ୍ଷା ପାଇଁ ଚିନ୍ତା କରି ପଦକ୍ଷେପ ନେବାରେ ବିଫଳ ହୁଅନ୍ତି।
ଦୈନିକ ମଜୁରି ଉପରେ ନିର୍ଭର ଥିବାରୁ କୌଣସି ଆପତ କାଳୀନ ପରିସ୍ଥିତିରେ ଆର୍ଥିକ ଅଭାବ ଅସ୍ଥିରତା ସେମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦିଏ।
ଅଣସଙ୍ଗଠିତ କ୍ଷେତ୍ରରେ ମହିଳାମାନେ ସଂଘଟିତ ହୋଇ ପାରି ନାହାନ୍ତି ଫଳତଃ ତାଙ୍କର ମାନବିକ ଅଧିକାର ଓ ନ୍ୟାୟ କ୍ଷୁର୍ଣ୍ଣ ହେଲେ ମଧ୍ଯ ସେମାନେ ସ୍ୱର ଉତ୍ତୋଳନ କରିବା ପାଇଁ ଅକ୍ଷମ ଅଟନ୍ତି।
କର୍ମସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ନଥିବା ହେଉଛି ଏକ ମୁଖ୍ୟ ଚିନ୍ତା।
ମାନସିକ ଓ ଶାରୀରିକ ଶୋଷଣ, କାର୍ଯ୍ୟସ୍ଥଳରେ ଯୌନ ନିର୍ଯ୍ୟାତନା ଇତ୍ୟାଦି ସେମାନଙ୍କ ପାଇଁ ଏକ ନିତିଦିନିଆ ଘଟଣା। ରାସ୍ତାଘାଟ ବା ଜାତୀୟ ରାଜପଥ ଇତ୍ୟାଦି ନିର୍ମାଣ ସମୟରେ ଶୌଚାଳୟର ସୁବିଧା ନ ଥାଏ ଏବଂ ପ୍ରଚଣ୍ଡ ରୌଦ୍ରତାପରେ ବିଶ୍ରାମ କରିବାକୁ ଛାଇ, ପବନ ଏମିତି କି ପାନୀୟ ଜଳ ଟିକେ ନ ପାଇ ବହୁତ ହନ୍ତସନ୍ତ ହୋଇ ଥାଆନ୍ତି। ଛୋଟ କଅଁଳ ଶିଶୁକୁ କାଖରେ ଜାକି କିମ୍ଵା ବାଲି କି ଇଟା ଗଦାରେ ବସେଇ କାମ କରୁଥିବା ମହିଳା ଟିଏର ମାନସିକ ଅବସ୍ଥା ସହଜେ ଅନୁମେୟ।
ଏସବୁ ଅବ୍ୟବସ୍ଥାକୁ ସଜାଡ଼ିବାକୁ ହେଲେ ପ୍ରଥମତଃ ଅଣସଙ୍ଗଠିତ ମହିଳା ଶ୍ରମିକଙ୍କୁ ଶ୍ରମ ଓ ଜୀବନ ବୀମା ଓ ସ୍ଵାସ୍ଥ୍ୟ ବୀମା ବିଭାଗରେ ନିୟମିତ ଭାବରେ ପଞ୍ଜିକୃତ କରିବା ଦରକାର।
ଏହି ମହିଳାମାନେ ନିଜର ଅଧିକାର ପାଇଁ ସଂଘଟିତ ହୋଇ ସଙ୍ଘ ଗଠନ କରିବା ଦରକାର। ଏହା ଦ୍ୱାରା ସେମାନେ ନିଜ ସ୍ୱରକୁ ବଳିଷ୍ଠ ଭାବରେ ଉଠାଇପାରିବେ।
ଶ୍ରମ ଅଧିକାର, ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ଉପରେ ସେମାନଙ୍କୁ ଅବଗତ କରିବା ପାଇଁ କାର୍ଯ୍ୟଶାଳା, ଶିବିର ଓ ଅଭିଯାନ ଆରମ୍ଭ କରିବାର ଆବଶ୍ୟକତା ରହିଛି।
ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଅନୁଯାୟୀ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ସ୍ୱୟଂ ସହାୟକ ଦଳ ମାଧ୍ୟମରେ ମହିଳାମାନଙ୍କୁ ଅର୍ଥନୈତିକ ସ୍ୱାଧୀନତା, ବ୍ୟବସାୟ ଓ ନେତୃତ୍ୱ ଇତ୍ୟାଦିର ପ୍ରଶିକ୍ଷଣ ଦେଇ ସେମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ମାନ ବିଷୟରେ ସେମାନଙ୍କୁ ସଚେତନ ଓ ସହଯୋଗ କରିବା ଜରୁରୀ।
ନିମ୍ନ ଆୟ ଶ୍ରମିକଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ, ବୀମା ଯୋଜନା ଓ ଜରୁରୀକାଳୀନ ସହାୟତା ଯୋଗାଇଦେବା ଓ ଏଥି ସମ୍ପର୍କିତ ଯୋଜନା ଗୁଡ଼ିକ ନିୟମିତ ଭାବେ ତଦାରଖ କରିବା ନିତାନ୍ତ ଆବଶ୍ୟକ।
ମହିଳାଙ୍କୁ ଶୋଷଣ ଓ ଅନ୍ୟାୟରୁ ରକ୍ଷା କରିବା ପାଇଁ କାନୁନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
ଅଣସଙ୍ଗଠିତ ମହିଳା ଶ୍ରମିକଙ୍କ ଅଧିକାର ଓ ନ୍ୟାୟ ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ମହିଳା ଶ୍ରମିକ ବୋର୍ଡ ଓ ମନିଟରିଂ ୟୁନିଟ ଗଠନ କରିବା।
ସଙ୍ଗଠିତ ହୁଅନ୍ତୁ ବା ଅଣସଂଗଠିତ କିମ୍ୱା ଧନୀ କି ଗରିବ, ସାଧାରଣତଃ ପ୍ରତ୍ୟେକ କର୍ମଜୀବୀ ମହିଳାର ସୁବିଧା, ଅସୁବିଧା, ଆବଶ୍ୟକତା ଓ ଆହ୍ବାନ ପ୍ରାୟତଃ ସମ ପ୍ରକାର।
ମାତୃତ୍ଵ ଛୁଟି, ମାସିକ ଋତୁସ୍ରାବ ସମୟରେ ଛୁଟି, ଛୋଟ ପିଲାଙ୍କ ପାଇଁ କ୍ରେଚ, ବିଶ୍ରାମ ସମୟ ଓ ଗୃହ, କାର୍ଯ୍ୟ ସ୍ଥଳୀରେ ଯୌନ ନିର୍ଯ୍ୟାତନା ରୋକିବା ପାଇଁ ଆଇ ସି ସି ଗଠନ ପରି ବ୍ୟବସ୍ଥାର ସୁବିଧା ପାଇବା ଅଣ ସଙ୍ଗଠିତ ମହିଳା ଶ୍ରମିକଙ୍କ ମଧ୍ଯ ଅଧିକାର ଅଟେ। ତେଣୁ ଏ ସବୁକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ନୀତି ନିର୍ଦ୍ଧାରଣ କରିବା ଆଜି ଦିନର ଆହ୍ବାନ ଅଟେ।
ଶ୍ରମିକ ଦିବସ କେବଳ ଛୁଟିର ଦିନ ନୁହେଁ, ଏହା ଏକ ପ୍ରୟାସ, ଅଦୃଶ୍ୟ ଶ୍ରମ ଓ ଅପରିଚିତ ହାତ ମାନଙ୍କୁ ସ୍ମରଣ କରିବାର ଦିନ। ଅଣସଙ୍ଗଠିତ ମହିଳା ଶ୍ରମିକମାନେ ସେମାନଙ୍କର ମୌନ ଅବଦାନ ଦ୍ବାରା ଦେଶର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହିତ ରାଷ୍ଟ୍ର ନିର୍ମାଣରେ ଅନନ୍ୟ ଭୂମିକା ନିର୍ବାହ କରନ୍ତି।ଶ୍ରମିକ ଦିବସ ଆମକୁ ଶିଖାଏ ଯେ ଜଣେ ଶ୍ରମିକର ଝାଳ ହିଁ ଏକ ଦେଶର ଭବିଷ୍ୟତ ଗଢ଼ିଥାଏ।
ଯେଉଁଠି ଶ୍ରମ ଅଛି, ସେଠି ଅସୀମ ସମ୍ଭାବନା ରହିଥାଏ। ତେଣୁ ଶ୍ରମିକଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ଆମର ପ୍ରମୁଖ କର୍ତ୍ତବ୍ୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।