ଦେବ ରଞ୍ଜନ
ଆଦିବାସୀମାନେ ସର୍ବଦା ସରକାରଙ୍କ ପରସ୍ପର ବିରୋଧୀ ଆଚରଣକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସରକାର, ସେ ଯେ କୌଣସି ଦଳର ହୋଇଥାନ୍ତୁ ନା କାହିଁକି, ସେମାନଙ୍କ ଲାଗି ଚାଉଳ, ମୁକ୍ତରେ ଘର, ସ୍କୁଲ, ଶିକ୍ଷକ ଯୋଗାଇ ଦେଉଛନ୍ତି; ପୁଣି ସେମାନଙ୍କୁ ଗୁଳିକରି ମାରିବା ଲାଗି ପୋଲିସ ବି ପଠାଉଛନ୍ତି, ଜଙ୍ଗଲ କାଟି ନେଉଛନ୍ତି, ଜମି ଛଡ଼ାଇ ନେଉଛନ୍ତି! ଗୁଳିରେ ଆଦିବାସୀ ମଲେ ନା ତାହାର କେବେ ତଦନ୍ତ ହେଉଛି ନା ମାରିଥିବା ଲୋକ ଦଣ୍ଡିତ ହେଉଛି। ଆଦିବାସୀଙ୍କୁ ଏହା ସର୍ବଦା ଆଶ୍ଚର୍ଯ୍ୟ କରିଆସିଛି।
ଆଦିବାସୀମାନେ ସରକାରଙ୍କ ଏହି ଦ୍ୱୈତ-ଚରିତ୍ରକୁ ନେଇ ପ୍ରଶ୍ନ କରିବାର ଅନ୍ୟ ଏକ କାରଣ ହେଲା ସମସ୍ତ ନିର୍ବାଚନରେ ସର୍ବାଧିକ ଭୋଟ ସେହି ସମସ୍ତ ଆଦିବାସୀ ଅଞ୍ଚଳରେ ପଡ଼ିଥାଏ। ଏହା ସ୍ଵାଧୀନତା ପରବର୍ତ୍ତୀ ସମସ୍ତ ନିର୍ବାଚନରେ ହୋଇଆସିଛି। ସେମାନେ ଗଣତନ୍ତ୍ର ପ୍ରତି ନିରୁତ୍ସାହ ପ୍ରକାଶ କରିନାହାନ୍ତି କିମ୍ବା ସେମାନେ କେବେ ସରକାରଙ୍କ ଠାରେ ଲବି କରି ନିଜ ଲାଗି ବଡ଼ ଭାଗର ସୁବିଧା ମଧ୍ୟ ନେଇଯାଇନାହାନ୍ତି। ବରଂ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ନିଜର ଅସନ୍ତୋଷକୁ ଜାହିର କରିବାକୁ ଯାଇ ସେମାନେ ପ୍ରତିଥର ନିର୍ବାଚନରେ ନୂଆ ପ୍ରାର୍ଥୀ ଓ ନୂଆ ଦଳକୁ ନିର୍ବାଚିତ କରିଛନ୍ତି। ସେହି ମାଧ୍ୟମରେ ସେମାନେ ନିଜର ପ୍ରତିବାଦ ଜଣାଇଛନ୍ତି।
ଆଦିବାସୀମାନେ ସଂଗଠିତ ହୋଇ ଜମି ଅଧିଗ୍ରହଣ, ସାହୁକାରର ଜମି ହଡ଼ପ, ଜଙ୍ଗଲ ବିଭାଗର ଅତ୍ୟାଚାର, ଦୁର୍ନୀତି, ଶିକ୍ଷା ଓ ସ୍ଵାସ୍ଥ୍ୟର ଅବ୍ୟବସ୍ଥା, ଜମି ଉପରେ ସେମାନଙ୍କ ଅଧିକାର ଇତ୍ୟାଦି ପ୍ରସଙ୍ଗରେ ସରକାରଙ୍କୁ ନିଜର ଦାବିପତ୍ର ଜଣାଇଆସିଛନ୍ତି। ସ୍ଥାନେ ସ୍ଥାନେ ଜିଲ୍ଲା ପ୍ରଶାସନ ସେମାନଙ୍କ ଉପରେ କୌଣସି ସରକାରୀ ହୁକୁମକୁ ଜବରଦସ୍ତି ଲାଗୁ କଲେ ସେମାନେ ତାହାର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି।
ଯାହାକୁ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିଥାନ୍ତା ତାହାକୁ କିନ୍ତୁ ‘ଆଇନ ଶୃଙ୍ଖଳା’ରେ ବ୍ୟାଘାତ ମନେକରି ସରକାର ନିଜର ପୋଲିସ ବାହିନୀ ଦ୍ଵାରା ଗୁଳିଚାଳନା, ଲାଠିଚାର୍ଜ, ମିଥ୍ୟା ମକଦ୍ଦମା, ରାତି ଅଧିଆ ଗିରଫ, ନିର୍ଯାତନା, ପରିବାର ସଦସ୍ୟଙ୍କୁ ଉଠାଇ ଆଣିବା, ଘର ଜାଳିଦେବା, ଥାର୍ଡ ଡିଗ୍ରୀ ଅତ୍ୟାଚାର କରିବା ଇତ୍ୟାଦି ଅନେକ ଅମାନୁଷିକ କାର୍ଯ୍ୟ କରାଇଛନ୍ତି।
ଅଦାଲତର ନିଷ୍ପତ୍ତି ବାହାରେ ପୋଲିସର ଏତାଦୃଶ କାର୍ଯ୍ୟ ସମ୍ବିଧାନ ବିରୋଧୀ ଓ ଦେଶର ଆଇନ ବିରୋଧୀ କାର୍ଯ୍ୟ। ଅଥଚ କୌଣସି ସରକାର ପୋଲିସର ଏଭଳି ଅମାନୁଷିକ କାର୍ଯ୍ୟର କୌଣସି ତଦନ୍ତ କେବେ କରିନାହାନ୍ତି। କାରଣ ସରକାର ହିଁ ପୋଲିସ ବାହିନୀ ପଛରେ ରହିଛି। ସରକାର ହିଁ ଲୋକଙ୍କ ‘ବିକାଶ’ ନାମରେ ଆଦିବାସୀଙ୍କ ଅଗୋଚରରେ ନୂତନ ଆଇନ ପ୍ରଣୟନ କରନ୍ତି, ଆଦିବାସୀଙ୍କ ସହିତ କୌଣସି ଆଲୋଚନା ନକରି ବିଭିନ୍ନ କମ୍ପାନୀଙ୍କ ସହିତ ନୂତନ ଚୁକ୍ତି କରିବସନ୍ତି ଓ ସରକାର ପୁଣି ସେହି ଚୁକ୍ତିକୁ ଲାଗୁ କରିବା ଲାଗି ସଶସ୍ତ୍ର ପୋଲିସକୁ ବ୍ୟବହାର କରନ୍ତି।
ଆଜି ବି ଅନେକ ଗାଁର ଲୋକେ ସ୍ୱଚ୍ଛ ପାଣି ଟିକିଏ ପାଉନାହାନ୍ତି, ରାସ୍ତା ନଥିବା କାରଣରୁ ହସ୍ପିଟାଲ ଆସିପାରୁନାହାନ୍ତି, ମହିଳାମାନେ ଧନୀ ପ୍ରଭାବଶାଳୀ ବ୍ୟକ୍ତିର ଯୌନ କ୍ରିଡ଼ନକ ହୋଇଯାଉଛନ୍ତି, ଗ୍ରାମାଞ୍ଚଳ ଶ୍ରମିକମାନେ ମନରେଗାରେ କାମ କରି ମଧ୍ୟ ମଜୁରୀ ପାଉନାହାନ୍ତି, ଠିକା ଶ୍ରମିକମାନେ କମ୍ପାନୀର ପ୍ଳାଣ୍ଟରେ ମୃତ୍ୟୁବରଣ କରୁଛନ୍ତି, ଆଦିବାସୀର ଜମି କମ୍ପାନୀ ବା ଧନୀ ଲୋକଙ୍କ ହାତକୁ ଚାଲିଯାଉଛି, ନଦୀ ପ୍ରଦୂଷିତ ହେବାରେ ଲାଗିଛି, ପାହାଡ଼ ସବୁ ପୋଖରୀ ହୋଇଯାଉଛି, ସବୁ ଅଫିସରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି, ପ୍ରଦୂଷଣ କାରଣରୁ କିଡନି ଓ ଯକ୍ଷ୍ମା ବେମାର ବଢ଼ିବାରେ ଲାଗିଛି, ଶିଶୁଙ୍କର ଅପପୁଷ୍ଟିରେ ମୃତ୍ୟୁ ସର୍ବାଧିକ, ଅନେକ ମହିଳା ରକ୍ତହୀନତା ବେମାରରେ ପୀଡ଼ିତ ଇତ୍ୟାଦି। ଏଥିରୁ ଅନେକ ସମସ୍ୟା ପଚାଶ ବର୍ଷ ତଳେ ହୁଏତ ନଥିଲା।
ଆଦିବାସୀ ଅଞ୍ଚଳର ଲୋକଙ୍କ ମୌଳିକ ଅଧିକାର ଆଦୌ ସୁରକ୍ଷିତ ନଥିବା ସତ୍ତ୍ୱେ କାହିଁକି ପ୍ରତିବାଦ ହୋଇପାରୁନାହିଁ? ଏହା ନୁହେଁ ଯେ ଲୋକେ ପ୍ରତିବାଦ କରୁନାହାନ୍ତି। କିନ୍ତୁ ସରକାରଙ୍କ ଅସ୍ତ୍ରଧାରୀ ପୋଲିସର ଉପସ୍ଥିତି ଆଦିବାସୀଙ୍କ ଉପରେ ହେଉଥିବା ଶୋଷଣକୁ ଅନେକଟା ସ୍ଥାୟୀ କରିଦେଇଛି। ସରକାରଙ୍କ ହାତରେ ଅସ୍ତ୍ର ଧରିବାର ଏକ ଚାଟିଆ ଅଧିକାର ରହିଛି ଓ ଆଇନ ପ୍ରଣୟନ କରିବାର ମଧ୍ୟ। ଭାରତୀୟ ଗଣତନ୍ତ୍ରରେ ଏହା ବିରାଟ ବିଡ଼ମ୍ବନ। ସରକାରଙ୍କ ଦ୍ଵାରା ସଶସ୍ତ୍ର ବାହିନୀର ଅମାନୁଷିକ ବ୍ୟବହାର କାରଣରୁ ଲୋକଙ୍କ ମୌଳିକ ଅଧିକାର ଲାଗି ଚାଲୁଥିବା ବିଭିନ୍ନ ଜନ ଆନ୍ଦୋଳନ ଉପରେ ତାହାର ନକରାତ୍ମକ ପ୍ରଭାବ ପଡ଼ିଛି।
ଲୋକଙ୍କୁ ଏହି ବ୍ୟବସ୍ଥା ମଧ୍ୟରେ ନ୍ୟାୟ ମିଳିବାର ନାହିଁ, ଏଭଳି ବ୍ୟବସ୍ଥାର ପରିବର୍ତ୍ତନ ଜରୁରୀ ବୋଲି ‘ମାଓବାଦୀ ପାର୍ଟି’ର ସଦସ୍ୟମାନେ ଆଦିବାସୀ ଅଞ୍ଚଳରେ ନିଜର ସଂଗଠନ ବୃଦ୍ଧି କରିଛନ୍ତି। ସେମାନେ ଅସ୍ତ୍ରର ଜବାବ ଅସ୍ତ୍ରରେ ଦେବାର ସଂକଳ୍ପ କରି ନିଜ ସଂଗଠନ ଲାଗି ଆଦିବାସୀ କ୍ୟାଡରଙ୍କୁ ନିଯୁକ୍ତ କରୁଛନ୍ତି। ହେଲେ ‘ସୂଚନାଦାତା’ ନାମରେ ସେହି ଆଦିବାସୀ, ଦଳିତ, ଶ୍ରମିକ ଓ ଛୋଟ ବ୍ୟବସାୟୀ ବର୍ଗରୁ କାହାରିକୁ ନା କାହାକୁ ସେମାନେ ହତ୍ୟା କରିଆସିଛନ୍ତି। ପ୍ରକୃତରେ ଯେ ସେ ସୂଚନାଦାତା ଥିଲେ ଅଥବା ନଥିଲେ କେବଳ ପାର୍ଟି ହିଁ ସେହି କଥା କହିଥାଏ। ଏହା ଆମେ ୨୦୦୭-୦୮ ମସିହାରୁ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଦେଖିଆସୁଛୁ।
ମାଓବାଦୀ ବନାମ ଭାରତ ସରକାରଙ୍କ ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ ଯୁଦ୍ଧରେ ସାଧାରଣ ଲୋକଙ୍କ ମୃତ୍ୟୁର ସଂଖ୍ୟା କିଛି କମ ନୁହେଁ। କଂଗ୍ରେସ ଶାସନରେ ତତ୍କାଳୀନ ଗୃହମନ୍ତୀ ପି. ଚିଦମ୍ବରମଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୦ ମସିହାରେ ସମୁଦାୟ ୧୧୬୯ ଜଣଙ୍କର ଜୀବନ ହାନୀ ହୋଇଥିଲା। ସେ ମଧ୍ୟରେ ୭୧୩ ଜଣ ସାଧାରଣ ଲୋକ, ୨୮୫ ଜଣ ସରକାରୀ ଯବାନ ଓ ୧୭୧ ଜଣ ମାଓବାଦୀ କ୍ୟାଡର ଥିଲେ। କଂଗ୍ରେସ ସରକାର ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବା ଲାଗି ଆଗ୍ରହ ଦେଖାଇନଥିଲେ।
୨୦୧୪ ମସିହାରେ ବିଜେପି ଶାସନ କ୍ଷମତାକୁ ଆସିଲା ପରେ ବି ସେହି ସମାନ ଆଭିମୁଖ୍ୟ ଜାରି ରଖିଛି। ଏକ ୱେବ ପତ୍ରିକା (ଆର୍ଟିକୀଲ ୧୪) ଦ୍ଵାରା ପ୍ରସ୍ତୁତ ତଥ୍ୟ ଅନୁସାରେ ୨୦୧୮ରୁ ୨୦୨୨ ମଧ୍ୟରେ ଏହି ଯୁଦ୍ଧରେ ୮୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ଏଥିରେ ୩୩୫ ଜଣ ସାଧାରଣ ନାଗରିକ, ୧୬୮ ଜଣ ସରକାରୀ ଯବାନ ଓ ୩୨୭ ଜଣ ମାଓବାଦୀ କ୍ୟାଡର ଅଛନ୍ତି।
ଏବେ କେନ୍ଦ୍ର ସରକାରଙ୍କର ଗୃହମନ୍ତ୍ରୀ ଅମିତ ଶାହା ଯେଉଁ ଘୋଷଣା କରୁଛନ୍ତି ଯେ ୨୦୨୬ ମସିହା ମଧ୍ୟରେ ‘ମାଓବାଦର ନିପାତ’ କରିବେ ତାହା ଏକ ସମ୍ବିଧାନ ବିରୋଧୀ ଅଗଣତାନ୍ତ୍ରିକ ମନ୍ତବ୍ୟ। ଯଦି ଗୋଟିଏ ସରକାର ଏଭଳି ଘୋଷଣା କରନ୍ତି ତେବେ ଦେଶର ନ୍ୟାୟାଳୟ ଓ ଆଇନ ବ୍ୟବସ୍ଥାର କଣ ଆବଶ୍ୟକତା ରହିଛି? ପୋଲିସ ମହାନିର୍ଦ୍ଦେଶକ ବା ଡାଇରେକ୍ଟର ଜେନେରାଲ ମଧ୍ୟ ‘ମାଓବାଦୀଙ୍କୁ ନିପାତ କରିବା’ ଭାଷାରେ କଥା ହେଉଛନ୍ତି। ଏହା ସାମ୍ବିଧାନିକ କି?
ବିଡ଼ମ୍ବନା ଯେ ନା ମାନବିକ ଅଧିକାର କମିଶନ ନା ହାଇକୋର୍ଟ ଅଥବା ସୁପ୍ରିମ କୋର୍ଟ ଏହି ବିଷୟ ପ୍ରତି ଆଦୌ ଗମ୍ଭୀର ନୁହନ୍ତି। ତେଣୁ ଆମେ ଏକ ହିଂସା ପ୍ରବଣ ରାଷ୍ଟ୍ର ବ୍ୟବସ୍ଥା ମଧ୍ୟରେ ଜୀବନଯାପନ କରୁଛୁ। ଗୋଟିଏ ହାତରେ ଚାଉଳ ଓ ଅନ୍ୟ ହାତରେ ଗୁଳି ଦେଉଥିବା ସରକାରର ପ୍ରକୃତ ଉଦ୍ଦେଶ୍ୟ ହେଲା ଆଦିବାସୀ ଅଞ୍ଚଳରୁ ପ୍ରକୃତିକ ସମ୍ପଦକୁ ନେଇଯିବା। ଗୋଟିଏ ସରକାର ବିଦାୟ ନେଇ ପୁଣି ଅନ୍ୟ ଏକ ଦଳ ଶାସନକୁ ଆସୁଛି। ସେମାନେ ପୁଣି ସେହି ରାସ୍ତା ଅପଣାଉଛନ୍ତି ଯାହା ପୂର୍ବ ସରକାର କରିଥିଲେ। ଦଶନ୍ଧି ଦଶନ୍ଧି ହେଲା ସମାନ ଘଟଣା ଘଟିଚାଲିଛି।
ଗଲା ମାସରେ ମାଓବାଦୀ ପାର୍ଟି ସରକାରଙ୍କ ସହିତ ଶାନ୍ତି ପ୍ରସ୍ତାବ ଦେବା ପରେ ପରିସ୍ଥିତିର କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ଉପଯୁକ୍ତ ପରିବେଶ ସୃଷ୍ଟି କରି ଆଲୋଚନା ପ୍ରସ୍ତାବକୁ ଆଗକୁ ନେବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ଅନେକ ମାନବିକ ଅଧିକାର, ଗଣସଂଗଠନ, ରାଜନୈତିକ ଦଳ, ସାମାଜିକ କର୍ମୀ, କବି ଲେଖକ ତଥା ବୁଦ୍ଧିଜୀବୀ ସରକାରଙ୍କୁ ଯୁଦ୍ଧ ବନ୍ଦ କରି ଆଲୋଚନା କରିବା ଲାଗି ଅନୁରୋଧ କରିଥିଲେ। ଆଲୋଚନା ପୂର୍ବରୁ ଯୁଦ୍ଧ ବନ୍ଦ କରିବା ଆବଶ୍ୟକ ବୋଲି ଉଭୟ ପଟକୁ ଅନୁରୋଧ କରାଯାଇଥିଲା। ଅଥଚ ସରକାର ଏବେ ବି ନିଜର ଦମନଲୀଳା ଜାରିରଖିଛନ୍ତି।
ଆଦିବାସୀ ସମାଜ ଲାଗି ଏବେ ଯେଉଁ ପରିବର୍ତ୍ତନ ହେଉଛି ତାହା ହେଲା ଯେ ଆଦିବାସୀ ହାତରୁ କ୍ରମଶଃ ଜମି, ଜଙ୍ଗଲ, ସଂସ୍କୃତି, ପରିବେଶ, ଗୋଷ୍ଠୀ ଜୀବନ ସବୁ କିଛି ଚାଲିଯାଉଛି। କାମ ଧନ୍ଦା ଲାଗି ସହର ଯିବାକୁ ତାକୁ ବାଧ୍ୟ କରାଯାଉଛି। ସେ ପୁଣି ବେମାର ହୋଇ ନିଜ ଗାଁକୁ ଫେରିଆସୁଛି। କୋଟି କୋଟି ଆଦିବାସୀଙ୍କ ସ୍ଥିତି ଆଜି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ସରକାରଙ୍କ ଦ୍ୱୈତ-ଚରିତ୍ର ହିଁ ଏହାର ପ୍ରାଥମିକ କାରଣ।
କେହି ହୁଏତ କହୁଥାଇପାରେ ଯେ ଆଦିବାସୀ ବହୁତ ନିରୀହ। ଆଦିବାସୀର ନିରୀହପଣ ଭିତରେ କିନ୍ତୁ ରହିଛି ଅନେକ ହୃଦୟ ବିଦାରକ ଘଟଣା ଓ ଦୁଃଖଦ ଅନୁଭୂତି। ସେ ସବୁକୁ ଜାଣିବାକୁ ଓ ଶୁଣିବାକୁ ହେଲେ ସେଭଳି ମାନସିକତାର ଆବଶ୍ୟକତା ରହିଛି।
ମୋବାଇଲ - ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।