ଡ. ରୀନା ରାଉତରାୟ
ବାସ୍ତବରେ ଉଦ୍ୟୋଗୀର କଣ କୌଣସି ଲିଙ୍ଗ ଥାଏ?
ନା, ଉଦ୍ୟୋଗୀ ବା ଏଣ୍ଟରପ୍ରେନରର ଲିଙ୍ଗଗତ ପ୍ରଭେଦ ନାହିଁ।
ଗୋଟିଏ ବ୍ୟବସାୟ କରିବାକୁ ହେଲେ ପୁରୁଷକୁ ଯେଉଁ ପ୍ରଣାଳୀ ବା ନୀତି ନିୟମ ଦେଇ ଯିବାକୁ ପଡ଼େ ବା ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ମହିଳା ମଧ୍ୟ ସେଇ ସମାନ ରାସ୍ତା ଓ ସମସ୍ୟାର ସମ୍ମୁଖୀନ ହୋଇଥାଏ। ବ୍ୟାବସାୟିକ ସଫଳତା ପାଇଁ ଯେଉଁ ଜ୍ଞାନ ଓ ଦକ୍ଷତାର ଆବଶ୍ୟକତା ରହିଛି ତାହା ମଧ୍ୟ ଉଭୟଙ୍କ ପାଇଁ ଉପଯୋଗୀ ହୁଏ।
ତଥାପି ମହିଳାମାନେ ବ୍ୟବସାୟ କ୍ଷେତ୍ରରେ ଆଗକୁ ଆସି ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ସରକାର ମହିଳାଙ୍କ ନିମନ୍ତେ ଅନେକ ପ୍ରୋତ୍ସାହନକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ, ଜିଲ୍ଲା ସ୍ତରୀୟ ଶିଳ୍ପ ବିଭାଗ ଓ ଷ୍ଟାର୍ଟ ଅପ୍ ପରି ଅନେକ ବିଭାଗ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇ ମହିଳାମାନଙ୍କ ଅର୍ଥନୈତିକ ସ୍ଵାଧୀନତା ପାଇଁ ଚେଷ୍ଟା ଜାରି ରହିଛି।
ବିଶ୍ୱ ଅର୍ଥନୀତିକୁ ଅନୁଧ୍ୟାନ କଲେ ଜଣାପଡ଼େ ବିଗତ କେତେ ଦଶନ୍ଧିରେ ଦୃତ ଅର୍ଥନୈତିକ ଅଗ୍ରଗତି ହାସଲ କରିଥିବା ଦକ୍ଷିଣ ଏସିୟ ରାଷ୍ଟ୍ର ସମୂହ ଯଥା ଭିଏତନାମ, ଦକ୍ଷିଣ କୋରିଆ ଏବଂ ଥାଇଲାଣ୍ଡର ଅର୍ଥନୈତିକ ଅଭିବୃଦ୍ଧି ପଛରେ ମହିଳା ଉଦ୍ୟୋଗୀଙ୍କ ଦକ୍ଷତା ଓ ବିକାଶର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏସବୁ ଦେଶରେ ପ୍ରତ୍ୟେକ ପରିବାରର ପ୍ରତିଟି ମହିଳା କିଛି ନା କିଛି ବ୍ୟବସାୟ ଵା ବୃତ୍ତିରେ ନିୟୋଜିତ ରହିଥାନ୍ତି। ପୁରୁଷଙ୍କ ପରି ସେମାନେ ମଧ୍ୟ ନିଜ ପରିବାରର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ରାଷ୍ଟ୍ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।
ଆମ ରାଜ୍ୟ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ମହିଳାମାନେ ବହୁତ ଦିନ ଧରି ଗୃହକାର୍ଯ୍ୟ ଓ ଅବୈତନିକ ଶ୍ରମ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ। କିନ୍ତୁ ଏବେ ସମୟ ବଦଳୁଛି। ବର୍ତ୍ତମାନ ସମୟରେ ମହିଳାମାନେ ବି ଉଦ୍ୟୋଗ ବିକାଶ ଜରିଆରେ ଓ ସ୍ୱାବଲମ୍ବୀ ହେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ସେମାନେ କେବଳ ଗୃହିଣୀ ନୁହେଁ, ସଫଳ ବ୍ୟବସାୟୀ ଓ ଉଦ୍ୟୋଗପତି ଭାବେ ନିଜକୁ ପ୍ରମାଣିତ କରିଛନ୍ତି।
ଓଡ଼ିଶାରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ମହିଳାମାନେ ମୁଖ୍ୟତଃ କୃଷି ଆଧାରିତ ଉତ୍ପାଦନ, ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ପ୍ରସ୍ତୁତି, ବିଉଟି ପାର୍ଲର, ଟେଲରିଂ ଇତ୍ୟାଦିରେ ନିଜର ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ମାଧ୍ୟମରେ ଗ୍ରାମୀଣ ମହିଳାମାନେ ସ୍ୱାବଲମ୍ବୀ ହେବାର ପ୍ରୟାସ କରୁଛନ୍ତି।
ରାଜ୍ୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପୋର୍ଟାଲର ତଥ୍ୟ ଅନୁସାରେ ୨୦୨୩-୨୪ ବର୍ଷରେ ମୋଟ ମୋଟ ୫.୭ ଲକ୍ଷ ଉଦ୍ୟୋଗ ପାଇଁ ପଞ୍ଜୀକରଣ ହୋଇଥିଲା। ସେଥି ମଧ୍ୟରୁ ମହିଳା ମାଲିକାନାସତ୍ୱରେ ୧.୬ ଲକ୍ଷ ଉଦ୍ୟୋଗ ପଞ୍ଜିକରଣ ହୋଇଛି। ସେହି ଅନୁସାରେ ମହିଳା ଓ ପୁରୁଷ ଉଦ୍ୟୋଗୀଙ୍କ ହାରାହାରି ଅନୁପାତ ୧:୨.୫ ରହିଛି।
କିନ୍ତୁ ସେମାନଙ୍କ ମଧ୍ୟରେ ଅନେକ ମାଇକ୍ରୋ ବା ଅତି କ୍ଷୁଦ୍ର ବ୍ୟବସାୟୀ ଅଟନ୍ତି। ଅନେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ବ୍ୟବସାୟ କରୁଛନ୍ତି। କିନ୍ତୁ ସେମାନେ ସବୁ ମଧ୍ୟ ଏମ.ଏସ.ଇ ପୋର୍ଟାଲରେ ପଞ୍ଜୀକୃତ ନୁହନ୍ତି। ତେଣୁ ଅଣ ସଙ୍ଗଠିତ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ଅଧିକା ଥିବାର ସମ୍ଭାବନା ରହିଛି। କିନ୍ତୁ ସରକାରୀ ଆକଳନ ବା ଆଶା ଅନୁସାରେ ସେହି ଅନୁପାତରେ ମହିଳା ଉଦ୍ୟୋଗୀ ସୃଷ୍ଟି ହୋଇ ପାରିନାହାନ୍ତି।
ଏହାର କିଛି ପ୍ରମୁଖ କାରଣ ରହୁଛି। ସେଥିପାଇଁ ସରକାରଙ୍କୁ କିଛି ବିଧି ବ୍ୟବସ୍ଥାକୁ ଦୃଷ୍ଟିକୁ ଆଣିବାକୁ ପଡ଼ିବ। ତାହାର ସମାଧାନ କଲେ ଏହି ସୁଦୂର ପ୍ରସାରୀ ଯୋଜନାଟି ନିଶ୍ଚୟ ଆଶାନୁରୂପକ ଭାବେ ସଫଳ ହୋଇ ପାରିବ।
୧.ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ଘରେ ଘରେ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବା।
୨. କ୍ଷୁଦ୍ର, ଅଣୁ ଓ ମଧ୍ୟମ ବ୍ୟବସାୟ ବା ଶିଳ୍ପ ପ୍ରତିଷ୍ଠାନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଓ ଭିତ୍ତଭୂମି ସହିତ ଅତି କମ୍ ସୁଧରେ ଓ ବିନା କୌଣସି ବନ୍ଧକରେ ବ୍ୟାଙ୍କରୁ ଋଣ ଯୋଗାଇ ଦେବା।
୩. ସମସ୍ତ ଅତ୍ୟାବଶ୍ୟକ ସୁବିଧା ସହଯୋଗ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ସମାଧାନ କରାଯାଉ। ଯେମିତି କି ଉଦ୍ୟମ ପଞ୍ଜିକରଣ, ଷ୍ଟାର୍ଟ ଅପ୍ ପଞ୍ଜିକରଣ, କଞ୍ଚାମାଲ କିମ୍ୱା ଉପକରଣ, ଯନ୍ତ୍ରପାତି ଇତ୍ୟାଦିର ସହଜ ଉପଲବ୍ଧ, ଉତ୍ପାଦିତ ଦ୍ରବ୍ୟ ସାମଗ୍ରୀର ବଜାରୀକରଣର ଯୋଗାଯୋଗ (ଲିଙ୍କ) ଏବଂ ଡିଜିଟାଲ ପଦ୍ଧତିରେ ଦିଆନିଆର (digital transaction) ପ୍ରୟୋଗାତ୍ମକ ଉପଯୋଗ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରଶିକ୍ଷଣକୁ ସମାନ୍ତରାଳ ଭାବରେ ପ୍ରୋତ୍ସାହନ ଦିଆ ଯିବା ଉଚିତ୍।
୪.ସହାୟତା ଟଙ୍କା ମିଳିବା, ଛୋଟ ବ୍ୟବସାୟ ଆରମ୍ଭ କରି ସାରିଥିବା ମହିଳାମାନଙ୍କୁ ବ୍ୟାଙ୍କରୁ ବିନା ବନ୍ଧକରେ, କମ୍ ସୁଧରେ ଆର୍ଥିକ ସହାୟତା ମିଳିବା ଇତ୍ୟାଦି ପ୍ରକ୍ରିୟାର ସରଳୀକରଣ କରାଯିବା ନିତ୍ୟାନ୍ତ ଆବଶ୍ୟକ। ଅନେକ ସମୟରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ ଓ ସହଯୋଗ କରୁଥିବା ଶିକ୍ଷିତ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାକରଣ ଖୁବ୍ ଜଟିଳ ମନେ ହୁଏ। ସାଧାରଣ ଗ୍ରାମୀଣ ମହିଳାଟିର ଅବସ୍ଥା ଅନୁମେୟ।
୫. ସବୁଠାରୁ ବଡ଼ ଦିଗଟି ହେଲା, ମହିଳାଟିର ଆତ୍ମନିର୍ଭର ହେବାର ମାନସିକତା, ଇଚ୍ଛା, ଆଗ୍ରହ ଓ ନିଷ୍ଠା।
ସେଥିପାଇଁ ମହିଳାଙ୍କୁ ନିଜକୁ କିପରି ପ୍ରସ୍ତୁତ କରିବା ଉଚିତ?
୧. ସର୍ବ ପ୍ରଥମେ ମହିଳାଙ୍କର ନିଜର ଆତ୍ମବିଶ୍ୱାସ। ନିଜ ଉପରେ ଭରସା ରଖିବା। ‘ମୁଁ ପାରିବି’ ବୋଲି ଭାବିବା ଅତ୍ୟାବଶ୍ୟକ।
୨. କେଉଁ କ୍ଷେତ୍ରରେ ଉଦ୍ୟୋଗ କରିବାକୁ ଚାହୁଁଛନ୍ତି? ନିଜର ରୁଚି ପସନ୍ଦ ଓ ଅନ୍ତର୍ନିହିତ ଦକ୍ଷତାକୁ ଭିତ୍ତି କରି ବ୍ୟବସାୟ କଲେ ବ୍ୟବସାୟରେ ଆଗ୍ରହ ସୃଷ୍ଟି ହୁଏ ଏବଂ ଏହାର ଗୁଣାତ୍ମକ ମାନର ବିକାଶ ହେବାର ସମ୍ଭାବନା ଥାଏ।
୩. ସେହି ବ୍ୟବସାୟ ସମ୍ବନ୍ଧୀୟ ଆବଶ୍ୟକ ଶିକ୍ଷା ଓ ପ୍ରଶିକ୍ଷଣ ନିଅନ୍ତୁ।
୪. ଉତ୍ପାଦନ କିମ୍ବା ସେବା ଉପରେ ଧ୍ୟାନ ଦେଇ ଏହାର ବଜାର ଚାହିଦା ବୁଝିବା ଦରକାର। ଏହି ଉତ୍ପାଦନ/ସେବା ପାଇଁ କେଉଁଠି ଚାହିଦା ଅଛି? କେଉଁଠି ବିକ୍ରି କରିପାରିବି? ବଜାରରେ ନିଜ ଉତ୍ପାଦନକୁ କିପରି ବ୍ରାଣ୍ଡ କରିପାରିବି?
୫. ଦେଶର ବିଭିନ୍ନ ଫ୍ରି ଅନଲାଇନ୍ କୋର୍ସ, ବ୍ୟବସାୟ ପ୍ରଶିକ୍ଷଣ କେନ୍ଦ୍ର, ବ୍ଲକ୍ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଏହା ହାସଲ କରିପାରିବେ।
୬. ପୁଞ୍ଜି ନିବେଶ ଓ ପ୍ରଶାସନିକ ସହଯୋଗ ପାଇଁ ମୁଦ୍ରା ଯୋଜନା, ବ୍ୟାଙ୍କ ଓ ଶ୍ରମ ଓ ରୋଜଗାର ବିଭାଗର ସହଯୋଗ ନିଅନ୍ତୁ।
୭. ଉଦ୍ୟୋଗ ଚଲାଇବା ସମୟରେ ଅପବ୍ୟୟଠୁ ବଞ୍ଚି ସଠିକ ଲାଭ ଦେଖି ଚାଲିବା।
୮. ଅନ୍ୟ ମହିଳା ଉଦ୍ୟୋଗୀଙ୍କ ସହ ଯୋଗାଯୋଗ ରଖି ସେମାନଙ୍କ ଅଭିଜ୍ଞତାରୁ ଜ୍ଞାନ ଆହରଣ କରିବା।
୯. ସମିତି, ସମ୍ମିଳନୀ, ମେଳା ଓ ଅନଲାଇନ୍ ପ୍ଲାଟଫର୍ମରେ ଅଂଶଗ୍ରହଣ କରିବା ଦ୍ୱାରା ଦୂରଦୃଷ୍ଟି ବଢ଼ିବା ସହିତ ନୂଆ ନୂଆ ଯୋଜନା ଓ ସମ୍ଭାବନାର ଦିଗ ଉନ୍ମୋଚନ ହୋଇଥାଏ।
୧୦. କେବଳ ନିଜ ପାଇଁ ନୁହେଁ, ଅନ୍ୟ ମହିଳାଙ୍କୁ ସାଥିରେ ନେଇ ଉନ୍ନତିର ମାର୍ଗ ଦେଖାଇବା।
୧୧. ଉଦ୍ୟୋଗ ଓ ଗୃହଜୀବନ ମଧ୍ୟରେ ସନ୍ତୁଳନ ବଢ଼ାଇବା ପାଇଁ ସୁଯୋଗ ଓ ସାହାଯ୍ୟ ଦରକାର।
ତେଣୁ ପରିବାରର ସହଯୋଗ ମଧ୍ୟ ଏଠି ଗୁରୁତ୍ୱପୂର୍ଣ୍ଣ। ଏକ ସଫଳ ଉଦ୍ୟୋଗୀ ହେବାକୁ ହେଲେ ଅନେକ ବାଧା ବିଘ୍ନକୁ ସମ୍ମୁଖୀନ ହେବାକୁ ପଡ଼େ। ମୂଳ ଧନର ଅଭାବ, ବଜାର ସୁଯୋଗ ଓ ଗ୍ରାହକଙ୍କ ପାଖରେ ପହଞ୍ଚିବା ବା ଉତ୍ପାଦନଟି ଆଦୃତ ହେବାର ସମସ୍ୟା, ପରିବାର ଓ ସାମାଜିକ ଚାପ, ପ୍ରଶିକ୍ଷଣ ଓ ଶିଳ୍ପ ଜ୍ଞାନର ଅଭାବ, ସରକାରୀ ସହଯୋଗ ପ୍ରତି ଅବଗତି ଓ ପ୍ରବେଶ ଅସୁବିଧା ପରି ଅନେକ ସମସ୍ୟା ଆସିପାରେ। କିନ୍ତୁ ଦୃଢ଼ ଆତ୍ମବିଶ୍ୱାସ ସହିତ ଯଦି ସଠିକ ମାର୍ଗଦର୍ଶନ, ଆର୍ଥିକ ସହାୟତା ଓ ପ୍ରଶିକ୍ଷଣ ମିଳେ ତେବେ ଓଡ଼ିଶାରେ ମହିଳା ଉଦ୍ୟୋଗୀମାନେ ଦେଶର ଅର୍ଥନୀତି ଉନ୍ନତିରେ ଏକ ସିଂହ ଭାଗର ଅବଦାନ ରଖିପାରିବେ।
ମହିଳାଙ୍କୁ ନିଜ ମନର ଭୟ ଓ ସନ୍ଦେହ ଭାଙ୍ଗି ଆଗେଇ ଆସିବାକୁ ପଡ଼ିବ। ଅନୁଶୀଳନ, ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସେ ନିଜ ଉଦ୍ୟୋଗକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବାର ଅନେକ ପ୍ରେରଣାଦାୟୀ ଉଦାହରଣ ମାନ ରହିଛି।
ମହିଳା ସଶକ୍ତିକରଣର ଯୁଗରେ ଓଡ଼ିଶାର ମହିଳାମାନେ ଏବେ ନିଜ ସ୍ୱପ୍ନ ପୂରଣ ପାଇଁ ଉଦ୍ୟୋଗ ବିକାଶରେ ଆଗେଇ ଆସିବା ଉଚିତ।। ଦୃଢ଼ ଇଛା ଶକ୍ତି ବଳରେ ଜଣେ ମହିଳା ନିଜ ଘରୁ ଛୋଟିଆ ବ୍ୟବସାୟଟିଏ ଆରମ୍ଭ କରି ଦେଶର ଅର୍ଥନୀତିକୁ ମଧ୍ୟ ବଦଳାଇ ପାରିବାର କ୍ଷମତା ରଖନ୍ତି।
ସଠିକ ସମର୍ଥନ, ସୁଯୋଗ ଓ ସମ୍ମାନ ଦିଆଗଲେ ସେମାନେ ନିଜ ଜୀବନ, ପରିବାର ଓ ସମାଜର ଉନ୍ନତି ସହିତ ରାଷ୍ଟ୍ର ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ।
ମହିଳା ଉଦ୍ୟୋଗୀମାନେ କେବଳ ଧନ ଉପାର୍ଜନକାରୀ ନୁହନ୍ତି, ସେମାନେ ଏକ ଶକ୍ତିଶାଳୀ ପରିବର୍ତ୍ତନର ଅଗ୍ରଦୂତ।
ଫୋ- ୯୪୩୮୨୭୨୧୫୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।