/odisha-reporter/media/post_attachments/uploadimage/library/16_9/16_9_0/IMAGE_1747750072.jpg)
Food Crisis
ଭାରତ ସହିତ ପାକିସ୍ତାନ ସବୁ କ୍ଷେତ୍ରରେ ସମକକ୍ଷ ବୋଲି ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଶ୍ୱସ୍ତରରେ ଏକ ଧାରଣା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ବେଳେ ମିଳିତ ଜାତିସଂଘ ପକ୍ଷରୁ ଚାରି ଦିନ ତଳେ ପ୍ରକାଶ କରାଯାଇଥିବା ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିପର୍ଯ୍ୟୟ ସମୟରେ ଭାରତ ବିଶ୍ୱରେ ଏକ ପ୍ରମୁଖ ଖାଦ୍ୟ ଯୋଗାଣକାରୀ ଦେଶ ଭାବେ ଗୌରବ ହାସଲ କରିଥିବା ବେଳେ ପାକିସ୍ତାନ ନିଜ ଦେଶର ଲୋକଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଇପାରୁନାହିଁ। ୧.୧ କୋଟିରୁ ଅଧିକ ପାକିସ୍ତାନୀ ପ୍ରବଳ ଭୋକରେ ରହୁଛନ୍ତି। ସେମାନେ ଖାଇବାକୁ ପାଉନାହାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଅନାହାରର ଦ୍ୱାରଦେଶରେ ପହଞ୍ଚି ଯାଇଛନ୍ତି ବୋଲି ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି।
ମେ’ ୧୬ ତାରିଖରେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ପକ୍ଷରୁ ‘ଗ୍ଲୋବାଲ ରିପୋର୍ଟ ଅନ୍ ଫୁଡ୍ କ୍ରାଏସିସ୍ ୨୦୨୫’ ଜାରି କରାଯାଇଥିବା ବେଳେ ଏଥିରେ ପାକିସ୍ତାନର ଏହି ବିକଳ ଚିତ୍ର ସାମ୍ନାକୁ ଆସିଛି। ଏହି ରିପୋର୍ଟ ପାକିସ୍ତାନର ଖାଦ୍ୟ ସୁରକ୍ଷାର ଏକ ଭୟଙ୍କର ଚିତ୍ର ପ୍ରଦାନ କରିଛି। ବିଶେଷ କରି ପାକିସ୍ତାନର ବଲୁଚିସ୍ତାନ, ସିନ୍ଧ ଓ ଖାଇବର ପଖତୁନଖ୍ୱା ଭଳି ସଂଘର୍ଷ ପ୍ରଭାବିତ ଓ ଗରିବ ଅଞ୍ଚଳରେ ଏହି ସମସ୍ୟା ଦେଖିବାକୁ ମିଳିଛି।
ଏହି ରିପୋର୍ଟରେ କୁହାଯାଇଛି, ପାକିସ୍ତାନର ୧.୧ କୋଟି ଲୋକ ଖାଇବାକୁ ପାଉ ନାହାନ୍ତି। ସେମାନଙ୍କ ମଧ୍ୟରୁ ୧୭ ଲକ୍ଷଙ୍କୁ ଏଫଏଓ ‘ଜରୁରୀକାଳୀନ’ ସ୍ଥିତିରେ ଅନ୍ତର୍ଭୁକ୍ତ କରିଛି। ସେମାନେ ଅନାହାର ସ୍ଥିତିଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି। ପରିସଂଖ୍ୟାନ କହୁଛି ଯେ ପାକିସ୍ତାନରେ ଖାଦ୍ୟ ସଙ୍କଟ କେବଳ ବଳବତ୍ତର ରହୁନାହିଁ, ଏହା ଦିନକୁ ଦିନ ଉତ୍କଟ ହେଉଛି।
ଖରାପ ପାଣିପାଗ, ବନ୍ୟା, ଗରିବୀ ଓ ଦଶନ୍ଧି ଦଶନ୍ଧି ଧରି ରାଜନୀତିକ ଅବହେଳା ଯୋଗୁ ପାକିସ୍ତାନର ବଲୁଚିସ୍ତାନ, ସିନ୍ଧ ଓ ଖାଇବର ପଖତୁନଖ୍ୱା ଅଞ୍ଚଳର ୬୮ଟି ବନ୍ୟା ପ୍ରଭାବିତ ଗ୍ରାମୀଣ ଜିଲ୍ଲାଗୁଡ଼ିକରେ ଏହି ସଙ୍କଟ ଦେଖିବାକୁ ମିଳିଛି। ପ୍ରଳୟଙ୍କରୀ ବନ୍ୟା ପରେ ଏହି ଅଞ୍ଚଳଗୁଡ଼ିକର ପ୍ରାୟ ୨୨% ଲୋକ ଦୁର୍ଭିକ୍ଷର ଧାରରେ ଛଟପଟ ହେଉଛନ୍ତି।
ପାକିସ୍ତାନର ଦକ୍ଷିଣପଶ୍ଚିମରେ ଥିବା ବଲୁଚିସ୍ତାନ ଓ ଦକ୍ଷିଣପୂର୍ବରେ ଥିବା ସିନ୍ଧ ପ୍ରଦେଶର ଲୋକେ ବର୍ଷ ବର୍ଷ ଧରି ସ୍ୱାଧୀନତା ପାଇଁ ଲଢ଼େଇ କରି ଆସୁଛନ୍ତି। ଏଠାରେ ଅପପୁଷ୍ଟି ଏକ ନୀରବ ମହାମାରୀ ସାଜିଛି। ଏଫଏଓର ସଦ୍ୟ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୮ରୁ ୨୦୨୪ ପ୍ରାରମ୍ଭ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଗ୍ଲୋବାଲ ଆକ୍ୟୁଟ୍ ମାଲନ୍ୟୁଟ୍ରେସନ (ଜିଏଏମ୍) ବା ବୈଶ୍ୱିକ ତୀବ୍ର କୁପୋଷଣ ହାର ୩୦%ରୁ ଅଧିକ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ମାନକ ଅନୁସାରେ ଏହା ଜୀବନ ପାଇଁ ବିପଦ ସାଜିଥାଏ। ତେଣୁ ପାକିସ୍ତାନର ସ୍ଥିତି ବହୁତ ଖରାପ ରହିଛି।
ବଲୁଚିସ୍ତାନ, ସିନ୍ଧ ଓ ଖାଇବର ପଖତୁନଖ୍ୱାରେ ଅପପୁଷ୍ଟି ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଶିଶୁମାନେ। ମାର୍ଚ୍ଚ ୨୦୨୩ରୁ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ୬ ରୁ ୫୯ ମାସ ବୟସର ପ୍ରାୟ ୨୧ ଲକ୍ଷ ଶିଶୁ ଗମ୍ଭୀର କୁପୋଷଣର ଶିକାର ହୋଇଥିଲେ।
ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ବୃଦ୍ଧି ପାଇଥିବା ଜଳବାୟୁ ଅସ୍ଥିରତା ଜୀବିକା, ଫସଲ ଉତ୍ପାଦନ ଏବଂ ସ୍ୱଚ୍ଛ ଜଳ ଉପଲବ୍ଧତାକୁ ନଷ୍ଟ କରିଚାଲିଛି। ଏଫଏଓ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି ଯେ ଲଗାତାର ଜଳବାୟୁ ପରିବର୍ତ୍ତନ ଯୋଗୁ ଓ ବର୍ଦ୍ଧିତ ଖାଦ୍ୟ ଅସୁରକ୍ଷା ଯୋଗୁ ୨୦୨୫ରେ ପାକିସ୍ତାନରେ କୁପୋଷଣ ସଙ୍କଟରେ ଆହୁରି ଅଧୋଗତି ହୋଇପାରେ।
ଲୋକେ ଖାଇବାକୁ ପାଉ ନଥିବା ବେଳେ ପାକିସ୍ତାନ ସରକାର ବିଦେଶରୁ ଋଣ ଆଣି ଆତଙ୍କବାଦୀ କାର୍ଯ୍ୟକଳାପରେ ବିନିଯୋଗ କରୁଛି। ପାକିସ୍ତାନ ଉପରେ ବିଦେଶୀ ଋଣ ପରିମାଣ ବୃଦ୍ଧି ପାଇ ୧୩୧ ଅରବ ଡଲାର ହୋଇଯାଇଛି, ଯାହା ଏହାର ଜିଡିପିର ପ୍ରାୟ ୪୨%।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
