ପାକିସ୍ତାନର ବେଲୁଚିସ୍ତାନରେ ଟ୍ରେନ ହାଇଜାକ ଘଟଣା ବିସ୍ଫୋରକ ରୂପ ନେବାରେ ଲାଗିଛି। ବେଲୁଚ ମୁକ୍ତି ସେନା ବା ବିଏଲଏ ପକ୍ଷରୁ ମଙ୍ଗଳବାର ଠାରୁ ଜାଫର ଏକ୍ସପ୍ରେସକୁ ହାଇଜାକ କରାଯାଇଛି। ବିଦ୍ରୋହୀଙ୍କ କବଳରେ ପଣବନ୍ଦୀ ହୋଇ ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ସେନା ପକ୍ଷରୁ ଅପରେସନ ଜାରି ରହିଛି। ମଙ୍ଗଳବାର ଠାରୁ ଚାଲିଥିବା ଅପରେସନ ବଳରେ ପାକ ସେନା ୧୫୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିପାରିଛି। ଉଦ୍ଧାର ଅପରେସନ ବେଳେ ୨୭ ଜଣ ବିଦ୍ରୋହୀ ନିହତ ହୋଇଛନ୍ତି। ସେହିପରି ଟ୍ରେନରେ ଥିବା ୧୦୦ରୁ ଅଧିକ ପାକ୍ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ବିଏଲଏ ପ୍ରାୟ ୩୦ ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।
ପାକ୍ ସେନା ହାଇଜକ ହୋଇଥିବା ଜାଫର ଏକ୍ସପ୍ରେସର ନିକଟବର୍ତ୍ତୀ ହେଉଥିବା ବେଳେ ବିଦ୍ରୋହୀମାନେ ପଣବନ୍ଦୀ କରିଥିବା ଲୋକଙ୍କୁ ଢାଳ କରି ଅପରେସନରେ ବାଧା ସୃଷ୍ଟି କରୁଛନ୍ତି। ଅପରେସନ ବନ୍ଦ ନ କଲେ ସେମାନେ ସାଧାରଣ ଲୋକଙ୍କ ସହ ଟ୍ରେନରେ ଯାତ୍ରା କରୁଥିବା ପାକିସ୍ତାନର ସୁରକ୍ଷାକର୍ମୀଙ୍କୁ ମାରିଦେବେ ବୋଲି ଧମକ ଦେଇଛନ୍ତି। ବିଦ୍ରୋମାନେ ଆତ୍ମଘାତୀ ହମଲାର ଧମକ ଦେଉଥିବାରୁ ବେଶ ସତର୍କତାର ସହ ଅପରେସନ କରାଯାଉଥିବା ପାକ ସେନା ପକ୍ଷରୁ କୁହାଯାଇଛି।
ଟ୍ରେନଟି ଏବେ ବି ଟ୍ରାକରେ ରହିଥିବା ବେଳେ ହେଲିକପ୍ଟର ଦ୍ୱାରା ଏହା ଉପରେ ନଜର ରଖାଯାଇଛି। ବିଦ୍ରୋହୀମାନେ ବେଲୁଚର ରାଜନୀତିକ ବନ୍ଦୀ, ସାମାଜିକ କର୍ମୀ ଓ ସେନା ଦ୍ୱାରା ଅପହୃତ ହୋଇଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ୪୮ ଘଣ୍ଟାର ସମୟ ପାକିସ୍ତାନ ସରକାରଙ୍କୁ ଦେଇଛନ୍ତି। ଆସନ୍ତାକାଲି ଏହି ସମୟସୀମା ପୂରିବାକୁ ଯାଉଛି। ଯଦି ପାକ ସରକାର ବେଲୁଚିସ୍ତାନରୁ ଗିରଫ କରିଥିବା ଲୋକଙ୍କୁ ମୁକ୍ତ ନ କରିବେ, ତା’ହେଲେ ସେମାନେ ଟ୍ରେନ ସହ ପଣବନ୍ଦୀ ଥିବା ସମସ୍ତଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବେ ବୋଲି କହିଛନ୍ତି। ସମୟ ଯେତେ ଗଡ଼ିବ ସେହି ଅନୁସାରେ ୧୦ ଜଣ ଲେଖାଏ ପଣବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ବିଏଲଏ ପକ୍ଷରୁ କୁହାଯାଇଛି।
ସ୍ୱାଧୀନ ବେଲୁଚିସ୍ତାନ ପାଇଁ ଦାବି କରୁଥିବା ବିଏଲଏ ବର୍ତ୍ତମାନ ୨୧୪ ଜଣଙ୍କୁ ପଣବନ୍ଦୀ କରି ରଖିଥିବା ବେଳେ ୩୦ ଜଣ ପାକ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବା ଦାବି କରିଛି। ହେଲେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ସରକାର କେବଳ କହିଛନ୍ତି ଯେ ବିଦ୍ରୋହୀମାନେ ଶତାଧିକ ନିରୀହ ଲୋକଙ୍କୁ ପଣବନ୍ଦୀ କରିଛନ୍ତି। ସେମାନେ ମହିଳା ଓ ଛୋଟ ପିଲାଙ୍କୁ ମାନବ ଢାଲ କରୁଥିବାରୁ ଅପରେସନ ବେଶ ସତର୍କତାର ସହ ଅପରେସନ କରାଯାଉଛି।
ମଙ୍ଗଳବାର ବିଏଲଏର ବିଦ୍ରୋହୀମାନେ ଜାଫର ଏକ୍ସପ୍ରେସକୁ ଅପହରଣ କରି ଯାତ୍ରୀମାନଙ୍କୁ ପଣବନ୍ଦୀ କରିଥିଲେ। ଟ୍ରେନଟି ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କ୍ୱେଟ୍ଟାରୁ ଖାୟବର ପାଖତୁନଖ୍ୱାର ପେଶାୱରକୁ ଯାଉଥିଲା। ଏହାର ୯ଟି ବଗିରେ ମୋଟ ୪୦୦ ଜଣ ଯାତ୍ରୀ ଥିଲେ। ମୋଟ ୩୦ ଘଣ୍ଟାର ଯାତ୍ରା ସକାଳ ୯ଟାରୁ ଆରମ୍ଭ ହୋଇଥିଲା। କିନ୍ତୁ ଦିନ ପ୍ରାୟ ୨ଟା ବେଳେ ବିଏଲଏର ସଦସ୍ୟମାନେ ବେଲାନ ଜିଲ୍ଲା ମୁଶକାଫ ଦେଇ ଯାଇଥିବା ରେଳ ଧାରଣାକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଏଠାରେ ଥିବା ଟନେଲ ନିକଟ ରେଳ ଧାରଣାକୁ ସେମାନେ ବିସ୍ଫୋରଣ କରିଥିଲେ।
ଫଳରେ ଟ୍ରେନଟି ବାଧ୍ୟ ହୋଇ ସେଠାରେ ଅଟକିଥିଲା। ଏହାପରେ ୫୦୦ରୁ ଅଧିକ ବନ୍ଧୁକଧାରୀ ଟ୍ରେନରେ ଚଢ଼ି ଯାତ୍ରୀମାନଙ୍କୁ ପଣବନ୍ଦୀ କରିଥିଲେ। ସେମାନେ ଟ୍ରେନରେ ଥିବା ମହିଳା, ଛୋଟ ପିଲା ଓ ବେଲୁଚି ଯାତ୍ରୀଙ୍କୁ ମୁକ୍ତ କରି ଦେଇଥିବା କହିଥିଲେ। କିନ୍ତୁ ଟ୍ରେନରେ ପାକିସ୍ତାନର ବିଭିନ୍ନ ସୁରକ୍ଷା ଏଜେନ୍ସି ପାଇଁ କାମ କରୁଥିବା ସଦସ୍ୟମାନେ ରହିଥିବା ବିଏଲଏ କହିଥିଲା।
ବରିଷ୍ଠ ଅଧିକାରୀ ରାଣା ଦିଲାୱର କହିଛନ୍ତି, ଟ୍ରେନ ଏବେ ବି ଗୁଦାଲାର ଓ ପିରୁ କୁନରି ସ୍ଥିତ ପାହାଡ଼ିଆ ଅଞ୍ଚଳ ସ୍ଥିତ ଟନେଲ ନିକଟରେ ରହିଛି। ବନ୍ଧୁକଧାରୀମାନେ ଯାତ୍ରୀମାନଙ୍କୁ ଏବେ ବି ପଣବନ୍ଦୀ କରି ରଖିଛନ୍ତି। ହେଲିକପ୍ଟର ଓ ଅତିରିକ୍ତ ଫୋର୍ସ ଅପରେସନରେ ସାମିଲ ହୋଇଛନ୍ତି।” ପାକ ସେନା ସୂତ୍ରରୁ ଜଣାପଡ଼ିଛି ଯେ ଜାଫର ଏକ୍ସପ୍ରେସରେ ମୋଟ ୪୨୫ ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରେ ପାକ ସୁରକ୍ଷାକର୍ମୀଙ୍କ ସଂଖ୍ୟା ୮୦। ସେହିପରି ଉଦ୍ଧାର ହୋଇଥିବା ୧୫୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପାକିସ୍ତାନ ରେଳବାଇ ପକ୍ଷରୁ ପେଶାୱର ଓ କ୍ୱେଟ୍ଟା ରେଳ ଷ୍ଟେସନରେ ଜରୁରୀ ଡେସ୍କ ତିଆରି କରାଯାଇଛି। ଲୋକମାନେ ସେଠାରୁ ଟ୍ରେନରେ ଫସି ରହିଥିବା ନିଜ ପ୍ରିୟଜନଙ୍କ ସମ୍ପର୍କରେ ସୂଚନା ହାସଲ କରିବାକୁ ଭିଡ଼ ଜମାଉଛନ୍ତି। ପ୍ରଶାସନ ପକ୍ଷରୁ ସିବି ହସ୍ପିଟାଲ ଓ କ୍ୱେଟ୍ଟାରେ ଥିବା ସରକାରୀ ହସ୍ପିଟାଲରେ ଏମର୍ଜେନ୍ସି ଲାଗୁ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ୱାସିମ ବେଗ କହିଛନ୍ତି, “ସମସ୍ତ ପରାମର୍ଶଦାତା, ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।
ସୁରକ୍ଷାକର୍ମୀମାନେ ହାଇଜାକ ହୋଇଥିବା ଟ୍ରେନରୁ ୧୫୫ ଜଣଙ୍କୁ ଉଦ୍ଧାର କରି ଲୋକଙ୍କୁ ପ୍ରଥମେ ନିକଟସ୍ଥ ମାକ ସହରକୁ ନେଇଥିଲେ। ସେଠାରେ ଥିବା ରେଳ ଷ୍ଟେସନକୁ ମଧ୍ୟ ସୁରକ୍ଷାକର୍ମୀ ନିଜ କବଜାକୁ ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।