Advertisment

ପାକ୍ ସେନା ମୁଖ୍ୟ ଆସିମ ମୁନୀରଙ୍କୁ ଇମ୍ରାନ ଖାନଙ୍କ ତାଚ୍ଛଲ୍ୟ

ଏକାଧିକ ମାମଲାରେ ୨୦୨୩ ଅଗଷ୍ଟ ମାସରୁ ଜେଲ୍‌ରେ ଥିବା ଇମ୍ରାନ ଖାନ ଇତି ମଧ୍ୟରେ ସରକାର ଓ ସେନା ସହିତ ଡିଲ୍ କରି ଦେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Imran Khan and Asim Munir

Imran Khan and Asim Munir

ନିକଟରେ ପାକିସ୍ତାନର ସ୍ଥଳ ସେନା ମୁଖ୍ୟ ଜେନାରାଲ ଆସିମ ମୁନୀରଙ୍କୁ ଫିଲ୍‌ଡ ମାର୍ଶଲ ଭାବେ ପଦୋନ୍ନତି ମିଳିଥିବା ବେଳେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

Advertisment

ସେ ତାଙ୍କ ‘ଏକ୍ସ’ରେ ତାଚ୍ଛଲ୍ୟ କରି ଲେଖିଛନ୍ତି, ଜେନେରାଲ ଆସିମ ମୁନୀରଙ୍କୁ ଫିଲ୍‌ଡ ମାର୍ଶଲ କରି ଦିଆଗଲା। ଏହା ବଦଳରେ ତାଙ୍କୁ ‘ରାଜା’ ଉପାଧି ଦେଇଥିଲେ ଅଧିକ ପ୍ରଯୁଜ୍ୟ ହୋଇଥା’ନ୍ତା। କାରଣ ବର୍ତ୍ତମାନ ଦେଶର ଶାସନ ଜଙ୍ଗଲୀ ଆଇନରେ ଚାଲିଛି। ଆଉ ଜଙ୍ଗଲରେ କେବଳ ଜଣେ ରାଜା ହୁଅନ୍ତି।

ଏକାଧିକ ମାମଲାରେ ୨୦୨୩ ଅଗଷ୍ଟ ମାସରୁ ଜେଲ୍‌ରେ ଥିବା ଇମ୍ରାନ ଖାନ ଇତି ମଧ୍ୟରେ ସରକାର ଓ ସେନା ସହିତ ଡିଲ୍ କରି ଦେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଇମ୍ରାନ କହିଛନ୍ତି, କୌଣସି ଡିଲ୍ ହୋଇନାହିଁ କି କୌଣସି ପ୍ରକାର ଆଲୋଚନା ହୋଇନାହିଁ। ଏନେଇ ସଂପୂର୍ଣ୍ଣ ମିଛ କଥା ପ୍ରଚାର କରାଯାଉଛି।

Advertisment

ଏହା ସହିତ ଇମ୍ରାନ ପାକିସ୍ତାନ ସେନାକୁ ଆଲୋଚନା ପାଇଁ ଖୋଲା ନିମନ୍ତ୍ରଣ ଦେଇଛନ୍ତି। ଯଦି ପାକିସ୍ତାନ ସେନା ସତରେ ଦେଶବାସୀଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଗୁରୁତ୍ୱ ଦେଉଥାଏ, ତା’ହେଲେ ସେମାନେ ତାଙ୍କ ସହିତ ଆଲୋଚନା କରିବାକୁ ଆଗେଇ ଆସନ୍ତୁ। ଦେଶକୁ ବାହ୍ୟ ଶକ୍ତିଗୁଡ଼ିକଠାରୁ ବିପଦ ରହିଛି। ଆତଙ୍କବାଦ ବୃଦ୍ଧି ପାଇଛି। ଦେଶର ଅର୍ଥନୀତି ସଙ୍କଟରେ ପଡ଼ିଛି। ଏହି ସମୟରେ ଆମେ ସମସ୍ତେ ଏକାଠି ହେବା ଉଚିତ। ମୁଁ କେବେବି ମୋ ନିଜ ପାଇଁ କିଛି ମାଗି ନାହିଁ କି ଆଜି ବି ମାଗୁ ନାହିଁ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ଭାରତ ଆଉ ଥରେ ଆକ୍ରମଣ କରିପାରେ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ସତର୍କ କରାଇଛନ୍ତି ଇମ୍ରାନ ଖାନ। ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ପାକିସ୍ତାନ ହେଉଛି ଏମିତି ଏକ ସ୍ଥାନ ଯେଉଁଠାରେ କେବଳ ଦୁର୍ବଳଙ୍କ ବିରୋଧରେ ଆଇନକୁ କାର୍ଯ୍ୟକାରୀ କରାଯାଏ। ଶକ୍ତିଶାଳୀ ବର୍ଗଙ୍କ କ୍ଷେତ୍ରରେ ଆଇନ କାର୍ଯ୍ୟକାରୀ ହୁଏନାହିଁ। ଦେଶର ବର୍ତ୍ତମାନର ସ୍ଥିତିରୁ ଏହା ପ୍ରତିଫଳିତ ହେଉଛି ଯେ ଗଣତନ୍ତ୍ରକୁ ଗୁଣ୍ଡ କରି ଦିଆଯାଉଛି। ଯେତେବେଳେ ଆମେ ଏହି ବାର୍ତ୍ତା ଦେବା ଯେ ଚୋର ଯେତେ ବଡ଼ ହେବ ତାକୁ ସେତିକି ବଡ଼ ପଦ ମିଳିବ ଓ ଆଇନକୁ ପାଦରେ ଦଳି ଦିଆଯିବ, ତା’ହେଲେ ଆଉ କ’ଣ କରାଯାଇପାରିବ। ରାଷ୍ଟ୍ରପତି ଆସିଫ ଜର୍ଦ୍ଦାରୀଙ୍କ ଭଉଣୀଙ୍କ ନାଁରେ ମାମଲା ରହିଛି। କିନ୍ତୁ ତାଙ୍କୁ ପଚରାଉଚରା କରିବା ପାଇଁ କେହି ସାହାସ କରୁ ନାହାନ୍ତି। ସେ ଏବେ ବିଦେଶରେ ଅଛନ୍ତି। ଶେହବାଜ ଶରିଫ ପିକେଆର ୨୨ ବିଲିୟନ ମନି ଲଣ୍ଡରିଂ ମାମଲାରେ ଫସିଥିବା ସତ୍ତ୍ୱେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି। ୩ ବର୍ଷ ହେଲାଣି ପାକିସ୍ତାନର ନୈତିକ ଓ ସାମ୍ବିଧାନିକ ରୂପରେଖ ନଷ୍ଟ ହୋଇଯାଇଛି।

ସୂଚନାଯୋଗ୍ୟ, ଅପରେସନ ସିନ୍ଦୂରରେ ଭାରତ ଠାରୁ ମାତ ଖାଇ ଅସ୍ତ୍ରବିରତି ପାଇଁ ନେହୁରା ହୋଇଥିବା ପାକିସ୍ତାନ ସରକାର ଅଲାଜୁକ ଙ୍କ ଭଳି ଏହାର ସ୍ଥଳ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କୁ ପ୍ରମୋସନ ଦେଇଛନ୍ତି। ପାକିସ୍ତାନ ସରକାର ମୁନିରଙ୍କୁ ଫିଲ୍ଡ ମାର୍ଶଲ ପଦରେ ଅବସ୍ଥାପିତ କରିଛନ୍ତି। ଏହା ପାକିସ୍ତାନର ସର୍ବୋଚ୍ଚ ସାମରିକ ରାଙ୍କ ବା ପାହ୍ୟା। ଏହି ପାହ୍ୟା ପାଇବାରେ ସେ ହେଉଛନ୍ତି ଆୟୁବ ଖାନଙ୍କ ପରେ ଦ୍ୱିତୀୟ ପାକିସ୍ତାନୀ।