ପ୍ରାୟ ଦେଢ଼ବର୍ଷ ପରେ ରାଜ୍ୟ ସରକାର ଖାଲି ପଡ଼ିଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦବୀ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଶୁକ୍ରବାର ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞାପନ ପ୍ରକାଶ ପାଇଛି । ଆସନ୍ତା ଫେବୃୟାରୀ ୨୪ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ ବିଜ୍ଞାପନରେ ଦର୍ଶାଯାଇଛି । ଅବସରପ୍ରାପ୍ତ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଇସ୍ତଫା ଯୋଗୁ ଗତ ୨୦୨୩ ନଭେମ୍ବର ମାସରୁ ଏହି ଓଇଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଛି ।
ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଓଇଆରସି ଅଧ୍ୟକ୍ଷ ପଦବୀ ପୂରଣ ନିମନ୍ତେ ଶୁକ୍ରବାର ବିଜ୍ଞାପନ ପ୍ରକାଶ ପାଇଛି । ଏହି ପଦବୀରେ ସର୍ବାଧିକ ୫ବର୍ଷ ଅବା ୬୫ବର୍ଷ ବୟସ ହେବା ପର୍ଯ୍ୟନ୍ତ(ଯାହା ଆଗ ସରିବ) କାର୍ଯ୍ୟ କରିପାରିବେ । ମାସିକ ୨ଲକ୍ଷ ୨୫ହଜାର ଟଙ୍କା ଦରମା ସହ ଅନ୍ୟାନ୍ୟ ଭତ୍ତା ଓ ସୁବିଧା ମଧ୍ୟ ମିଳିବ । ଯିଏ ଏହି ଅଧ୍ୟକ୍ଷ ପଦବୀରେ କାର୍ଯ୍ୟ କରିବେ ସେ ଅନ୍ୟ କୌଣସି ଦାୟିତ୍ୱରେ ରହିପାରିବେ ନାହିଁ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ସୁରେଶ ଚନ୍ଦ ମହାପାତ୍ରଙ୍କୁ ତତକାଳନୀ ବିଜେଡି ସରକାର ଓଇଆରସି ଅଧ୍ୟକ୍ଷ ପଦବୀରେ ଥଇଥାନ କରିଥିଲେ । ସେ ୨୦୨୩ ମାର୍ଚ୍ଚରେ ଏହି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ୨୦୨୩ ନଭେମ୍ବର ୧୭ରେ ଅଚାନକ ଏଥିରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ଅବସ୍ଥାପିତ ହୋଇଥିଲେ । ଯାହାକୁ ନେଇ ସେତେବେଳେ ବିଭିନ୍ନ ମହଲରେ ନାନାଦି ଚର୍ଚ୍ଚା ହୋଇଥିଲା । ସେବେଠୁ ଖାଲି ପଡ଼ିଥିବା ଏହି ଅଧ୍ୟକ୍ଷ ପଦବୀକୁ ପୂରଣ ପାଇଁ ରାଜ୍ୟ ବିଜେପି ସରକାର ଶୁକ୍ରବାର ବିଜ୍ଞାପନ ଦେଇଛନ୍ତି । ଓଇଆରସି ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ରନାଥ ବେହେରା ୨୦୨୨ ଜାନୁୟାରୀ ୧୫ରେ ନିଜର ୫ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ । ସେବେଠୁ ଆୟୋଗ ଅଧ୍ୟକ୍ଷ ପଦବୀକୁ ପୂରଣ ଦିଗରେ ସରକାର ଆନ୍ତରିକତା ଦେଖାଇନାହାନ୍ତି ।
ଚର୍ଚ୍ଚା ହେଉଛି, ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଅବସରପ୍ରାପ୍ତ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ଓ ରାଜେଶ ବର୍ମାଙ୍କ ମଧ୍ୟରୁ ଜଣଙ୍କୁ ବିଜେପି ସରକାର ଏହି ଅଧ୍ୟକ୍ଷ ପଦବୀରେ ଥଇଥାନ କରିପାରନ୍ତି ।
ସୂଚନାଯୋଗ୍ୟ, ଏବେ ଓଇଆରସିରେ ଦୁଇଜଣ କମିଶନର ଭାବେ ଗଜେନ୍ଦ୍ର ମହାପାତ୍ର ଓ ସୁଶାନ୍ତ କୁମାର ରାୟମହାପାତ୍ର କାର୍ଯ୍ୟ କରୁଛନ୍ତି । ଗଜେନ୍ଦ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ମେ’ ମାସରେ ଶେଷ ହେବ ଓ ସୁଶାନ୍ତଙ୍କର ଆସନ୍ତାବର୍ଷ ମେ’ରେ ସରିବ । ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ ଟାରିଫ୍ ନିର୍ଦ୍ଧାରଣ ପାଇଁ ଓଇଆରସିରେ ଏବେ ଶୁଣାଣି ପ୍ରକ୍ରିୟା ଜାରି ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।