ପଛୁଆବର୍ଗଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ଦେବା ପରେ ରାଜ୍ୟର ମୋହନ ମାଝୀ ସରକାର ବୁଧବାର ଚାକିରି ଆଶାୟୀଙ୍କୁ ନିଜ ସରକାରର ବର୍ଷପୂର୍ତ୍ତି ଉପହାର ଦେଇଛନ୍ତି। ଦୀର୍ଘବର୍ଷ ଧରି ସରକାରୀ ଚାକିରି ଆଶାୟୀମାନେ ସର୍ବୋଚ୍ଚ ବୟସସୀମାକୁ କୋହଳ ନିମନ୍ତେ ଦାବି କରିଆସୁଥିଲେ। ରାଜ୍ୟ କ୍ୟାବିନେଟ୍ କେବଳ ୟୁନିଫର୍ମ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସେବାରେ ଚାକିରିର ସର୍ବୋଚ୍ଚ ବୟସୀମାକୁ ୩୨ରୁ ୪୨ବର୍ଷକୁ ବୃଦ୍ଧି କରିଛନ୍ତି। ଏହାସହିତ ଦୀର୍ଘ ୩ ବର୍ଷ ପୂର୍ବରୁ ପାରାଦୀପର ଜଟାଧାର ମୁହାଣରେ କ୍ୟାପଟିଭ ଜେଟି ନିର୍ମାଣ ନିମେନ୍ତ ଜେଏସଡବ୍ଲ୍ୟୁ ଷ୍ଟିଲ ସହ ହୋଇଥିବା ଏମଓୟୁ ଓ ନିଜସ୍ୱ ଏଆଇ ନୀତିକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ରାତିରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏସବୁ ପ୍ରସ୍ତାବ ସମେତ ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ସରକାରୀ ଚାକିରି ପାଇଁ ବୟସ ସୀମା ୩୨ରୁ ୪୨କୁ ବୃଦ୍ଧି
ଓଡ଼ିଶା ବେସାମରିକ ସେବା(ସର୍ବୋଚ୍ଚ ବୟସସୀମା ସ୍ଥିରୀକରଣ), ରୁଲସ-୧୯୮୯ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଫଳରେ ସରକାରୀ ଚାକିରି ନିମନ୍ତେ ସର୍ବୋଚ୍ଚ ବୟସ ସୀମାକୁ ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଅଧିକ ବୟସ୍କ ପ୍ରାର୍ଥୀଙ୍କୁ ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିପାରିବ। ତେବେ ୟୁନିଫର୍ମ ସେବା ଯଥା- ପୁଲିସ, ଅଗ୍ନିଶମ, ବନ ଓ ଅବକାରୀ ଭଳି ନିର୍ଦ୍ଦିଷ୍ଟ ସେବାର ଚାକିରିରେ ଯେଉଁଥିରେ କି ଶାରୀରିକ ଦକ୍ଷତା ପରୀକ୍ଷା ଆବଶ୍ୟକ ରହିଥାଏ ସେଥିପାଇଁ ଏହି ବୟସସୀମା ବୃଦ୍ଧି ନିୟମ ଲାଗୁ ହେବ ନାହିଁ। ଏହାକୁ ବାଦ୍ ଦେଇ ଅନ୍ୟ ସମସ୍ତ ମୂଳପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସର୍ବୋଚ୍ଚ ବୟସସୀମା ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ କୋହଳ ହେବ। ଉଲ୍ଲେଖଯୋଗ୍ୟ, ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମାକୁ ବୃଦ୍ଧି ପାଇ ବିଭିନ୍ନ ସଂଗଠନ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲେ।
ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ଏମଓୟୁକୁ ମଞ୍ଜୁରୀ
ଜଗତସିଂହପୁର ଜିଲ୍ଲାର ପାରାଦୀପ ନିକଟସ୍ଥ ଜଟାଧାର ମୁହାଣଠାରେ ଏକ କ୍ୟାପଟିଭ ଜେଟି ନିର୍ମାଣ ପାଇଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ ସହ ରାଜ୍ୟ ସରକାରଙ୍କ ମଧ୍ୟରେ ୨୦୨୨ ଡିସେମ୍ବର ୩ ତାରିଖରେ ସ୍ୱାକ୍ଷରିତ ଏମଓୟୁକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ଜେଟି ଜେଏସଡବ୍ଲ୍ୟୁ ଉତ୍କଲ ଷ୍ଟିଲ ଦ୍ୱାରା ଏରସମାରେ ହେବାକୁ ଥିବା ଏକ ସମନ୍ୱିତ ଇସ୍ପାତ କାରଖାନାର କାର୍ଗୋ ପରିଚାଳନା ପାଇଁ ନିର୍ମାଣ ହେବ, ଯାହା ରାଜ୍ୟରେ ଅର୍ଥନୈତିକ ବିକାଶ ଓ ପ୍ରାୟ ୩୪୫୦ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଓଡ଼ିଶା ମେରିଟାଇମ ବୋର୍ଡ ଏହାର ଅଗ୍ରଗତି, ପରିଚାଳନା ଓ କାର୍ଯ୍ୟକାରିତା ଉପରେ ନଜର ରଖିବ। ଓଡ଼ିଶା ସରକାରଙ୍କ ବନ୍ଦର ନୀତି - ୨୦୨୨ ଅନୁଯାୟୀ ଶିଳ୍ପର ବିକାଶ ସହିତ ବନ୍ଦରକୁ ସଂଯୋଗ କରୁଥିବା ଭିତ୍ତିଭୂମିର ବିକାଶକୁ ଏହି ଜେଟି ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି। ତେବେ ପସ୍କୋ କମ୍ପାନୀକୁ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ଅନୁମତି ଦେବାବେଳେ ଜୈବବିବିଧତା ଓ ସୁରକ୍ଷା ଦୃଷ୍ଟିରୁ ଯେଉଁ ସମସ୍ୟାକୁ ନେଇ ହୋ-ହାଲ୍ଲା ହୋଇଥିଲା ତାକୁ ଜେଏସଡବ୍ଲ୍ୟୁ ଷ୍ଟିଲ କ୍ଷେତ୍ରରେ ରାଜ୍ୟ ସରକାର କିଭଳି ସମାଧାନ କରିବେ ତାହା ଜଣାପଡ଼ିନି।
ଓଡ଼ିଶା ଆର୍ଟିଫିସିଆଲ ଇେଂଟଲିଜେନ୍ସ (ଏଆଇ) ନୀତି-୨୦୨୫କୁ ମଞ୍ଜୁରୀ
ରାଜ୍ୟ ସରକାରଙ୍କ ନିଜସ୍ୱ ଓଡ଼ିଶା ଆର୍ଟିଫିସିଆଲ ଇେଂଟଲିଜେନ୍ସ (ଏଆଇ) ନୀତି-୨୦୨୫କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ଏଆଇ ନୀତିକୁ ଅନୁମୋଦନ ମିଳିଛି। ଏହି ନୀତି ରାଜ୍ୟରେ ଏଆଇ ଜରିଆରେ ଶାସନ, ନବୋନ୍ମେଷ, ଡାଟା-ଆଧାରିତ ନିଷ୍ପତ୍ତିି ଓ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହନ କରିବ। ଏହା ଚାରୋଟି ମୌଳିକ ସ୍ତମ୍ଭ ଉପରେ ଆଧାରିତ ଯଥା- ଏଆଇ ଭିତ୍ତିଭୂମି, ଦକ୍ଷତା, ଶକ୍ତି ଓ ନିୟନ୍ତ୍ରଣ ଢାଂଚା। ସରକାର ଏହି ନୀତି ଆଧାରରେ ‘ଓଡ଼ିଶା ଏଆଇ ମିଶନ’ ଗଠନ କରିବେ, ଯେଉଁଥିରେ ଏଆଇ ଟାସ୍କ ଫୋର୍ସ ଓ ଏଆଇ ସେଲ୍ ରହିବ। ଯାହା ବିଭିନ୍ନ ବିଭାଗରେ ଏଆଇ ପ୍ରୟୋଗ, ପାଇଲଟ ପ୍ରୋଜେକ୍ଟ ଓ ଷ୍ଟାର୍ଟଆପକୁ ସମର୍ଥନ ଦିଗରେ କାର୍ଯ୍ୟ କରିବ। ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଓ ଶାସନ କ୍ଷେତ୍ରରେ ଏଆଇର ବ୍ୟାପକ ପ୍ରଭାବୀ ବ୍ୟବହାରକୁ ଏହା ଗୁରୁତ୍ୱ ଦେଇଛି। ରାଜ୍ୟ ସରକାର ନାସକମ୍ ସହଭାଗିତାରେ ଏକ ‘ଏଆଇ ସେଂଟର ଅଫ ଏକ୍ସଲେନ୍ସ’ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୱାଧୱାନି ଫାଉଣ୍ଡେସନ ସହଯୋଗରେ ଦକ୍ଷତା ବିକାଶ କର୍ମଶାଳା ମଧ୍ୟ ଆୟୋଜନ କରାଯାଉଛି।
ମହିମା ଗାଦିରେ ବିକାଶ ଓ ନୂଆ ଶୂନ୍ୟ ମଣ୍ଡପ ନିର୍ମାଣ
ମହିମା ଧର୍ମାବଲମ୍ବୀଙ୍କ ଆସ୍ଥାର ପୀଠ ଯୋରନ୍ଦା ଗାଦିର ବିକାଶ ପାଇଁ ମୋହନ ସରକାର ପଦକ୍ଷେପ ନେଇଛନ୍ତି। ଢେଙ୍କାନାଳର ଯୋରନ୍ଦାସ୍ଥିତ ପ୍ରସିଦ୍ଧ ମହିମା ଗାଦିରେ ବିକାଶ କାର୍ଯ୍ୟ ଓ ନୂଆ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପର ମୋଟ ଅଟକଳ ୨୪୦.୦୧ କୋଟି ଟଙ୍କା ହୋଇଥିବାବେଳେ ମେସର୍ସ ଆଇରନ ଟ୍ରାଏଙ୍ଗଲ ଲିମିଟେଡଙ୍କୁ ୧୭୧.୧୧ କୋଟି ଟଙ୍କାରେ ଏହି କାର୍ଯ୍ୟାଦେଶ ଦିଆଯାଇଛି। ଏହା ୩୬ ମାସ ମଧ୍ୟରେ ସଂପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଯୋରନ୍ଦାର ପର୍ଯ୍ୟଟନ ବୃଦ୍ଧି କରିବ ଓ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ।
ଓଡ଼ିଶା ଚକ୍ଷୁଚିକିତ୍ସା ସେବା ରୁଲସ-୨୦୨୫କୁ ଅନୁମୋଦନ
ଓଡ଼ିଶା ଚକ୍ଷୁଚିକିତ୍ସା ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ରୁଲସ-୨୦୨୫କୁ ଅନୁମୋଦନ ମିଳିଛି। ଏବେ ୧୯୭ ଜଣ ଚକ୍ଷୁଚିକିତ୍ସା ସହାୟକ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ନୂଆ ରୁଲସ୍ ଅନୁଯାୟୀ ଏହି ସର୍ଭିସ କ୍ୟାଡ଼ରରେ ମୂଳ ପଦବୀ ସଂଖ୍ୟା ୩୩୮ରୁ ୮୩୮କୁ ବୃଦ୍ଧି କରାଯିବ, ଯେଉଁଥିରେ ୧୪୧ଟି ନୂଆ ପଦବୀ ସହ ପଦୋନ୍ନତ୍ତି ଆଧାରରେ ବିଭିନ୍ନ ପଦବୀରେ ମୋଟ ୨୦୦ଟି ପଦବୀ ସୃଷ୍ଟି କରାଯିବ। ଏହା ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଚକ୍ଷୁଚିକିତ୍ସକ ସହାୟକଙ୍କ ପାଇଁ ଚାକିରି ନିରାପତ୍ତା ଓ କ୍ୟାରିୟର ଉନ୍ନତିକୁ ସୁନିଶ୍ଚିତ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।