Advertisment

କେଉଁମାନେ ହୋଇପାରିବେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ଓଏସ୍‌ଡି, ଗାଇଡଲାଇନ୍ ଜାରି

ଗାଇଡଲାଇନକୁ କଡ଼ାକଡ଼ି ଭାବେ ମାନିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି।

author-image
Jitendra Garnayak
Loka Seva Bhavan

Loka Seva Bhavan

ମନ୍ତ୍ରୀମାନଙ୍କ ପ୍ରାଇଭେଟ ସେକ୍ରେଟେରୀ ବା ବ୍ୟକ୍ତିଗତ ସଚିବ ଏବଂ ଓଏସ୍‌ଡି ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗାଇଡଲାଇନ ବା ମାର୍ଗଦର୍ଶିକ ଜାରି କରାଯାଇଛି।

Advertisment

ଏହି ଗାଇଡଲାଇନ ଅନୁଯାୟୀ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟା ଅଫିସରମାନେ ମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ସଚିବ ହୋଇପାରିବେ। ଯୁଗ୍ମ ସଚିବ କିମ୍ବା ଅନୁ ସଚିବ ପାହ୍ୟା ଅଫିସରମାନେ ମନ୍ତ୍ରୀମାନଙ୍କର ଓଏସ୍‌ଡି ନିଯୁକ୍ତ ହୋଇପାରିବେ। ବ୍ୟକ୍ତିଗତ ସଚିବଙ୍କଠାରୁ ଓଏସ୍‌ଡି ଗୋଟିଏ ପାହ୍ୟା ଜୁନିୟର ହୋଇଥିବା ଆବଶ୍ୟକ। ଯଦି ଜଣେ ପୂର୍ବରୁ ପ୍ରାଇଭେଟ ସେକ୍ରେଟାରୀ ବା ଓଏସ୍‌ଡି ଥିବେ, ତା’ହେଲେ ତାଙ୍କୁ ନୂଆ କରି ସେହି ପଦବୀଗୁଡ଼ିକରେ ନିଯୁକ୍ତି ଦେବାକୁ ହେଲେ ୫ ବର୍ଷ ବ୍ୟବଧାନ ରଖାଯିବା ଜରୁରୀ। ଅର୍ଥାତ୍ ଏହି ପଦବୀରେ ପୂର୍ବ ନିଯୁକ୍ତି ଓ ବର୍ତ୍ତମାନ ନିଯୁକ୍ତି ମଧ୍ୟରେ ୫ ବର୍ଷ ବ୍ୟବଧାନ ରହିବା ବାଞ୍ଛନୀୟ।

ଯେଉଁ ଅଧିକାରୀମାନଙ୍କୁ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ ବା ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯିବ, ସେମାନଙ୍କ ନାଁରେ କୌଣସି ପ୍ରକାର ଶୃଙ୍ଖଳାଗତ ମାମଲା ନଥିବା ଆବଶ୍ୟକ। ସେହିପରି ସେମାନଙ୍କ ନାଁରେ କୌଣସି ପ୍ରକାର ଭିଜିଲାନ୍ସ କିମ୍ବା ଫୌଜଦାରୀ ମାମଲା ନଥିବା ଆବଶ୍ୟକ। ସେମାନଙ୍କ ସିସିଆର/ପିଏଆରରେ କୌଣସି ପ୍ରକାର ନକାରାତ୍ମକ ମନ୍ତବ୍ୟ ନଥିବା ଆବଶ୍ୟକ।

Advertisment

ସଂପୃକ୍ତ ବିଭାଗମାନଙ୍କୁ ଏହି ଗାଇଡଲାଇନକୁ କଡ଼ାକଡ଼ି ଭାବେ ମାନିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି।