ବାତ୍ୟା ‘ମିଗଜୋମ୍’ : ସବୁ ଜିଲ୍ଲାପାଳଙ୍କୁ ଫସଲ କ୍ଷତି ରିପୋର୍ଟ ମାଗିଲେ ଏସଆରସି

ବାତ୍ୟା ‘ମିଗଜୋମ୍‌’ ପ୍ରଭାବରେ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ‘ମିଗଜୋମ୍’

  • Published: Wednesday, 06 December 2023
  • , Updated: 06 December 2023, 08:23 PM IST

ବାତ୍ୟା ‘ମିଗଜୋମ୍‌’ ପ୍ରଭାବରେ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଫସଲ କ୍ଷୟକ୍ଷତିର ଆକଳନ କରି ଏକ ନିର୍ଦ୍ଧାରିତ ଫର୍ମାଟରେ ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳଙ୍କୁ ଆଜି ଚିଠି ଲେଖିଛନ୍ତି । ଚଳିତମାସ ୧୨ତାରିଖ ସୁଦ୍ଧା ଏହି କ୍ଷୟକ୍ଷତି ଆକଳନ ରିପୋର୍ଟ ପଠାଇବାକୁ ସେ କହିଛନ୍ତି ।

ଆଜି ଶ୍ରୀ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବାତ୍ୟା ମିଗଜୋମ୍ ଭାବରେ ଗତ କିଛିଦିନ ଧରି ସମଗ୍ର ରାଜ୍ୟରେ ବର୍ଷା ହୋଇଥିବାରୁ ଠିଆ ହୋଇଥିବା ଖରିଫ ଫସଲ ଓ ଉଦ୍ୟାନ କୃଷି ଫସଲ କ୍ଷତିଗ୍ରସ୍ତ ହୋଇଥାଇପାରେ । ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତି ଭରଣା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର ସର୍ତ୍ତାବଳୀ ଅନୁସାରେ ୩୩ ପ୍ରତିଶତ ବା ତା’ଠୁ ଅଧିକ ପରିମାଣର ଫସଲ କ୍ଷତି ହୋଇଥିବ ଚାଷୀଙ୍କୁ କୃଷି ଇନପୁଟ ସବସିଡି ପ୍ରଦାନ କରାଯିବ ।

ତେଣୁ ଉଭୟ କୃଷି ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଫସଲର ଆକଳନ କରି ୩୩% ବା ତା’ଠୁ ଅଧିକ ଫସଲ କ୍ଷତିର ରିପୋର୍ଟ ଏକ ନିର୍ଦ୍ଧାରିତ ଫର୍ମାଟରେ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବିଶେଷକରି ପୌରାଂଚଳ, ବ୍ଲକ, ପଂଚାୟତ ଓ ଗାଁୱାରି କ୍ଷୟକ୍ଷତି ରିପୋର୍ଟ ପଠାଇବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଫସଲ କ୍ଷୟକ୍ଷତି ଆକଳନବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ ଜମିର ରେକର୍ଡକୁ ଭୁଲେଖ ଦ୍ୱାରା ଯାଂଚ କରାଇବାକୁ ମଧ୍ୟ ଏସଆରସି ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳମାନେ ଫସଲ କ୍ଷୟକ୍ଷତି(ଆକଳନ ଅନୁସାରେ ଫସଲ ନଷ୍ଟ ହୋଇଥିବା ଜମିର ଚାଷଭିତ୍ତିକ ପରିମାର) ଅନୁମୋଦନ କରିବେ ଓ କୃଷି ଇନପୁଟ୍ ସବସିଡି ବଂଟନ ପାଇଁ ଅର୍ଥର ଆବଶ୍ୟକତାକୁ ଗ୍ରହଣୀୟ ଭାବେ ପ୍ରଦାନ କରିବେ । ଆକଳନ ସମୟରେ କ୍ଷତିଗ୍ରସ୍ତ ଫସଲ ଜମିର ଜିଓ ଟ୍ୟାଗ୍ ଓ ଟାଇମ୍ ଉଲ୍ଲେଖ ଥିବା ଫଟୋ ଉଠାଇ କେସ୍ ରେକର୍ଡରେ ସଂରକ୍ଷିତ ରଖିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି ।

ତଦାରଖକାରୀ ଅଧିକାରୀ (ଉପଜିଲ୍ଲାପାଳ/ତହସିଲଦାର,ଅତିରିକ୍ତ ତହସିଲଦାର, ଜିଲ୍ଲା କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ) ମୂଲ୍ୟାୟନର ସଠିକତା ନିଶ୍ଚିତ କରିବା ପାଇଁ ଆବଶ୍ୟକ ଯାଂଚ କରିବେ । ଏହାସହିତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଥିବା କ୍ଷୟକ୍ଷତି ରିପୋର୍ଟକୁ ଅନୁମୋଦନ ନିମନ୍ତେ ନିଜେ ଏକ ସାର୍ଟଫିକେଟ୍ ମଧ୍ୟ ଦେବେ ।

ତେବେ ଏହି କ୍ଷୟକ୍ଷତି ରିପୋର୍ଟ ପଠାଇବାବେଳେ ଚଳିତବର୍ଷ ବନ୍ୟା ଓ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା(ପୂର୍ବରୁ ରିପୋର୍ଟ ଆସିଥିବା) ଫସଲ କ୍ଷୟକ୍ଷତିକୁ ସାମିଲ ନକରିବାକୁ ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ପ୍ରଭାବରେ ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ମଧ୍ୟ ଆଜି ଦିନତମାମ ବର୍ଷା ହୋଇଛି।

 

Related story