ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ନିଜର ଏକବର୍ଷ ପୂର୍ତ୍ତି ପାଳନ କରୁଛି । ଆଉ ଏପଟେ ରାଜ୍ୟ ସରକାର ନିଜର କର୍ମଚାରୀ ଓ ଅଫିସରମାନଙ୍କୁ ‘ସମୟାନୁବର୍ତ୍ତିତା’ର ପାଠ ପଢ଼ାଇବାକୁ ଯାଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସରକାରୀ ଅଫିସକୁ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ସରକାର ଏଆଇ ଆଧାରିତ କ୍ୟାମେରା, ରେଡିଓ ଫ୍ରିକ୍ୱେିନ୍ସି ଆଇକାର୍ଡ ଓ ଲଗାତାର ୩ଥର ୩୦ମିନିଟ୍ ବିଳମ୍ବ ପାଇଁ ଗୋଟିଏଦିନର ସିଏଲ୍ କାଟିଦେବା ଭଳି କଠୋର ନିଷ୍ପତ୍ତି ନେଇଛନ୍ତି । ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପିଅନଠୁ ସଚିବ ପର୍ଯ୍ୟନ୍ତ ସବୁବର୍ଗର ଅଫିସର ଓ କର୍ମଚାରୀଙ୍କ ନିମନ୍ତେ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।
ବାୟୋମେଟ୍ରିକ୍ ଉପସ୍ଥାନ
କାର୍ଯ୍ୟାଳୟରେ କର୍ମଚାରୀ ଓ ଅଫିସରମାନଙ୍କ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ସମସ୍ତ ବିଭାଗକୁ ବାୟୋମେଟ୍ରିକ୍ ଉପସ୍ଥାନ ସିଷ୍ଟମ୍ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସିଷ୍ଟମଗୁଡ଼ିକ ଏନଆଇସି ଦ୍ୱାରା ବିକଶିତ ବାୟୋମେଟ୍ରିକ୍ ଉପସ୍ଥାନ ସିଷ୍ଟମ୍ ପୋର୍ଟାଲ ସହ ସଂଯୁକ୍ତ ହେବ ।
ପ୍ରତ୍ୟେକ ବିଭାଗରେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀ ପ୍ରତି ପାକ୍ଷିକ ଭାବେ ଏହି ତଥ୍ୟ ବିଶ୍ଳେଷଣ କରିବେ । ପ୍ରତ୍ୟେକ କର୍ମଚାରୀଙ୍କୁ ଅଫିସରେ ‘ପ୍ରବେଶ’ ଓ ‘ପ୍ରସ୍ଥାନ’ ସମୟ ରେକଡ ର୍କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ପ୍ରସ୍ଥାନ’ ସମୟ ରେକର୍ଡ ନକଲେ ତାହାକୁ ଅନୁପସ୍ଥିତି ଭାବେ ବିବେଚନା କରାଯିବ ।
ସର୍ବାଧିକ ୩ଥର ବିଳମ୍ବ ହେଲେ କଟିବ ଗୋଟିଏ ଦିନ ଛୁଟି
ନୂଆ ନିୟମ ଅନୁଯାୟୀ, ଯେକୌଣସି ଦିନ ପାଇଁ ସର୍ବାଧିକ ୩୦ ମିନିଟର ବିଳମ୍ବକୁ କ୍ଷମା କରାଯାଇପାରିବ, ଯାହା ଗୋଟିଏ ମାସରେ ସର୍ବାଧିକ ତିନି ଦିନ ପାଇଁ ପ୍ରଯୁଜ୍ୟ । ଯଦି କୌଣସି କର୍ମଚାରୀ ୩ଦିନରୁ ଅଧିକ ୩୦ମିନିଟ୍ ଲେଖାଏଁ କାର୍ଯ୍ୟାଳୟକୁ ଆସିବାରେ ବିଳମ୍ବ କରନ୍ତି ଓ ଏଥିପାଇଁ ତାଙ୍କ ଉପଯୁକ୍ତ କର୍ତ୍ତୃପକ୍ଷ ଅନୁମତି ଦେଇନଥିବେ ତା’ହେଲେ ତାଙ୍କର ସିଏଲ୍(କାଜୁଆଲ ଲିଭ୍)ରୁ ଗୋଟିଏ ଦିନ କାଟି ଦିଆଯିବ । ପ୍ରତି ୩ଦିନର ବିଳମ୍ବ ପାଇଁ ନିୟମିତ ଭାବେ ଗୋଟିଏ ଲେଖାଏଁ ସିଏଲ୍ କଟିବ ।
କିଏ ପାଇବେ ନିୟମ କୋହଳର ସୁବିଧା?
ଯେଉଁ କର୍ମଚାରୀମାନେ ଦୀର୍ଘ ସମୟ କିମ୍ବା ସରକାରୀ ଛୁଟି ଦିନରେ ଅଫିସ୍ ପାଇଁ କାମ କରୁଛନ୍ତି, ସେମାନେ ନିଜର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆଧାରରେ ଏହି ନିୟମରୁ କୋହଳ ବା ଛାଡ଼ ପାଇପାରିବେ । ସେହିପରି ସରକାରୀ ଗସ୍ତରେ ଥିବା କିମ୍ବା ଅଫିସ୍ କାମ ପାଇଁ ବାହାରେ ଥିବା ଅଫିସର ଓ କର୍ମଚାରୀମାନେ ଯଥାର୍ଥ କାରଣ ଦର୍ଶାଇ ଏହି ନିୟମରୁ କୋହଳ ପାଇପାରିବେ ।
ରାଜ୍ୟପାଳଙ୍କ ସଚିବାଳୟ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରତ୍ୟେକ କାର୍ଯ୍ୟଦିବସରେ ଅତି କମରେ ସାଢ଼େ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
କର୍ମଚାରୀଙ୍କୁ ଜଗିବ ଏଆଇ କ୍ୟାମେରା ଓ ଆରଏଫଆଇଡି ଆଇକାର୍ଡ
ରାଜ୍ୟ ସରକାର ଭବିଷ୍ୟତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ କ୍ୟାମେରା (ଏଆଇ କ୍ୟାମେରା) ଓ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ(ଆରଏଫଆଇଡି) ପରିଚୟ ପତ୍ର ଜରିଆରେ ଉପସ୍ଥାନ ରେକର୍ଡ କରିବାକୁ ଯୋଜନା କରୁଛନ୍ତି । ଏହି ଉନ୍ନତ ସିଷ୍ଟମର ପରୀକ୍ଷଣ ପ୍ରଥମେ ଲୋକସେବା ଭବନ ଓ ଖାରବେଳ ଭବନରେ ଆରମ୍ଭ ହେବ ଏବଂ ପରେ ଏହା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସମ୍ପ୍ରସାରଣ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଗୁରୁବାର ସମସ୍ତ ବିଭାଗର ସଚିବ, ଆରଡିସି, ଜିଲ୍ଲାପାଳ, ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଓ ବିଭିନ୍ନ ସରକାରୀ ନିଯୁକ୍ତି ଆୟୋଗଙ୍କ ନିକଟକୁ ଏହି ନିର୍ଦ୍ଦେଶାନାମା ପଠାଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।