ତ୍ରିପୁରାରେ ଓଡ଼ିଆ BSF ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ସେ ୨୦୦୯ ମସିହାରେ ବିଏସ୍‌ଏଫ୍‌ ଯୋଗ ଦେଇଥିଲେ। ଗତକାଲି ରାତିରେ ସେ ଡ୍ୟୁଟିକୁ ଯାଇଥିଲେ।

ସହିଦ ଈଶ୍ୱର ଦୋରା

  • Published: Friday, 17 November 2023
  • , Updated: 17 November 2023, 05:32 PM IST

ତ୍ରିପୁରାରେ ସୀମାରେ ମୁତୟନ ହୋଇଥିବା ଜଣେ ଓଡ଼ିଆ ବିଏସ୍‌ଏଫ୍ ଯବାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ନାଁ ଈଶ୍ୱର ଦୋରା। ଈଶ୍ୱରଙ୍କ ମୃତ୍ୟୁ ନେଇ ତାଙ୍କ ବଡ଼ ଭାଇ କୈଳାସ ଦୋରା ସୂଚନା ଦେଇଛନ୍ତି।

ଈଶ୍ୱରଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗାଁରେ। ସେ ୨୦୦୯ ମସିହାରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଈଶ୍ୱର ବାଂଲାଦେଶକୁ ଲାଗିଥିବା ଲଙ୍କାମୁରାରେ ଥିବା ବିଏସଏଫର ସୀମା ଆଉଟପୋଷ୍ଟରେ ମୁତୟନ ହୋଇଥିଲେ। ଗତକାଲି ରାତିରେ ସେ ଡ୍ୟୁଟିକୁ ଯାଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଲଙ୍କାମୁରା ଲୁହା ପୋଲ ତଳୁ ଉଦ୍ଧାର ହୋଇଥିଲା।ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପ୍ରାଥମିକ ତଦନ୍ତରୁ ସେ ନାଳରେ ଖସି ପ୍ରାଣ ହରାଇଥିବା କୁହାଯାଉଛି।

ଈଶ୍ୱରଙ୍କ ଦେହରେ କୌଣସି ଦାଗ ନ ଥିବା କୁହାଯାଉଛି। ତାଙ୍କ ମୃତଦେହ ପାଖରେ ତାଙ୍କ ରାଇଫଲ ପଡ଼ିଥିଲା। ଘଟଣାର ତଦନ୍ତ କରାଯାଉଛି। 

ଈଶ୍ୱରଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। ତାଙ୍କ ଗାଁରେ ଶୋକରଛାୟା ଖେଳିଯାଇଛି।

Related story