ନିଜସ୍ୱ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପଲିସିକୁ କାର୍ଯ୍ୟକାରୀ କରି ଓଡ଼ିଶା ସରକାର ରାଜ୍ୟରେ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଲବିକ କ୍ରାନ୍ତି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ କ୍ୟାବିନେଟ୍ ଗତ ମେ’ ୨୮ତାରିଖରେ ‘ଓଡ଼ିଶା ଏଆଇ ପିଲିସି-୨୦୨୫’କୁ ନୀତିଗତ ଅନୁମୋଦନ ଦେବାର ପ୍ରାୟ ୨୦ଦିନ ପରେ ଅର୍ଥାତ୍ ଜୁନ୍ ୧୮ତାରିଖରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ଏହି ‘ଏଆଇ ପଲିସି’କୁ ସାର୍ବଜନୀନ କରିଛି ।
ମାତ୍ର ରାଜ୍ୟର ବାସ୍ତବ ସମସ୍ୟା, ଅନନ୍ୟ ସାମାଜିକ,ସାଂସ୍କୃତିକ ଓ ଭୌଗଳିକ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ‘ଓଡ଼ିଶାର ସମ୍ପୂର୍ଣ୍ଣ ନିଜସ୍ୱ ଏଆଇ ପଲିସି’ ଆଣିବା ପରିବର୍ତ୍ତେ ଏଭଳି ଏକ ପଲିସିକୁ ଲଦି ଦେବାକୁ ପ୍ରୟାସ ହୋଇଛି ଯେଉଁଥିରେ ରାଜ୍ୟବାସୀଙ୍କ ଡାଟାର ଗୋପନୀୟତା ଓ ଏହାର ଦୁରୂପଯୋଗକୁ ରୋକିବା ନିମନ୍ତେ କୌଣସି କଠୋର ନିୟମ କିମ୍ବା ଦଣ୍ଡର ପ୍ରାବଧାନ ନାହିଁ । ଏପରିକି ରାଜ୍ୟର ବୃହତ୍ ବର୍ଗ ବା ତୃଣମୂଳସ୍ତରର ମେରୁଦଣ୍ଡ ପଂଚାୟତସ୍ତରୀୟ ନିର୍ବାଚିତ ଜନପ୍ରତିନିଧି,ଚାଷୀ, ମହିଳା ପ୍ରତିନିଧି ଓ ଶିକ୍ଷକମାନଙ୍କ ଭାଗିଦାରୀ ତ ଦୂରର କଥା ସେମାନଙ୍କର ମତାମତକୁ ମଧ୍ୟ ଏହି ପଲିସି ପ୍ରସ୍ତୁତିରେ ଗୁରୁତ୍ୱ ଦେବାକୁ ସରକାର ଉଚିତ୍ ମଣିନାହାନ୍ତି । ଯଦିଓ ଏହି ଏଆଇ ପଲିସି ‘୫ବର୍ଷ ପାଇଁ’ ପ୍ରସ୍ତୁତ ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି।
ବାସ୍ତବତାଠୁ ବହୁ ଦୂରରେ ସରକାରଙ୍କ ପଲିସି
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାରଙ୍କ ‘ଏଆଇ ପଲିସି-୨୦୨୫’ରେ ଯାହା ଉଲ୍ଲେଖ ରହିଛି, ତାହା ଯେମିତି ବାସ୍ତବତାଠୁ ବହୁ ଦୂରରେ ରହିଛି । ଏହି ପଲିସିରେ ଓଡ଼ିଶା ନିଜକୁ ଏଆଇ ମହାଶକ୍ତି ହେବାର ସ୍ୱପ୍ନ ଦେଖୁଥିବାବେଳେ ଗ୍ରାମାଂଚଳରେ ଇଣ୍ଟରନେଟ ଓ ୨୪ଘଣ୍ଟିଆ ବିଦ୍ୟୁତ ସେବା ଏପର୍ଯ୍ୟନ୍ତ ଅପହଂଚ ରହିଛି । ଡିଜିଟାଲ ଭିତ୍ତିଭୂମି ନଥାଇ ଏହି ଏଆଇ ସ୍ୱପ୍ନ କେବଳ କାଗଜକଲମ ମଧ୍ୟରେ ସୀମିତ ରହିଯିବ । ସେହିପରି ଏହି ପଲିସିରେ ୨୦୩୬ ସୁଦ୍ଧା ୯୦% ସ୍କୁଲରେ ଏଆଇ ପାଠ୍ୟକ୍ରମ ପ୍ରଚଳନ କରିବା, ୧୦୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ଏଆଇ ପ୍ରଶାସନର ତାଲିମ ପ୍ରଦାନ କରିବା ଓ ଏଆଇ ଭିତ୍ତିଭୂମି ନିମନ୍ତେ ୬୫% ଅକ୍ଷୟ ଶକ୍ତି ଉପଯୋଗ, ବାର୍ଷିକ ୧୮ହଜାର ଲୋକଙ୍କୁ ଏଆଇ ପ୍ରଶିକ୍ଷଣ ଭଳି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି । ଏପରିକି ଏଆଇ ପଲିସିରେ ମଧ୍ୟ ରାଜ୍ୟ ସରକାର ୫ବର୍ଷିଆ(୨୦୨୯ ମସିହା ପର୍ଯ୍ୟନ୍ତ) ଟାର୍ଗେଟ ନିର୍ଦ୍ଧାରଣ କରିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଏବେ ମାତ୍ର ୫୮% ସ୍ମାର୍ଟଫୋନ୍ ବ୍ୟବହାରକାରୀ ଥିବାବେଳେ ପ୍ରତ୍ୟେକ ନାଗରିକଙ୍କୁ ଏଆଇଭିତ୍ତିକ ସେବା ପ୍ରଦାନ କରାଯିବ ବୋଲି ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବା କ’ଣ ପରୋକ୍ଷରେ ବାସ୍ତବତାଠୁ ଢେର ଦୂରରେ ନୁହେଁ କି । ଏପର୍ଯ୍ୟନ୍ତ ରାଜ୍ୟର ଗାଁଗହଳିରେ ମୋବାଇଲ ଫୋନ୍ ସିଗନାଲ ଓ ୨୪ଘଣ୍ଟିଆ ବିଦ୍ୟୁତ ଉପଲବ୍ଧ ହୋଇପାରିନି । ରାଜ୍ୟର ସାଧାରଣ ଲୋକଙ୍କ ପାଇଁ ଏହି ସମସ୍ୟା ଏବେବି ଯନ୍ତ୍ରଣାଦାୟକ ହୋଇ ରହିଛି । ତେଣୁ ଏଆଇ ପଲିସି ପ୍ରସ୍ତୁତି ସମୟରେ ରାଜ୍ୟ ସରକାର କ’ଣ ଏହି ବାସ୍ତବତାକୁ ଅଣଦେଖା କରିଛନ୍ତି କି ବୋଲି ପ୍ରଶ୍ନ ଉଠିଛି ।
ଡାଟାର ଦୁରୂପଯୋଗ ପାଇଁ କିଏ ଦାୟୀ ରହିବ?
ଏହି ପଲିସିରେ ବ୍ୟାପକ ପରିମାଣରେ ଡାଟା(ତଥ୍ୟ) ସଂଗ୍ରହ ଓ ଇଣ୍ଡିଆଏଆଇ ପ୍ଲାଟଫର୍ମ ସହ ଯୋଡ଼ାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଡାଟାର ଗୋପନୀୟତା, ସହମତି ଓ ନୈତିକ ଏଆଇ ଉପଯୋଗ ସମ୍ପର୍କରେ କୌଣସି ସ୍ପଷ୍ଟତା ନାହିଁ । ଯଦିଓ ‘୨୦୨୩ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟର’ ଉଲ୍ଲେଖ ରହିଛି କିନ୍ତୁ ଡାଟାର ଦୁରୂପଯୋଗ ରୋକିବା ପାଇଁ କୌଣସି କଠୋର ନିୟମ ବା ଦଣ୍ଡର ପ୍ରାବଧାନ ଏହି ପଲିସିରେ ନାହିଁ । ଏପରିକି ସାଢ଼େ ୪କୋଟି ରାଜ୍ୟବାସୀଙ୍କ ଡାଟାର ଗୋପନୀୟତା ଓ ଡାଟାର ସୁରକ୍ଷା କିଏ ଦେବ, କିଏ ଆଲଗୋରିଦିମକୁ ଯାଂଚ କରିବ ତାହା ମଧ୍ୟ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜମିଜମା ରେକର୍ଡର ଡିଜିଟାଇଜେସନ ବ୍ୟବସ୍ଥାରେ ଏଆଇର ତଦାରଖ ସମେତ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟସେବା, ଶିଶୁଙ୍କ ଆଦିଙ୍କର ଡାଟା ସଂଗ୍ରହ ଓ ଏହାକୁ ଶେୟାର କରିବା କଥା ପଲିସିରେ କୁହାଯାଇଛି । ମାତ୍ର ଏହି ସହମତିକୁ ନେଇ କୌଣସି ସ୍ପଷ୍ଟ ନିୟମ ନାହିଁ । ଯଦି ଡାଟା ଲିକ୍ ହୁଏ ବା ଦୁରୂପଯୋଗ ହୁଏ, ତେବେ କିଏ ଦାୟୀ ହେବ ତାହା ମଧ୍ୟ ଅସ୍ପଷ୍ଟ । ଏସବୁ ପ୍ରଶ୍ନ ସିଧାସଳଖ ସରକାରଙ୍କ ଏଆଇ ପଲିସିରେ ଉତ୍ତରଦାୟିତ୍ୱର ଅଭାବକୁ ଦର୍ଶାଉଛି ।
ଶାସନରେ ପାରଦର୍ଶିତା ନା ଟେକ୍ନୋଲୋଜିର ଆବରଣ
ଯଦିଓ ଏହି ପଲିସିରେ ବାରମ୍ବାର ‘ନୈତିକ ଉପଯୋଗ ଗାଇଡଲାଇନ’ର ଉଲ୍ଲେଖ କରାଯାଇଛି କିନ୍ତୁ ନୈତିକ ଉଲ୍ଲଘଂନକୁ କିଭଳି ଚିହ୍ନଟ ଓ ମୂଲ୍ୟାୟନ ହେବ ଅବା ଦଣ୍ଡିତ କରାଯିବ ସେନେଇ କୌଣସି ଉଲ୍ଲେଖ ନାହିଁ । ଏପରିକି ସରକାରଙ୍କ ଦ୍ୱାରା ପରିଚାଳିତ ଏଆଇ ଟାସ୍କଫୋର୍ସକୁ ଛାଡ଼ିଦେଲେ ଅନ୍ୟ ସ୍ୱତନ୍ତ୍ର ନିୟାମକ, ନାଗରିକ ଅଭିଯୋଗ ଅବା ସାର୍ବଜନୀନ ଅଡିଟ୍ ନେଇ ମଧ୍ୟ କୌଣସି ଉଲ୍ଲେଖ ନାହିଁ । ଯାହାକି ସିଧାସଳଖ ଏହି ଏଆଇ ଟାସ୍କଫୋର୍ସ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । କାରଣ ଏଆଇ ବ୍ୟବହାର କରୁଥିବା ‘ବ୍ୟବସ୍ଥା’ ନିଜେ ନିଜକୁ ନିୟନ୍ତ୍ରଣ କରିବା କେତେ ଠିକ୍ ସେନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ଯଦି ରାଜନୀତିକ, ଆର୍ଥିକ ଓ ପ୍ରଶାସନିକ ସ୍ୱାର୍ଥରେ ମୁହାଁମୁହିଁ ସ୍ଥିତି ଉପୁଜିବ ତା’ହେଲେ ଏହା ନୈତିକ ଏଆଇ କିଭଳି ହେବ । ‘ଓଡ଼ିଶା ଏଆଇ ମିଶନ’ରେ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ନେଇ ଏଆଇ ଟାସ୍କଫୋର୍ସ ଓ ଏଆଇ ସେଲ୍ କାର୍ଯ୍ୟ କରିବ ବୋଲି ‘ପଲିସି’ରେ କୁହାଯାଇଛି ।
ପଲିସି କାହାପାଇଁ, ଓଡ଼ିଶାର ନିଜସ୍ୱ ତ?
ସାଧାରଣତଃ ରାଜ୍ୟ ସରକାର ଯେଉଁସବୁ ପଲିସି ନୀତି ଆଣନ୍ତି ତାହା ରାଜ୍ୟର ଆର୍ଥିକ, ସାମାଜିକ, ଭୌଗଳିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିଥାନ୍ତି । ମାତ୍ର ଏହି ‘ଏଆଇ ପଲିସି’ ଏକ ଏଭଳି ନୀତି ଯେଉଁଠି ଓଡ଼ିଶାର ଏସବୁ ଦିଗ ପ୍ରତି ଆଖିବୁଜି ଦିଆଯାଇଛି ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରାଜ୍ୟର ଅନନ୍ୟ ସାମାଜିକ-ସାଂସ୍କୃତିକ ଓ ଭୌଗଳିକ ସମସ୍ୟା, ଆଦିବାସୀ ଜମି ଅଧିକାର, ଜାତିଗତ ସମ୍ବେଦନଶୀଳତା, ସ୍ଥାନୀୟ ସମସ୍ୟା ଆଦି ପ୍ରତି ‘ପଲିସି’ର ଆଭିମୁଖ୍ୟ ଅସ୍ପଷ୍ଟ । ରାଜ୍ୟର ୭୦ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ଗ୍ରାମାଂଚଳରେ ଲୋକଙ୍କ ସ୍ୱର ହେଉଛନ୍ତି ପଂଚାୟତ ନିର୍ବାଚିତ ପ୍ରତିନିଧି । ଗ୍ରାମାଂଚଳରେ ସାମାଜିକ ଚେତନା ସୃଷ୍ଟିରେ ମଧ୍ୟ ଶିକ୍ଷକମାନଙ୍କର ଭୂମିକା ରହିଛି । କିନ୍ତୁ ୫ବର୍ଷିଆ(୨୦୨୯ ମସିହା ପର୍ଯ୍ୟନ୍ତ) ଲକ୍ଷ୍ୟ ନିର୍ଦ୍ଧାରଣ ଓ ୨୦୩୬ ମସିହା ପର୍ଯ୍ୟନ୍ତର ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଥିବା ଏହି ପଲିସିରେ ପଂଚାୟତ ନେତା, ଚାଷୀ ଓ ଶିକ୍ଷକମାନଙ୍କର ମତାମତ ଏପରିକି ସାଧାରଣ ବର୍ଗର ଲୋକଙ୍କ ମତାମତ ନେବାକୁ ସରକାର ଉଚିତ୍ ମଣିନାହାନ୍ତି । ଅବଶ୍ୟ ଏହି ପଲିସିରେ ବିଶ୍ୱର ବୃହତ୍ ତଥା ଆଗଧାଡ଼ିର ଟେକ୍ କମ୍ପାନୀ ଓ ପରାମର୍ଶଦାତାଙ୍କ ମତାମତ ନିଆଯାଇଥିବା ସରକାର ଉଲ୍ଲେଖ କରିଛନ୍ତି, ମାତ୍ର ଓଡ଼ିଶାର ନାଗରିକଙ୍କ ଭାଗିଦାରୀ ଓ ସାର୍ବଜନୀନ ନିରୀକ୍ଷଣକୁ ଭୁଲିଯାଇଥିବା ଭଳି ପ୍ରତୀତ ହେଉଛି ।
ଯାହାକି ସରକାରଙ୍କ ଏହି ନୀତିର ପାରଦର୍ଶିତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ପାଇଁ ଏଆଇ ଷ୍ଟ୍ରାଟେଜି ପ୍ରସ୍ତୁତ ନିମନ୍ତେ ୨୦୨୩ ଜୁଲାଇ ୨୧ରେ ଟୋନିବ୍ଲେୟାର ଇନଷ୍ଟିଚ୍ୟୁଟ୍ ଅଫ ଗ୍ଲୋବାଲ ଚେଞ୍ଜ ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ ହେବା, ୨୦୨୪ ଅକ୍ଟୋବର ୮ରେ ମୁଖ୍ୟ ସଚିବଙ୍କ ପାଖରେ ଏହାକୁ ଉପସ୍ଥାପନ କରାଯିବା, ଅକ୍ଟୋବର ୧୯ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ୯ଟି କର୍ମଶାଳା ଆୟୋଜନ କରି ବିଭିନ୍ନ ପ୍ରତିଷ୍ଠିତ ଟେକ୍ କମ୍ପାନୀ, ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ ସମେତ ଅନଲାଇନ କର୍ମଶାଳାରେ ଷ୍ଟାର୍ଟଅପ୍ କମ୍ପାନୀ, ଏମଏସଏମଇ, କର୍ପୋରେଟ୍ ହାଉସ ଆଦି ସହ ଏହି ‘ପଲିସି’ ପାଇଁ ବିଚାରବିମର୍ଶ କରାଯାଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି ।
ମାତ୍ର ଯେଉଁ ଓଡ଼ିଶାର ଲୋକମାନଙ୍କ ଉଦ୍ଦେଶ୍ୟରେ ଓ ଯାହାଙ୍କ ପାଇଁ ଏହି ପଲିସି ପ୍ରସ୍ତୁତ କରାଯାଇଛି ସେମାନଙ୍କର ମତାମତ ଲୋଡ଼ାନଯିବା କିମ୍ବା ତାକୁ ଏଥିରେ ଗୁରୁତ୍ୱ ଦିଆନଯିବା ହିଁ ପରୋକ୍ଷରେ ସରକାରଙ୍କ ଏହି ‘ପଲିସି’ର କାର୍ଯ୍ୟାନ୍ୱୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।