ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଆରମ୍ଭ ହୋଇସାରିଛି ।
ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ରୋଡ୍ ଶୋ’ରେ ଯାଇ ସେଠାରେ ଜନତା ମଇଦାନରେ ଆୟୋଜିତ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ରାତିରେ ବିଜେପି ଦଳୀୟ ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଓଡ଼ିଶାର ୩ଜଣ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇଥିବା ଜଣାପଡ଼ିଛି ।
ପ୍ରଧାନମନ୍ତ୍ରୀ ମୋଦି କରିବେ ରୋଡ୍ ଶୋ’
ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ବିହାରରୁ ୨୦ତାରିଖ ୩ଟା ସୁଦ୍ଧା ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ଜନତା ମଇଦାନ ଯିବେ । ପ୍ରଧାନମନ୍ତ୍ରୀ ମୋଦି ରୋଡ୍ ଶୋ’ ଓ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ । ସାଧାରଣ ଲୋକେ ତାଙ୍କର ଆଗମନକୁ ଆତୁରତାର ସହ ଚାହିଁ ବସିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି ପାଳନ ସମାରୋହରେ ଯୋଗ ଦେଇ ଅନ୍ତୋଦୟ ଗୃହ ଯୋଜନାରେ ୫୦ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରିବେ । ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ସମେତ କିଛି ନୂଆ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ନାଏକ କହିଛନ୍ତି ।
ଶୁକ୍ରବାର ରାତିରେ ବିଜେପି ଦଳୀୟ ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଦଳର ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସମେତ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ସମେତ ଦଳର ସାଂସଦ ଓ ବିଧାୟକମାନେ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରାୟ ଦେଢ଼ କିମିର ରୋଡ୍ ଶୋ’ ଏବଂ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯିବ । ଜନତା ମଇଦାନରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ଏକଜୁଟ କରିବା ନିମନ୍ତେ ଉଭୟ ସରକାରୀ ଓ ଦଳୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟରେ ବିଜେପିର ସରକାର ହେବାପରେ ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଦାୟିତ୍ୱରେ ୬୦ ଓଏଏସ୍
ବିଜେପି ସରକାରଙ୍କ ପ୍ରଥମ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହେବ । ପ୍ରଥମେ ଏହି ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ୧୨ତାରିଖରେ ହେବାର ଥିଲା । ଯାହାକୁ ୨୦ତାରିଖକୁ ଘୁଂଚାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ମୋଟ ୬୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ଏହି ଅଫିସରମାନଙ୍କୁ ୧୮ତାରିଖ ଅପରାହ୍ନ ୩ଟାରେ ଜନତା ମଇଦାନରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଏସଏଚଜି ମହିଳାଙ୍କ ସମେତ ବିଭିନ୍ନ କମ୍ୟୁନିଟି ୱାର୍କରଙ୍କ ଉପସ୍ଥିତି ସୁନିଶ୍ଚିତ କରାଇବାକୁ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।