Advertisment

୨୪ରେ ମିଳିବ ‘ସୁଭଦ୍ରା’ ଟଙ୍କା; ୨୦ ଲକ୍ଷ ହିତାଧିକାରୀ ହେବେ ଉପକୃତ

ଆସନ୍ତା ୨୪ରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା । ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା ।

author-image
Niharika Rout
ଅଦ୍ୟତନ ହୋଇଛି
Subhadra Yojana

Subhadra Yojana

ଆସନ୍ତା ୨୪ରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା । ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା ’ ଟଙ୍କା । ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

Advertisment

ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ବିଭିନ୍ନ କାରଣରୁ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଯାଇସାରିଥିବା ବେଳେ ବ୍ଲକସ୍ତରରେ ଖାରଜ ତାଲିକା ପ୍ରସ୍ତୁତ ହୋଇଛି। ଏହା ମଧ୍ୟରେ ବ୍ୟାଙ୍କ,ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରିନେଲେ ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ । ନଚେତ ବାଦ ପଡ଼ିଥିବା ମହିଳାମାନଙ୍କୁ ଆସନ୍ତା ପର୍ଯ୍ୟାୟରେ ସାମିଲ କରିବାକୁ ଟାର୍ଗେଟ ରଖାଯାଇଛି।

ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜାନରୁ ବଞ୍ଚିତ ହେବେନି। ସମସ୍ତ ହକଦାରଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

Advertisment

ଆସନ୍ତା ୨୪ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ  ରହିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ଗତ ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ଦିନ ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।

ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଗତ ୯ ତାରିଖରେ ମିଳିଥିଲା ପ୍ରଥମ କିସ୍ତି ଟଙ୍କା। ଏଯାବତ ପ୍ରାୟ ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି। ରାଜ୍ୟ ସରକାର କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଟଙ୍କା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଆସନ୍ତା ମାର୍ଚ୍ଚ ୮ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଯାଇଥିବାରୁ ତା’ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୨ ଲକ୍ଷ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯାଇସାରିଛି। ବିଭିନ୍ନ କାରଣରୁ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଯାଇଛି।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ତ୍ରୁଟି କାରଣରୁ ଆବେଦନ ପତ୍ର ରିଜେକ୍ଟ ହୋଇଛି । ରିଜେକ୍ଟ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି । ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ଏହି ପର୍ଯ୍ୟାୟରେ ଟଙ୍କା ମିଳିବ । ସଂଶୋଧନ କରିବାରେ ବିଳମ୍ବ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ମିଳିବ । ଜଣେ ବି ଯୋଗ୍ୟ ହିତାଧିକାରୀ ସୁବିଧାରୁ ବଞ୍ଚିତ ହେବେ ନାହିଁ  ବୋଲି ସେ କହିଛନ୍ତି।

Subhadra Yojana