Advertisment

ଦେହହାତ ବିନ୍ଧିବାରୁ ଗଲେ ମେଡିକାଲ, ଦିଦି ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକସନ

ନର୍ସଜଣକ ଡାକ୍ତର ଲେଖିଥିବା ବିନ୍ଧା ଇଞ୍ଜେକସନ ବଦଳରେ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକସନ ।

author-image
Niharika Rout
Patient

Patient

ଦେହହାତ ବିନ୍ଧା ହେଉଥିବାରୁ ଉପଶମ ପାଇବା ପାଇଁ ଡାକ୍ତରଖାନା ଯାଇଥିଲେ ରୋଗୀ। ଡାକ୍ତର ରୋଗୀର ସମସ୍ୟା ଶୁଣି ପ୍ରେସକିପସନ୍‌ ଲେଖିଦେଲେ। ମାତ୍ର ନର୍ସଜଣକ ଡାକ୍ତର ଲେଖିଥିବା ବିନ୍ଧା ଇଞ୍ଜେକସନ ବଦଳରେ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକସନ । ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି। ଏହାକୁ ନେଇ ମେଡିକାଲରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଏପରି ଭୁଲ୍‌ ଚିକିତ୍ସାର ଶିକାର ହୋଇଥିବା ରୋଗୀଜଣକ ହେଉଛନ୍ତି ୫୬ ଵର୍ଷୀୟ ବିଜୟ ବିଶ୍ୱାଳ । ତାଙ୍କ ଘର ଭଣ୍ଡାରିପୋଖରୀ ଥାନା ଅଧିନ ଦକ୍ଷିଣଵାଡ ଗାଁରେ ବୋଲି ଜଣାଯାଇଛି।

କିଛି ଦିନ ହେବ ବିଜୟ ବିଶ୍ୱାଳଙ୍କ ଦେହହାତ ବିନ୍ଧାବିନ୍ଧି ହେଉଥିବାରୁ ସେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ପ୍ରେସକିପସନ୍‌ ଲେଖିଥିଲେ। ପ୍ରେସକିପସନ୍‌ରେ ସେ ଅନ୍ୟ ଔଷଧ ସହ ଡାଇକ୍ଲୋଫିନାକ ଇଞ୍ଜେକସନ ବି ଲେଖିଥିଲେ।

Advertisment

ବିଜୟ ଇଞ୍ଜେକସନ ନେଵା ପାଇଁ ଲାଇନରେ ଛିଡ଼ା ହୋଇଥିଲେ। ସେଠାରେ ଇଞ୍ଜେକସନ ଦାୟିତ୍ୱରେ ଥିବା ନର୍ସ ଡାଇକ୍ଲୋଫିନାକ ଇଞ୍ଜେକସନ ଵଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକସନ ଦେଇଦେଲେ।

ଏହା ଜାଣିବା ପରେ ବିଜୟଙ୍କ ପରିବାର ଲୋକେ ନର୍ସଙ୍କୁ ଏ ସଂକ୍ରାନ୍ତରେ ପଚାରି ଵୁଝିଥିଲେ। ହେଲେ ସମାଧାନ ପରିବର୍ତ୍ତେ ସଂପୃକ୍ତ ନର୍ସ ବିଜୟଙ୍କ ପ୍ରେସକିପସନ ନେଇ ଡାକ୍ତରଖାନାରୁ ଛୁ ମାରିଥିଲେ।

ପରିବାର ଲୋକେ ବିଜୟଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ବିଜୟଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବା ଡାକ୍ତର କହିଛନ୍ତି। ଉତ୍ତ୍ୟକ୍ତ ପରିବାର ଲୋକେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଭଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଏନେଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁ, ବେକ ଓ ଅଣ୍ଟା ବିନ୍ଧା ସମସ୍ୟା ଯୋଗୁ ରୋଗୀଜଣକ ହସ୍ପିଟାଲ ଆସିଥିଲେ। ଏଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ଡାଇକ୍ଲୋଫିନାକ ଇଞ୍ଜେକସନ୍‌ ଦେଇଥିଲେ। ମାତ୍ର ଡ୍ୟୁଟିରେ ଥିବା ନର୍ସ ତାଙ୍କୁ ଭୁଲବଶଃତ କୁକୁର କାମୁଡ଼ା ଇଞ୍ଜେକସନ ଦେଇ ଦେଇଥିଲେ। ଏହା ଏକ ଭ୍ୟାକସିନ୍‌ ହୋଇଥିବାରୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କୁକୁର କାମୁଡ଼ିବା ପୂର୍ବରୁ ବି ଏହାକୁ ଦିଆଯାଇଥାଏ। ଭବିଷ୍ୟତରେ ଯେପରି ଏପରି ଭୁଲ ନ ହୁଏ ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯିବ । ଏଥିସହ ସମ୍ପୃକ୍ତ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ଏନେଇ ରୋଗୀ ବିଜୟ ବିଶ୍ୱାଳ କହିଛନ୍ତି, ମୋର ବେକ ବିନ୍ଧୁଥିବାରୁ ମେଡିକାଲ ଆସିଥିଲି। ହେଲେ ଏଠାରେ ମୋତେ କୁକୁର କାମୁଡ଼ା ଇଞ୍ଜେକସନ ଦେଇଦେଲେ। ଏହାପରେ ପଚାରିବାରୁ ନର୍ସଜଣକ ଆମକୁ ନାଲି ଆଖି ଦେଖାଇବା ସହ ଯୁକ୍ତି କରୁଛନ୍ତି। ଏହି ଇଞ୍ଜେକସନ ନେବା ପରେ ଦେହହାତ ଥରୁଥିବା କହିଛନ୍ତି ବିଜୟ ।

Bhadrak