/odisha-reporter/media/post_attachments/uploadimage/library/16_9/16_9_0/IMAGE_1698310555.jpg)
Odisha Police
ରାଜ୍ୟ ସରକାର ଆଜି ଆଇପିଏସ ଅଫିସରସ୍ତରରେ ଛୋଟ ଧରଣର ବଦଳି ସଂକ୍ରାନ୍ତ ଏକ ବିଜ୍ଞପ୍ତି ଜାରି କଲେ। ଏହାର ମାତ୍ର ଦେଢ଼ଘଣ୍ଟା ନପୁରୁଣୁ ସେଥିରେ ତ୍ରୁଟି ଅଛି ବୋଲି କହି ‘ମୁଖ୍ୟାଳୟ ଏସପିଙ୍କ ପିଆରଓ’ ଏକ ସଂଶୋଧନ ଜାରି କଲେ । ତେବେ ଗୃହ ବିଭାଗର ବିଜ୍ଞପ୍ତିରେ ଥିବା ତ୍ରୁଟିର ସଂଶୋଧନ ସରକାରଙ୍କ ପକ୍ଷରୁ କରାନଯାଇ ପୁଲିସ ଏସପି-ମୁଖ୍ୟାଳୟର ଲୋକସମ୍ପର୍କ ଅଧିକାରୀ କିଭଳି କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଆଇପିଏସ୍ ଅଫିସରସ୍ତରରେ ବଦଳି ଓ ନିଯୁକ୍ତିକୁ ନେଇ ଯେକୌଣସି ବିଜ୍ଞପ୍ତି ଜାରି ହେବା ପୂର୍ବରୁ ସେ ସଂକ୍ରାନ୍ତ ଫାଇଲ୍ ବିଭିନ୍ନ ସ୍ତର ଦେଇ ଗତି କରୁଥିବାବେଳେ ଏଭଳି ଗୁରୁଚଣ୍ଡାଳ ଦୋଷ କିପରି ସମ୍ଭବ ହେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନା ଅନୁସାରେ, ଗୃହ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇ ୨୦୧୯ ବ୍ୟାଚ ଆଇପିଏସ୍ ରୋହିତ ବର୍ମାଙ୍କୁ ନବରଙ୍ଗପୁର ଏସପି ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଉଲ୍ଲେଖ ରହିଛି । ସେଥିରେ ରୋହିତ ଏବେ ବାଲିଗୁଡ଼ା ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ଦର୍ଶାଯାଇଛି। ଏହି ବଦଳି ବିଜ୍ଞପ୍ତିରେ ଆଇପିଏସ୍ ବି.ଗଙ୍ଗାଧର ଓ ଏସ.ସୁଶ୍ରୀଙ୍କ ବଦଳି ନିର୍ଦ୍ଦେଶ ବି ରହିଛି ।
ତେବେ ଏହି ବିଜ୍ଞପ୍ତିକୁ ‘ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ’ ଗଣମାଧ୍ୟମକୁ ଦେବାର ମାତ୍ର ଦେଢ଼ଘଣ୍ଟା ପରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଜଣେ ଅଧିକାରୀ ଏକ ସନ୍ଦେଶ ରାଜ୍ୟ ସରକାରଙ୍କ ମିଡିଆ ସେଲ୍ ମାଧ୍ୟମରେ ଜାରି କଲେ। ସେଥିରେ ରୋହିତ ବର୍ମା ଏବେ ବାଲିଗୁଡ଼ା ନୁହେଁ କେସିଙ୍ଗାଠାରେ ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ନେଇ ମୁଖ୍ୟାଳୟ ଏସପିଙ୍କ ପିଆରଓଙ୍କ ସୂଚନା ଦେଲେ ଓ ଏହା ଟାଇପଜନିତ ତ୍ରୁଟି ବୋଲି ଉଲ୍ଲେଖ ରହିଛି ।
ମାତ୍ର ଆଇପିଏସସ୍ତରରେ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ନେବା ଫାଇଲ ଗୃହ ବିଭାଗଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନସ୍ତରରେ ଯାଂଚ ହେଉଥିବା ସତ୍ତ୍ୱେ ରୋହିତ ବର୍ମା ଏବେ କେଉଁଠି କାର୍ଯ୍ୟ କରୁଛନ୍ତି ତାହା କିଭଳି କେହି ଜାଣିପାରିଲେ ନାହିଁ । ଆଉ ଗୃହ ବିଭାଗ ଯେଉଁ ତ୍ରୁଟିପୂର୍ଣ୍ଣ ବଦଳି ବିଜ୍ଞପ୍ତି ଜାରି କଲା ତାକୁ କେବଳ ଗଣମାଧ୍ୟମ ନୁହେଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଛି ।
ଏଭଳି ଗୁରୁଚଣ୍ଡାଳ ତ୍ରୁଟି କ’ଣ ସରକାରୀସ୍ତରରେ ଓ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଉଥିବା ବଦଳି ଫାଇଲରେ ସମ୍ଭବପର କି? ଯଦି ଗୃହ ବିଭାଗର ବଦଳି ବିଜ୍ଞପ୍ତିରେ ତ୍ରୁଟି ରହିଛି ତା’ର ସଂଶୋଧନ ଓ ସାନି ବିଜ୍ଞପ୍ତି କାହିଁକି ଜାରି କରାଗଲାନି । ଓଲଟା ଅତ୍ୟନ୍ତ ହାଲକା ଭାବେ ଗଣମାଧ୍ୟମକୁ ମୁଖ୍ୟାଳୟ ଏସପିଙ୍କ ପିଆରଓ ଦେଇଥିବା ସନ୍ଦେଶକୁ ଶେୟାର କରାଗଲା ।
ଏସବୁ ସରକାରୀସ୍ତରରେ ବରିଷ୍ଠ ଅଫିସରଙ୍କ ବେପରୁୱା ଆଚରଣକୁ ଦର୍ଶାଉନାହିଁ ତ? ତା’ଛଡ଼ା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ରାଜ୍ୟ ସରକାର ଯଦି ଏସପି ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରଙ୍କ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ପାଇଁ ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ ଗଠନ କରିଥାନ୍ତେ ହୁଏତ ଏଭଳି ଗୁରୁଚଣ୍ଡାଳ ଦୋଷକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
