କୋଚି: ନନ୍ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଜଲନ୍ଧର କ୍ୟାଥଲିକ୍ ଚର୍ଚ୍ଚର ପୂର୍ବତନ ବିଶପ୍ ଫ୍ରାଙ୍କୋ ମୁଲାକ୍କାଲ୍ଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୁଲିସ୍ ଦୁଇ ଦିନିଆ ରିମାଣ୍ଡରେ ନେଇଛି। ଏନେଇ ଆଜି ଫ୍ରାଙ୍କୋଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ନିଜ କୃତକର୍ମ ପାଇଁ ଅନୁତାପ କରିବା ପରିବର୍ତ୍ତେ ଫ୍ରାଙ୍କୋ କୋର୍ଟରେ ହସୁଥିବା ଦେଖିବାକୁ ମିଳିଥିଲା। ଏ ହସର କାରଣ କ'ଣ ଥିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ସେ ଜାମିନ୍ ପାଇବେ ବୋଲି ଆଶା କରିଥିଲେ ହେଁ କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ତଥାପି ଫ୍ରାଙ୍କୋଙ୍କ ମୁହଁରେ ହସ ଲାଗି ରହିଥିଲା। ଗାଡ଼ିରେ ବସିଥିବା ବେଳେ ମଧ୍ୟ ସେ ହସୁଥିଲେ।
ପୁଲିସ୍ ତାଙ୍କୁ ରିମାଣ୍ଡରେ ନେବ ବୋଲି ସବୁ ପ୍ରକାରର ଦସ୍ତାବିଜ୍ ଦାଖଲ କରିଥିଲା। ଏହି ଦସ୍ତାବିଜ୍କୁ ଅନୁଯାୟୀ, ୨୦୧୪ ମେ’୫ରେ ଫ୍ରାଙ୍କୋ କେରଳ ଆସିଥିବା ବେଳେ ଜଣେ ନନ୍ଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ପ୍ରମାଣ ମିଳିଛି। ଏହାପରେ କୋର୍ଟ ତାଙ୍କୁ ସେପ୍ଟେମ୍ବର ୨୪ ଯାଏ ରିମାଣ୍ଡରେ ନେବାକୁ ପୁଲିସ୍କୁ ଅନୁମତି ଦେଇଥିଲେ।
କୋର୍ଟରେ ଉପସ୍ଥିତ ଥିବା ଫ୍ରାଙ୍କୋଙ୍କ ଓକିଲ କହିଥିଲେ, ପୁଲିସ୍ ତାଙ୍କ କ୍ଲାଏଣ୍ଟଙ୍କ ରକ୍ତ ନମୂନା ଓ ସାଲାଇଭା ସାମ୍ପଲ୍ ନେବାକୁ ବାଧ୍ୟ କରୁଛି। କିନ୍ତୁ କୋର୍ଟ ଏପରି ଜବରଦସ୍ତ କାର୍ଯ୍ୟ ଉପରେ ରୋକ ଲଗାଇବା ଦରକାର। କାରଣ ପୁଲିସ୍ ଏହାକୁ ଅପବ୍ୟବହାର କରିବାର ଆଶଙ୍କା ରହିଛି। ତେବେ କୋର୍ଟ ଏହା ଉପରେ କୌଣସି ରୁଲିଂ ଦେଇନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।