କଂଗ୍ରେସ ବିବାଦ: ଗେହଲଟଙ୍କୁ କ୍ଲିନଚିଟ୍‌, ଫସିଲେ ୩ ବିଧାୟକ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଦଳର ପର୍ଯ୍ୟବେକ୍ଷକ ଅଜୟ ମାକେନ ଗୋଟିଏ ରିପୋର୍ଟ ସୋନିଆ ଗାନ୍ଧିଙ୍କୁ ଦେଇଛନ୍ତି। ଏହି ରିପୋର୍ଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପୂରା ବିବାଦ ପ୍ରସଙ୍ଗରେ କ୍ଲିନଚିଟ ଦିଆଯାଇଛି। ହେଲେ ତାଙ୍କ ସମର୍ଥନରେ ମେଳି କରୁଥିବା ୩ ଜଣ ବିଧାୟକ ଫସି ଯାଇଛନ୍ତି। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାକେନ ସୁପାରିସ କରିଛନ୍ତି। ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]

sachin

  • Published: Tuesday, 27 September 2022
  • , Updated: 27 September 2022, 08:20 PM IST

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଦଳର ପର୍ଯ୍ୟବେକ୍ଷକ ଅଜୟ ମାକେନ ଗୋଟିଏ ରିପୋର୍ଟ ସୋନିଆ ଗାନ୍ଧିଙ୍କୁ ଦେଇଛନ୍ତି। ଏହି ରିପୋର୍ଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପୂରା ବିବାଦ ପ୍ରସଙ୍ଗରେ କ୍ଲିନଚିଟ ଦିଆଯାଇଛି। ହେଲେ ତାଙ୍କ ସମର୍ଥନରେ ମେଳି କରୁଥିବା ୩ ଜଣ ବିଧାୟକ ଫସି ଯାଇଛନ୍ତି। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାକେନ ସୁପାରିସ କରିଛନ୍ତି।

ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଦେଖାଯାଇଥିଲା। ଗେହଲଟ ମୁଖ୍ୟମନ୍ତ୍ରୀ ସହ କଂଗ୍ରେସ ସଭାପତି ପଦ ସମ୍ଭାଳିବାକୁ ଚାହୁଁଥିଲେ। ଯଦି ବି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ, ତା’ହେଲେ ତାଙ୍କ ପସନ୍ଦର ନେତା ରାଜ୍ୟ ମୁଖିଆ ହେବେ ବୋଲି ସେ ପ୍ରସ୍ତାବ ଦେଇଥିଲେ।

ଏହି ପ୍ରସ୍ତାବରେ ହାଇକମାଣ୍ଡ ରାଜି ନ ହେବାରୁ ଗେହଲଟ ଗୋଷ୍ଠୀର ପ୍ରାୟ ୯୦ ବିଧାୟକ ଇସ୍ତଫାର ଧମକ ଦେଇଥିଲେ। ଏହାକୁ ନେଇ ବିବାଦ ବଢ଼ିଥିଲା। ଏପରି କି କଂଗ୍ରେସ ହାଇକମାଣ୍ଡ ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ଜୟପୁର ପଠାଇଥିଲେ। କିନ୍ତୁ ସେମାନଙ୍କ ସହ କୌଣସି ବିଧାୟକ ଆଲୋଚନା କରି ନଥିଲେ। ଏହା ସମସ୍ୟାକୁ ଆହୁରି ଜଟିଳ କରିଥିଲା।

ଏବେ ମାକେନ ଦେଇଥିବା ରିପୋର୍ଟରେ ମୁଖ୍ୟ ସଚେତକ ମହେଶ ଯୋଶୀ, ଆରଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ପାଠକ ଓ ବିଧାୟକ ଶାନ୍ତି ଧାରିୱାଲ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଥିଲା। ହେଲେ ଏହି ୩ ନେତା ସମାନ୍ତରଳ ଭାବେ ଅନ୍ୟ ବିଧାୟକଙ୍କୁ ନେଇ ବୈଠକ କରିଥିଲେ।

ବୈଠକ ବେଳେ ବିଧାୟକମାନେ ୨୦୨୦ରେ ସଚିନ ପାଇଲଟ କରଥିବା ବିଦ୍ରୋହ କଥା ଉଠାଇଥିଲେ। ଏହାପରେ ସେମାନେ ଗୋଟିଏ ସଂକଳ୍ପ ପାରିତ କରିଥିଲେ। ଏଥିରେ ସେମାନେ କହିଥିଲେ ଯେ ୨୦୨୦ରେ ସରକାରଙ୍କ ସହ ଯେଉଁମାନେ ଥିଲେ, ସେମାନଙ୍କ ମଧ୍ୟରୁ ହିଁ ମୁଖ୍ୟମନ୍ତ୍ରୀ ବଛାଯିବେ। ଏହି ଘଟଣା ପରେ ଦଳ ପକ୍ଷରୁ ଡକାଯାଇଥିବା ବୈଠକରେ ୯୨ ଜଣ ବିଧାୟକ ଯୋଗ ଦେଇ ନଥିଲେ।

ସେମାନେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରଖିବା ପାଇଁ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଧମକ ଦେଇଥିଲେ। ଦିନକ ପରେ ସେମାନଙ୍କୁ ସୋନିଆ ଗାନ୍ଧି ପଠାଇଥିବା ପର୍ଯ୍ୟବେକ୍ଷଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବାର ଥିଲା। ହେଲେ ସେମାନେ ଆଲୋଚନାକୁ ଆସି ନଥିଲେ। ଏପରି କି ୩ ବିଧାୟକ ପୂରା ବିବାଦ ସୃଷ୍ଟି କରିଥିଲେ। ତେଣୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାକେନ ରିପୋର୍ଟରେ ସୋନିଆଙ୍କୁ କହିଛନ୍ତି।

Related story