/odisha-reporter/media/post_attachments/uploads/2022/09/azad.jpg)
azad
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀମାନଙ୍କୁ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ କହିଛନ୍ତି ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। କଂଗ୍ରେସ ଛାଡ଼ିବା ପରେ ଆଜଦ ଏବେ ନିଜସ୍ୱ ରାଜନୀତିକ ଦଳ ଗଠନ କରିବାକୁ ଲକ୍ଷ୍ୟ ରଖି ମିଶନ କଶ୍ମୀର ଆରମ୍ଭ କରିଛନ୍ତି। ଏଥିପାଇଁ ସେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରି ଲୋକଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରୁଛନ୍ତି।
ଏହିକ୍ରମରେ ଗୁରୁବାର ଆଜାଦ ସମ୍ବେଦନଶୀଳନ ଅନନ୍ତନାଗରେ ଗୋଟିଏ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ସେ ସମସ୍ତଙ୍କୁ ବନ୍ଧୁକ ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି। ବନ୍ଧୁକ କେବଳ ଧ୍ୱଂସଲୀଳା କରିଥାଏ ବୋଲି ସେ କହିଛନ୍ତି। ତେବେ ତାଙ୍କୁ ଏହି ପରାମର୍ଶ ପାଇଁ ଆତଙ୍କବାଦୀ ସଂଗଠନ ହତ୍ୟା ଧମକ ଦେଇଛନ୍ତି। ଏଥିସହ ସେ ବିଜେପି ଇସାରାରେ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ଅନନ୍ତନାଗ କାର୍ଯ୍ୟକ୍ରମରେ ଆଜାଦ କହିଛନ୍ତି, “ବନ୍ଧୁକ ସଂସ୍କୃତି ପିଢ଼ି ପରେ ପିଢ଼ିକୁ କ୍ଷତି ପହଞ୍ଚାଇ ଆସିଛି। କଶ୍ମୀର ଉପତ୍ୟକାରେ ଯୁବକମାନଙ୍କ ହତ୍ୟା ମୁଁ ଆଉ ଦେଖିବାକୁ ଚାହୁଁନି। ଯେଉଁମାନେ ବନ୍ଧୁକ ଉଠାଇଛନ୍ତି ସେମାନଙ୍କୁ ମୁଁ ଗୋଟିଏ ଅନୁରୋଧ କରିବାକୁ ଚାହେଁ ଯେ ଏହି ବନ୍ଧୁକ କୌଣସି ସମାଧାନର ରାସ୍ତା ନୁହେଁ। ବନ୍ଧୁକ କେବଳ ଧ୍ୱଂସ ଓ ବିପଦ ଆଣିଥାଏ।”
ଏକଥା ଶୁଣି ଆଜାଦଙ୍କ ସମର୍ଥନରେ ଅନନ୍ତନାଗର ଡାଲ ବଙ୍ଗଳା ଲନରେ ଉପସ୍ଥିତ ଥିବା ଲୋକମାନେ କରତାଳି ଦେଇଥିଲେ। କଂଗ୍ରେସକୁ ଗତମାସରେ ଅଲବିଦା କହିଥିବା ଆଜାଦ ଖୁବଶୀଘ୍ର ନିଜର ନୂଆ ଦଳ ସମ୍ପର୍କରେ ଘୋଷଣା କରିବେ। ଏଥିପାଇଁ ସେ ଲୋକମାନଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଛନ୍ତି।
ଆଜାଦ ଜମ୍ମୁ-କଶ୍ମୀରରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ହିଂସା ହଜାର ହଜାର ମହିଳାଙ୍କୁ ବିଧବା କରିଛି। ଶହଶହ ପିଲା ଅନାଥ ହୋଇଯାଇଛନ୍ତି। ମୁଁ ଆଉ ଅଧିକ ରକ୍ତପାତ ଓ ଯୁବକମାନଙ୍କ ମୃତଦେହ ଦେଖିବାକୁ ଚାହୁଁନି। ଯେଉଁ ନିରାଶ ଦେଶ ନିଜ ଘରକୁ ଠିକ ଭାବେ ସମ୍ଭାଳି ପାରୁନି ସେହି ଦେଶ ଆମ ରାଜ୍ୟ ଓ ଦେଶକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି।
ମୁଁ କୌଣସି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି କିମ୍ବା ସ୍ଲୋଗାନ ଦ୍ୱାରା ନିର୍ବାଚନ ଜିତିବାକୁ ଏଠାକୁ ଆସିନି। ଧର୍ମ ନାଁରେ ମଧ୍ୟ ଲୋକଙ୍କୁ ଉସକାଇବାକୁ ଚେଷ୍ଟା କରିବିନି। ଆତଙ୍କବାଦୀମାନେ ମୋତେ ହତ୍ୟା ଧମକ ଦେଉଛନ୍ତି। ହେଲେ ସେମାନଙ୍କ ଧମକରେ ମୁଁ ଡରି ଯାଇ ଶାନ୍ତିର ପଥକୁ ଛାଡ଼ିବି ନାହିଁ ବୋଲି ଆଜାଦ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
