ମୌସୁମୀ ଆସିବା ପରେ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ଆସାମର କାମରୁପ(ମେଟ୍ରୋ) ଜିଲ୍ଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଠାରେ ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ କିଛି ଛୋଟ ପିଲା ବି ରହିଛନ୍ତି। ଭୂସ୍ଖଳନ ସହରର ବୋଣ୍ଡା ଅଞ୍ଚଳରେ ହୋଇଛି। ପୁନମ ଗୋସ୍ୱାମୀ ନିଜର ଛୋଟ ଝିଅ ଓ ଅନ୍ୟ ଜଣେ ଛୋଟ ପିଲା ସହ ଘରେ ରହିଥିବା ବେଳେ ଭୂସ୍ଖଳନ ଯୋଗୁ ଏହା ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁ ସେମାନଙ୍କର ମୃତ୍ୟୁ ହୋଇଛି। ସେହିପରି ଏହି ଭୂସ୍ଖଳନରେ ଆଉ ୨ ଜଣଙ୍କ ଜୀବନ ଯାଇଛି।
କାମରୁପମ(ମେଟ୍ରୋ)ରେ ଭୂସ୍ଖଳନ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବରକୁ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏଏସ୍ଡିଏମ) ନିଶ୍ଚିତ କରିଛି। ଶନିବାର ସକାଳୁ ଜାରି ବୁଲେଟିନରେ ଏଏସ୍ଡିଏମ କହିଛି ଯେ ସହିରୀ ବନ୍ୟା ଦ୍ୱାରା ୩ଟି ଜିଲ୍ଲା ପ୍ରଭାବିତ ହୋଇଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଲା- କାମରୁପ, କାମରୁପ(ମେଟ୍ରୋ) ଓ ଚାଚର।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦,୧୫୦ ଜଣ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏହାବାଦ ଧେମାଜି, ଲକ୍ଷ୍ମୀପୁର ଓ ଗୋଲାଘାଟ ଏବଂ ୮ଟି ରାଜସ୍ୱ ସର୍କଲକୁ ବନ୍ୟା ପ୍ରଭାବିତ କରିଛି। ବର୍ଷା ଲାଗି ରହିଥିଲେ ହେଁ ଆଜି ସକାଳୁ ଏନଡିଆରଏଫ ଓ ଏସଡିଆରଏଫ ବନ୍ୟା ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା କାମରେ ଲାଗି ପଡ଼ିଛନ୍ତି।
ଚିରାଙ୍ଗ, ବାକସା, ବାରପେଟା, ବୋଙ୍ଗିଆଗାଓଁ, ବାଜାଲି, ତାମୁଲପୁର, ଡାରଙ୍ଗ ଓ ଉଦଲଗୁରି ପାଇଁ ପାଣିପାଗ ବିଭାଗ ରେର୍ଡ ଆଲର୍ଟ ଜାରି କରିଛି। ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। କିଛି ସ୍ଥାନରେ ଶନିବାର ସକାଳୁ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।
ଅରୁଣାଚଳ ଓ ମେଘାଳୟରେ ବର୍ଷା ହେଉଥିବା ଆସାମ ବିଶେଷ କରି ଗୌହାଟୀର ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଯାଇଛି। ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।