Advertisment

ଏବେ ବି ଜଳୁଛି ମଣିପୁର: ମୁତୟନ ହେବେ ଅଧିକ ଫୋର୍ସ

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କହିଛନ୍ତି ଯେ “ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ଆମେ ଆମର ସବୁ ଲୋକ ଓ ସେମାନଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।”

author-image
Hemant Lenka
Manipur

Manipur

ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ବେହାଲ ହୋଇଛି। ସ୍ଥିତି ଅତ୍ୟନ୍ତ ସାଂଘାତିକ ଥିବାରୁ ପୂରା ରାଜ୍ୟରେ ୧୪୪ ଧାରା ଲାଗୁ କରାଯାଇଛି। ଇଣ୍ଟରନେଟ ସେବାକୁ ବୁଧବାର ଠାରୁ ୫ ଦିନ ପାଇଁ ବନ୍ଦ ରଖାଯାଇଛି। ତଥାପି ସ୍ଥିତି ନିୟନ୍ତ୍ରଣ ମଧ୍ୟକୁ ନ ଆସିବାରୁ ଗୁରୁବାର ରାଜ୍ୟପାଳ ଶୁଟ ଆଟ ସାଇଟ ଅର୍ଡର ମଧ୍ୟ ଦେଇଥିଲେ।

Advertisment

ଏହି ନିର୍ଦ୍ଦେଶ ପରେ କେବଳ ମୋରେହ ଓ କାଙ୍ଗପୋକପିରେ ସ୍ଥିତି ନିୟନ୍ତ୍ରଣ ମଧ୍ୟକୁ ଆସିଛି। ଏହି ଦୁଇ ଜିଲ୍ଲାରେ ଆର୍ମି ଯବାନକୁ ମୁତୟନ କରାଯାଇଛି। ତେବେ ରାଜଧାନୀ ଇମ୍ଫାଲ ଓ ହିଂସା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଚୁରାଚାନ୍ଦପୁରରେ ଏବେ ଉତ୍ତେଜନା ଲାଗି ରହିଛି।

ଏହି ଦୁଇ ସ୍ଥାନରେ ସ୍ଥିତିକୁ ସ୍ୱାଭାବିକ କରିବାକୁ ସେନା ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିସହ ସ୍ଥିତିକୁ ଦେଖି ମଣିପୁରକୁ ଅଧିକ ସଂଖ୍ୟକ ଫୋର୍ସ ମଧ୍ୟ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ପୂରା ମଣିପୁରରେ ଟ୍ରେନ ସେବା ଠପ ହୋଇଯାଇଛି। 

Advertisment

ସୂତ୍ର ଅନୁସାରେ କେନ୍ଦ୍ର ସରକାର ଗୁରୁବାର ଠାରୁ ହିଁ ଅଧିକ ସଂଖ୍ୟକ ଫୋର୍ସ ମଣିପୁରକୁ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯବାନମାନଙ୍କୁ ଗୌହାଟୀ ଓ ତେଜପୁରରୁ ଏୟାରଲିଫ୍ଟ କରି ମଣିପୁରରେ ଛଡ଼ା ଯିବ। ଗୁରୁବାର ରାତିରେ ଗୋଟିଏ ବାୟୁସେନା ବିମାନ ଯବାନଙ୍କୁ ଧରି ମଣିପୁରରେ ପହଞ୍ଚି ସାରିଛି। ଆଗକୁ ମଧ୍ୟ ଆହୁରି ଯବାନ ରାଜ୍ୟରେ ପହଞ୍ଚିବେ।

ସିଆରପିଏଫର ପୂର୍ବତନ ମୁଖ୍ୟ କୁଲଦୀପ ସିଂହକୁ ମଣିପୁରର ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଛି। ସେହିପରି ବରିଷ୍ଠ ଆଇପିଏସ ଆଶୁତୋଷ ସିହ୍ନାଙ୍କୁ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ଅପରେସନର ମୁଖ୍ୟ ଦାୟିତ୍ୱ ମିଳିଛି। ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରୀ ମଣିପୁର ଓ ଏହାର ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛି। ସେହିପରି କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ପୂରା ସ୍ଥିତିର ସମୀକ୍ଷା କରିଛନ୍ତି।

ଅବଶ୍ୟ ବୁଧବାର ଠାରୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଏଯାଏ କେତେ ଲୋକ ମୃତାହତ ହୋଇଛନ୍ତି, ସେକଥା ସରକାର କହି ନାହାନ୍ତି। କିନ୍ତୁ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟର ଖବର ରହିଛି। ଏକାଧିକ ଘର, ଦୋକାନ, ଗାଡ଼ିରେ ଦଙ୍ଗା ସୃଷ୍ଟିକାରୀମାନେ ନିଆଁ ଲଗାଇ ଦେଇଛନ୍ତି।

ହିଂସା କ୍ଷତିଗ୍ରସ୍ତ ଅଞ୍ଚଳରୁ ସୁରକ୍ଷାକର୍ମୀମାନେ ପ୍ରାୟ ୯ ହଜାର ଲୋକଙ୍କୁ ଉଦ୍ଧାର କରି କ୍ୟାମ୍ପରେ ରଖିଛନ୍ତି। କେବଳ ଚୁରାଚାନ୍ଦପୁରରୁ ୫ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଇମ୍ଫାଲ ଉପତ୍ୟକାରୁ ୨ ହଜାର ଓ ସୀମାନ୍ତ ସହର ମୋରେହରୁ ୨ ହଜାର ଲୋକଙ୍କୁ ସୁରକ୍ଷାକର୍ମୀ ସୁରକ୍ଷିତ ଭାବେ ଉଦ୍ଧାର କରି ଆଶ୍ରୟସ୍ଥଳରେ ରଖିଛନ୍ତି।

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କହିଛନ୍ତି ଯେ “ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ଆମେ ଆମର ସବୁ ଲୋକ ଓ ସେମାନଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।”

ହିଂସା ଦ୍ୱାରା ମଣିପୁର ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ସେଠାରେ ଫସିଥିବା ରାଜ୍ୟର ଶିକ୍ଷାର୍ଥୀ ଓ ଲୋକମାନଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Manipur