Advertisment

‘ଖୁବ୍‌ ଶୀଘ୍ର ତିହାର ଜେଲ୍‌ରେ ୩ ସାଙ୍ଗଙ୍କ ଭେଟ ହେବ’

‘ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ହିଁ ମଦ ଦୁର୍ନୀତିର ମାଷ୍ଟର ମାଇଣ୍ଡ । ଖୁବ୍‌ ଶୀଘ୍ର ତିହାର ଜେଲ୍‌ ତାଙ୍କ ଠିକଣା ପାଲଟିବ ।’

author-image
Niharika Rout
ଅଦ୍ୟତନ ହୋଇଛି
Poltician

Poltician

‘ଖୁବ୍‌ ଶୀଘ୍ର ତିହାର ଜେଲ୍‌ରେ ୩ ସାଙ୍ଗଙ୍କ ଭେଟ ହେବ । ସେମାନଙ୍କୁ ପରସ୍ପରର ଅନୁପସ୍ଥିତି କଷ୍ଟ ଦେଉଥିବା ବେଳେ ସେଠାରେ ହିଁ ସବୁ କଷ୍ଟ ଲାଘବ ହେବ । ପୂର୍ବରୁ ଆପ୍‌ର ବରିଷ୍ଠ ସଦସ୍ୟ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍‌ରେ ଥିବା ବେଳେ ଏବେ ତାହା ଅରବିନ୍ଦ କେଜ୍ରିୱାଲଙ୍କ ଠିକଣା ପାଲଟିବାକୁ ଯାଉଛି।’ ମଦ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ସିବିଆଇ ସମନ ଜାରି କରିଥିବା ବେଳେ ତାଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ଦିଲ୍ଲୀ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା।

Advertisment

ସଚଦେବା କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଁ ମଦ ଦୁର୍ନୀତିର ମାଷ୍ଟର ମାଇଣ୍ଡ । କେଜ୍ରିୱାଲ ସିଧାସଳଖ ଏଥିରେ ସମ୍ପୃକ୍ତ। କାରଣ ତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ହିଁ ଉକ୍ତ ଅବକାରୀ ନୀତିକୁ ମଞ୍ଜୁରୀ ଦେଇଥିଲା। କେଜ୍ରିୱାଲ ଏହି ନୀତିକୁ ମଞ୍ଜୁରୀ ଦେଇ ଦିଲ୍ଲୀର ରାଜସ୍ୱ କମାଇବା ସହ ସମାଜର ପ୍ରଭୂତ କ୍ଷତି ଘଟାଇଛନ୍ତି।

ସିବିଆଇ ପକ୍ଷରୁ ଲଗା ଯାଇଥିବା ଅଭିଯୋଗ ଅନୁଯାୟୀ, ନୂଆ ଅବକାରୀ ନୀତି ଦ୍ୱାରା ଆଦାୟ ହୋଇଥିବା ରାଜସ୍ୱକୁ ଆପ୍‌ର ରାଜନୀତିକ ଫାଇଦ ପାଇଁ ବ୍ୟବହାର କରାଯାଇଛି। ଏହି ମାମଲାରେ ପଚରାଉଚରା କରିବା ପାଇଁ ଆସନ୍ତା କାଲି ଦିନ ୧୧ଟାରେ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ ଜାରି କରାଯାଇଛି। ତେଣୁ ସେ ଦିନ ଆଉ ଦୂର ନୁହେଁ, ଯେବେ ୩ ସାଙ୍ଗ ତିହାର ଜେଲ୍‌ ବାରାକ୍‌ରେ ଦେଖାହେବେ ବୋଲି କହିଛନ୍ତି ବୀରେନ୍ଦ୍ର ସଚଦେବା।

Advertisment

ସୂଚନାଯୋଗ୍ୟ, ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ୨୦୨୧ରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା କରି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଏହି ଘଟଣାରେ ୧୧ ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ସେ ନିଲମ୍ବିତ କରିଥିଲେ। ବିବାଦ ଯୋଗୁ ୨୦୨୨ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି ସେମାନଙ୍କ ଏଫଆଇଆରରେ କହିଛନ୍ତି।

Bjp CBI AAP