ବିବିସି ଅଫିସରେ ରେଡ୍‌କୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ଦେଲା ବିଜେପି

ଆଜି ହଠାତ୍‌ ଦିଲ୍ଲୀ ଓ ମୁମ୍ବାଇରେ ଥିବା ବିବିସି ଅଫିସରେ ଆୟକର ବିଭାଗ ରେଡ୍‌ କରିଛି। ଏଠାକାର କର୍ମଚାରୀଙ୍କ ମୋବାଇଲ ଓ ଲ୍ୟାପଟପକୁ ମଧ୍ୟ ଜବତ କରାଯାଇଛି।

ବିବିସି କାର୍ଯ୍ୟାଳୟ (ଫାଇଲ ଫଟୋ)

  • Published: Tuesday, 14 February 2023
  • , Updated: 14 February 2023, 05:11 PM IST

ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ନେଇ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀ ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଚାଲିଥିବା ବେଳେ ଆଜି ହଠାତ୍‌ ଦିଲ୍ଲୀ ଓ ମୁମ୍ବାଇରେ ଥିବା ବିବିସି ଅଫିସରେ ଆୟକର ବିଭାଗ ରେଡ୍‌ କରିଛି। ଏଠାକାର କର୍ମଚାରୀଙ୍କ ମୋବାଇଲ ଓ ଲ୍ୟାପଟପକୁ ମଧ୍ୟ ଜବତ କରାଯାଇଛି। ବିବିସି ଦୀର୍ଘ ବର୍ଷ ହେଲା ଭାରତରେ କାର୍ଯ୍ୟ କରୁଥିବା ବେଳେ ଏବେ ଟିକସ ଫାଙ୍କିଥିବା ଆଶଙ୍କାରେ ଆୟକର ବିଭାଗ ଆଜି ରେଡ୍‌ କରିଛି।

ତେବେ ଆୟକର ବିଭାଗର ଏପରି ରେଡ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ରେଡ୍‌ ପଛରେ ପୂର୍ବାଗ୍ରହ ରହିଥିବା ସେମାନେ କହିଛନ୍ତି। ବିବିସି ଡକ୍ୟୁମେଣ୍ଟାରୀ ତିଆରି କରିଥିବାରୁ ପ୍ରତିଶୋଧ ନେବା ପାଇଁ ଆଜି ଏପରି ରେଡ୍‌ କରାଯାଇଛି। ଏକଥା ସମସ୍ତେ ପୂର୍ବରୁ ଆକଳନ କରିଥିଲେ, ଏହା ଅସ୍ଥିରତାର ସଙ୍କେତ ଓ ସେମାନଙ୍କ ଶେଷ ସମୟ ବହୁତ ନିକଟତର ହୋଇଗଲାଣି ବୋଲି ବିରୋଧୀ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ବିବିସିକୁ ତୀବ୍ର ସମାଲୋଚନା କରାଯାଇଛି। ଏହି ବ୍ରିଟିଶ ବ୍ରଡକାଷ୍ଟରକୁ ଦଳ ବିଶ୍ୱର ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ସଂସ୍ଥା ବୋଲି କହିଛି। ଏଥିସହ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିବା ସହ ଏହା ଭାରତ ବିରୋଧୀ ପ୍ରଳାପକୁ ସବୁବେଳେ ସମର୍ଥନ କରି ଆସିଛି ବୋଲି ବିଜେପି ନେତା ଗୌରବ ଭାଟିଆ କହିଛନ୍ତି।

ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଯଦି କୌଣସି ସଂଗଠନ କିମ୍ବା କମ୍ପାନୀ ଭାରତରେ କାମ କରୁଛନ୍ତି, ତା’ହେଲେ ସେମାନଙ୍କୁ ଭାରତର ଆଇନ ମାନିବାକୁ ପଡ଼ିବ। ଯଦି ସେମାନେ ଆଇନଗତ ଉପାୟରେ ସବୁ କିଛି କରୁଛନ୍ତି, ତା’ହେଲେ ଏତେ ଡର କାହିଁକି? ଆୟକର ବିଭାଗ ସେମାନଙ୍କୁ କାମ କରିବାକୁ ନିଶ୍ଚିତ ଅନୁମତି ଦେବ।

ବିବିସି ହେଉଛି ବିଶ୍ୱର ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ସଂସ୍ଥା। ବିବିସିର ଅପପ୍ରଚାର କଂଗ୍ରେସର ଏଜେଣ୍ଡା ସହ ମେଳ ଖାଉଛି। ବିବିସିର ଇତିହାସ କହୁଛି ଯେ ସଂସ୍ଥା ସବୁବେଳେ ଭାରତ ବିରୋଧୀ ଖବର ଦେଖାଏ। କଂଗ୍ରେସ ମନେ ରଖିବା ଦରକାର ଯେ ଇନ୍ଦିରା ଗାନ୍ଧି ମଧ୍ୟ ଥରେ ବିବିସିକୁ ବ୍ୟାନ କରିଥିଲେ।” ତେବେ ବିଜେପିର ଏପରି ଜବାବ ସତ୍ତ୍ୱେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି।

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ତାଚ୍ଛଲ୍ୟ କରି କହିଛନ୍ତି, “ବିବିସି ଦିଲ୍ଲୀ ଅଫିସରେ ଆୟକର ରେଡ। ଓଃ ସତରେ? ବୋଧେ କେହି ଏହା ଆଶା କରି ନଥିଲେ।” ଏଥିସହ ସେ ଆଦାନୀ ବିବାଦ କଥା ମଧ୍ୟ ଉଠାଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସେମାନେ ଯେତେବେଳେ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରୁଛନ୍ତି ସେତେବେଳେ ସରକାର ବିବିସି ପଛରେ ପଡ଼ିଛନ୍ତି। ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ସେ କହିଛନ୍ତି। କଂଗ୍ରେସର ରାଜ୍ୟସଭା ସାଂସଦ କେସି ଭେନୁଗୋପାଲ ଏପରି ରେଡକୁ ନିନ୍ଦା କରିଛନ୍ତି ଯେ “ବିବିସି ଅଫିସରେ ଆୟକର ରେଡ୍‌ ହତାଶାର ଗନ୍ଧ ଓ ମୋଦି ସରକାର ସମାଲୋଚନାରେ ଭୟଭୀତ ବୋଲି ଦର୍ଶାଉଛି। ଆମେ ଏପରି ଧମକପୂର୍ଣ୍ଣ କାର୍ଯ୍ୟକୁ ନିନ୍ଦା କରୁଛି। ଏହା ଅଗଣତାନ୍ତ୍ରିକ। ଏପରି ଏକଛତ୍ରବାଦୀ ଶାସନ ବେଶୀ ଦିନ ଚାଲିବ ନାହିଁ।”

ବିଜେପିର ପୁରୁଣା ବାହାନା-ଏଜେନ୍ସି ନିରପେକ୍ଷ ଭାବେ କାମ କରୁଛି। କେନ୍ଦ୍ର ସରକାର ସମାଲୋଚନାକୁ ଶୁଣିବାକୁ ଚାହାନ୍ତି ନାହିଁ। ଏହା ଏକଛତ୍ରବାଦ ଶାସନର ସଙ୍କେତ। ଆଜି କେନ୍ଦ୍ର ସରକାର ସମାନ୍ୟତମ ଲଜ୍ଜାବୋଧକୁ ବି ଛାଡ଼ି ଦେଇଛନ୍ତି। ଯଦି ଆପଣ ବିବିସି ଡକ୍ୟୁମେଣ୍ଟାରୀକୁ ଭୁଲ ବୋଲି କହୁଛନ୍ତି, ତା’ହେଲେ କୋର୍ଟକୁ ଯାଆନ୍ତୁ।

ଆପଣ କୌଣସି ପ୍ରକାରର ଆଇନଗତ ଉପାୟ ଅବଲମ୍ବନ କରୁ ନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିବିସି ଡ୍ୟକୁମେଣ୍ଟାରୀ ପୂରା ଠିକ୍‌ ବୋଲି କେନ୍ଦ୍ର ସରକାର ଜାଣିଛନ୍ତି। ଖାସ ଏହି କାରଣ ପାଇଁ ଏପରି ରେଡ୍‌ ହେଉଥିବା ଆପର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ ବିଜେପିକୁ ବିବିସି ରେଡ୍‌ ଘଟଣାରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଯେତେବେଳେ ସରକାର ଓ ପ୍ରଶାସନ ଅଭୟ ଓ ନିର୍ଭୟ ବଦଳରେ ଭୟ ଓ ଉତ୍ପୀଡ଼ନର ପ୍ରତୀକ ବନି ଯିବେ ସେତେବେଳେ ସମସ୍ତଙ୍କୁ ଭାବି ନେବାକୁ ହେବ ଯେ ସେମାନଙ୍କ ଅନ୍ତିମ ସମୟ ପାଖେ ଆସିଲାଣି।”

ଏମାନଙ୍କ ବ୍ୟତୀତ ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଆଇ(ଏମ) ସାଂସଦ ଜନ ବ୍ରିଟ୍ଟାସ, ସିପିଆଇର ରାଜ୍ୟସଭା ସାଂସଦ ବିନୟ ବିଶ୍ୱମଙ୍କ ଠାରୁ ଆରମ୍ଭ କରି ଅନେକ ବିରୋଧୀ ଦଳର ନେତା ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି।

Related story