Advertisment

ଶୁଭେନ୍ଦୁ ଅଧିକାରୀଙ୍କ କାର୍‌ ଧକ୍କାରେ ଗଲା ଯୁବକଙ୍କ ଜୀବନ, ତୀବ୍ର ଉତ୍ତେଜନା

ଦୁର୍ଘଟଣା ଘଟାଇ ବିରୋଧୀ ଦଳ ନେତାଙ୍କ କାର୍‌ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ତୁରନ୍ତ ଶୁଭେନ୍ଦୁ ଅଧିକାରୀଙ୍କ ଗିରଫ ଦାବି କରି ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇଥିଲେ।

author-image
Niharika Rout
Accident

Accident

ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କାର୍‌କେଡ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଅଘଟଣ ଗତକାଲି ରାତିରେ ପୂର୍ବ ମେଦିନାପୁର ଜିଲ୍ଲାର ଚାନ୍ଦିପୁରର ଜାତୀୟ ରାଜପଥ ଉପରେ ହୋଇଛି। ଦୁର୍ଘଟଣା ଘଟାଇ ବିରୋଧୀ ଦଳ ନେତାଙ୍କ କାର୍‌ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ତୁରନ୍ତ ଶୁଭେନ୍ଦୁ ଅଧିକାରୀଙ୍କ ଗିରଫ ଦାବି କରି ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ତେବେ ବିଜେପି ନେତାଙ୍କ ଗାଡ଼ି ଦୁର୍ଘଟଣା ଘଟାଇଥିଲା ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ବୋଲି ପୁଲିସ୍‌ ସୂଚନା ଦେଇଛି । ମୃତକ ଏସକେ ଇସରାଫିଲ ବୋଲି ଚିହ୍ନଟ ହୋଇଛନ୍ତି।

Advertisment

ଜଣେ ପ୍ରତ୍ୟକ୍ଷଦର୍ଶୀ ଏସକେ ରଫିଜୁଲଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ଚାନ୍ଦିପୁର ନିକଟରେ ଏସକେ ଇସରାଫିଲ ରାସ୍ତାର ଡାହାଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ବାମ ପଟରେ ଯାଉଥିବା କାର୍‌କେଡରୁ ଏକ କାର୍‌ ଦ୍ରୁତ ଗତିରେ ଡାହାଣ ପଟକୁ ଆସି ଇସରାଫିଲଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଇସରାଫିଲ ପଡ଼ିଯିବା ପରେ କାର୍‌ଟି ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଡ୍ରାଇଭରଜଣକ ନିଶାସକ୍ତ ଥିବା ବେଳେ ଏପରି ଦୁର୍ଘଟଣା ଘଟାଇଥିବା ପ୍ରତ୍ୟକ୍ଷଦର୍ଶୀଜଣକ କହିଛନ୍ତି।

ସ୍ଥାନୀୟ ଲୋକେ ତୁରନ୍ତ ଇସରାଫିଲଙ୍କୁ ନିକଟସ୍ଥ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ସହ ଶୁଭେନ୍ଦୁ ଅଧିକାରୀରଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ କରି ପାରି ନ ଥିଲା। ଖବର ପାଇ ବହୁ ସଂଖ୍ୟାରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିବା ଜଣାଯାଇଛି।

Advertisment

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ୟକ୍ତିଜଣକ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଉକ୍ତ କାର୍‌ ଶୁଭେନ୍ଦୁ ଅଧିକାରୀଙ୍କର ନା ନୁହେଁ ତାହା ସ୍ପଷ୍ଟ ହୋଇ ନ ଥିବା ପୁଲିସ୍‌ ଅଧିକାରୀଜଣକ କହିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ବିପକ୍ଷ ଦଳ ନେତା ମୋଇନାରେ ହେଉଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।ତେବେ ଦୁର୍ଘଟଣା ସମ୍ପର୍କରେ ଶୁଭେନ୍ଦୁ ଅଧିକାରୀ ଉକ୍ତ କାର୍‌କେଡରେ ଥିଲେ ନା ନାହିଁ ସେ ନେଇ ତାଙ୍କର କିଛି ପ୍ରତିକ୍ରିୟା ବି ମିଳିପାରିନି। 

Accident Road Accident Tension Situation