Advertisment

କଂଗ୍ରେସ କର୍ମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ, ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲେ

କର୍ଣ୍ଣାଟକା ବେଙ୍ଗାଲୁରୁରେ ଏପରି ଘଟଣା ଘଟିଛି। ପୁଲିସ୍‌ ମୃତଦେହକୁ ଜବତ କରିଥିବା ବେଳେ ହତ୍ୟାକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

author-image
Hemant Lenka
Congress

Congress

କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସର ଜଣେ କର୍ମୀଙ୍କୁ ୫ ଜଣ ବ୍ୟକ୍ତି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ୫ ଦୁର୍ବୃତ୍ତ ପ୍ରଥମେ ବାଇକରେ ଆସିଥିଲେ। ଏହାପରେ କଂଗ୍ରେସ କର୍ମୀଙ୍କୁ ଧାରୁଆ ଅସ୍ତ୍ରରେ ବାରମ୍ବାର ହାଣିଥିଲେ।

Advertisment

ସେ ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି। କର୍ଣ୍ଣାଟକା ବେଙ୍ଗାଲୁରୁରେ ଏପରି ଘଟଣା ଘଟିଛି। ପୁଲିସ୍‌ ମୃତଦେହକୁ ଜବତ କରିଥିବା ବେଳେ ହତ୍ୟାକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ପୁଲିସ୍‌ କହିଛି ଯେ ମୃତକ ଜଣଙ୍କ ହେଲେ ବେଙ୍ଗାଲୁରୁର ଚୋୱଡେଶ୍ୱରୀ ନଗରରେ ରହୁଥିବା ୪୨ ବର୍ଷୀୟ ରବି। ସେ ବୁଧବାର ରାତିରେ ତାଙ୍କ ଘର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ୫ ଜଣ ବ୍ୟକ୍ତି ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ରବିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ।

Advertisment

ଏହାପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ପକାଇ ଥିଲେ। ମୁଣ୍ଡରେ ପଥର ମାଡ଼ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ପାଖରେ ଲାଗିଥିବା ଏକାଧିକ ଫ୍ଲେକ୍ସକୁ ମଧ୍ୟ ଆକ୍ରମଣକାରୀମାନେ ନଷ୍ଟ କରି ଦେଇଛନ୍ତି। ଖବର ପାଇ ପୁଲିସ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚିବା ସହ ରବିଙ୍କ ମୃତଦେହକୁ ଜବତ କରିଛି। ତାଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ରହିଛି।

ହତ୍ୟାରେ ବ୍ୟବହାର କରାଯାଇଥିବା ଧାରୁଆ ଅସ୍ତ୍ରକୁ ମଧ୍ୟ ଶବ ନିକଟରୁ ଜବତ କରାଯାଇଛି। ନନ୍ଦୀନ ଲେଆଉଟ ପୁଲିସ୍‌ ଷ୍ଟେସନରେ ଏନେଇ ଗୋଟିଏ ମାମଲା ରୁଜୁ ହୋଇଛି ଓ ହତ୍ୟାକାରୀଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ପୁଲିସ୍‌ କହିଛି।

Congress Karnataka